mobile header

ଚୁଡ଼ା, ମୂଢ଼ି ଓ ଗୁଡ଼ ଆଦି ଦ୍ରବ୍ୟ ଉପରେ ଜିଏଷ୍ଟି ଲାଗୁ ନିଷ୍ପତି ରାଜ୍ୟ ଜନସାଧାରଣଙ୍କ ସ୍ୱାର୍ଥରେ କି ବୋଲି ପ୍ରଶ୍ନ କରିଛି କଂଗ୍ରେସ

ସାଧାରଣ ଜନତାଙ୍କ ସ୍ୱାର୍ଥ ବିରୋଧି ଜିଏଷ୍ଟି ନିଷ୍ପତି ଅବିଳମ୍ବେ ପ୍ରତ୍ୟାହାର କର – ଶରତ ପଟ୍ଟନାୟକ

ଗରିବଙ୍କ ଉପରେ ମୋଦି ସରକାର ଦାଉ ସାଧୁଛନ୍ତି କାହିଁକି – ଶରତ ପଟ୍ଟନାୟକ

ଭୁବନେଶ୍ୱର ତା ୧୭.୭- ଗତ ଜୁନ ୨୮ ଓ ୨୯ ତାରିଖ ଚଣ୍ଡିଗଡ଼ ଠାରେ ଦୁଇଦିନିଆ ଜିଏଷ୍ଟି କାଉନସିଂଲର ୪୭ତମ ବୈଠକରେ ଚୁଡ଼ା, ମୂଢ଼ି, ଗୁଡ଼, ଦହି, ଖଇ ଓ ଉଖୁଡ଼ା ଆଦି ଅତ୍ୟାବଶକୀୟ ଖାଦ୍ୟ ସାମଗ୍ରୀ ଉପରେ ୫% ହାରରେ ଜିଏଷ୍ଟି ଲାଗୁ କରିବା ନିଷ୍ପତି ଏକ ହତଭାଗ୍ୟ ନିଷ୍ପତି ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକ କହିଛନ୍ତି । ଶ୍ରୀ ପଟ୍ଟନାୟକ ସାମ୍ବାଦିକ ମାନଙ୍କୁ ସମ୍ବୋର୍ଦ୍ଧିତ କରି କହିଥିଲେ ଯେ ଓଡ଼ିଶାର ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ ଏବଂ କେନ୍ଦୁଝର ଜିଲ୍ଲାରେ ମୁଢ଼ି ବିନା ଜୀବନ ଦୁର୍ବିସହ । କିନ୍ତୁ ଆସନ୍ତା କାଲି ପାଖରୁ ଏହି ଅଣବ୍ରାଣ୍ଡ ପ୍ୟାକେଟ ଦ୍ୱାରା ବିକ୍ରି ହେଉଥିବା ମୁଢ଼ି, ଗୁଡ଼, ଚୁଡ଼ା, ଦହି, ଖଇ ଓ ଉଖୁଡ଼ା ଆଦି ଉପରେ ୫% ଜିଏଷ୍ଟି ଲାଗୁ ହେବ । ଦୀର୍ଘ ୮ବର୍ଷ କାଳ ଧରି କେବଳ ଘୁଣ୍ୟ ରାଜନୀତିରେ ଲିପ୍ତ ରହିବା ଛଡ଼ା ଭାରତବର୍ଷର ଅର୍ଥନୀତିକୁ ସଂପୂର୍ଣ୍ଣରୂପେ ଅଣଦେଖା କରିବା ଓ ଭୁଲ ଅର୍ଥନୈତିକ ନିଷ୍ପତି ଯୋଗୁଁ ଆଜି ଭାରତ ବର୍ଷର ଅର୍ଥନୀତି ସଂପୂର୍ଣ୍ଣ ରୂପେ ରସାତଳଗାମୀ । ମୋଦି ସରକାର କେବଳ ମନ୍ଦିର, ମସ୍‌ଜିଦ, ରାହୁଲ ଗାନ୍ଧୀ, ସୋନିଆ ଗାନ୍ଧୀ, ଇଡି, ଇନକମଟେକ୍ସ ଭିତରେ ସୀମାବଦ୍ଧ ହୋଇ ରାଜନୀତି କରୁଛନ୍ତି । ଓଡ଼ିଶାର ସାଧାରଣ ଜୀବନରେ ଏ ସମସ୍ତ ଖାଦ୍ୟଦ୍ରବ୍ୟ ଅତ୍ୟାବଶ୍ୟକ ଅଟେ । ଏ ସବୁ ଉପରେ କର ଆଦାୟ କରିବା କିଭଳି ଭାବରେ ଗରିବ ଲୋକଙ୍କ ଉପରୁ ଜୋର ଜବରଦସ୍ତ କରି କର ଆଦାୟ କରି ହେବ ଏହାହିଁ ପ୍ରମାଣିତ କରୁଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ବିଜୁ ଜନତା ଦଳର ଅର୍ଥମନ୍ତ୍ରୀ ସେ ମିଟିଂରେ ଉପସ୍ଥିତ ଥାଇ ମଧ୍ୟ ଏ ବାବଦରେ ଥରୁଟିଏ ବିରୋଧ କରି ନାହାନ୍ତି କାହିଁକି ? କ’ଣ ଏହା ରାଜ୍ୟର ଜନସାଧାରଙ୍କ ସ୍ୱାର୍ଥ ବିରୋଧି କି ନୁହେଁ ବୋଲି ଶ୍ରୀ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି । ଏଥିରୁ ଏହା ବୁଝାପଡ଼ୁଛି ରାଜ୍ୟ ସରକାର ଜିଏଷ୍ଟି କାଉନସିଲର ଏ ନିଷ୍ପତିକୁ ସମ୍ମତି ଜଣାଇଛି । ଗୋଟେ ଗଣତାନ୍ତ୍ରିକ ସରକାର ଜନସାଧାରଣଙ୍କ ପରିସ୍ଥିତିକୁ ଦେଖି କର ଆଦାୟ କରିଥାଏ । କିନ୍ତୁ ଏବେ ସରକାର ଅଧିକରୁ ଅଧିକ କିଭଳି କର ଆଦାୟ କରାଯିବ ସେଥିପାଇଁ ଅଧିକ ତତ୍ପରତା ଦେଖାଉଛନ୍ତି । ପୂର୍ବତନ ଅର୍ଥମନ୍ତ୍ରୀ ଶ୍ରୀ ପଂଚାନନ କାନୁନଗୋ ତଥା ବରିଷ୍ଠ କଂଗ୍ରେସ ନେତା ସାମ୍ବାଦିକ ମାନଙ୍କୁ ସମ୍ବୋର୍ଦ୍ଧିତ କରି କହିଲେ ୨୦୦୫ ମସିହାରେ ମନମୋହନ ସିଂଙ୍କ ସରକାର ସମୟରେ ୩୭ ଗୋଟି ଦ୍ରବ୍ୟକୁ ଭାଟ ମୁକ୍ତ କରାଯାଇଥିଲା । ଏହିସବୁ ଦ୍ରବ୍ୟ ଗୁଡ଼ିକ ଦହି, ଲସି, ଘୋଳଦହି, କ୍ଷୀର ପ୍ୟାକେଟ, ସ୍ଲେଟ, ପ୍ଲେଟ, ମ୍ୟାପ, ଚୁଡ଼ା, ମୁୂଢ଼ି, ହୁଡ଼ମ, ଖଇ, ଉଖୁଡା, ମୁଆଁ, ଖଲିପତ୍ର, ସବାଇ ଘାସରୁ ପ୍ରସ୍ତୁତ ଦଉଡ଼ି, ଗହମ, ଅଟା, ଲୁଙ୍ଗି, ଗାମୁଛା, ମାଛ, ମାଂସ, ଅଣ୍ଡା ଇତ୍ୟାଦି । କିନ୍ତୁ ଆସନ୍ତା କାଲି ଜୁଲାଇ ୧୮ ତାରିଖ ୨୦୨୨ ମସିହା ପାଖରୁ ପ୍ରାୟ ସବୁ ଦ୍ରବ୍ୟ ଉପରେ ସରକାର ଜିଏଷ୍ଟି ଲାଗୁ କରିସାରିଛନ୍ତି । ଏହି ସବୁ ଦ୍ରବ୍ୟ ମାନଙ୍କରୁ ୫% ରୁ ୧୨ % ପର୍ଯ୍ୟନ୍ତ ଜିଏଷ୍ଟି ଆଦାୟ କରୁଛନ୍ତି । ୨୦୧୭ ମସିହା ଜିଏଷ୍ଟିକୁ ଲାଗୁ କରିବା ପାଇଁ ସେଂଟ୍ରାଲ ହଲରେ ଯେଉଁ ଐତିହାସିକ ମଧ୍ୟରାତ୍ରୀ ମିଂଟି ହୋଇଥିଲା ସେଇ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦ୍‌ବୋଧନ ଦେଲାବେଳେ ବାରମ୍ବାର ଗୋଟିଏ କଥାକୁ ଦୋହରାଉଥିଲେ ଯେ ଜିଏଷ୍ଟି ସାଧାରଣ ଲୋକଙ୍କ ସ୍ୱାର୍ଥ, ରାଜ୍ୟର ସ୍ୱାର୍ଥ ପାଇଁ, ଦେଶର ସ୍ୱାର୍ଥ ପାଇଁ ଓ ସର୍ବୋପରି ଦେଶର ଖାଉଟିଙ୍କ ପାଇଁ । ଏହାଦ୍ୱାରା ଜିନିଷ ପତ୍ରର ଦରଦାମ ବହୁ ମାତ୍ରାରେ କମିଯିବ ଓ ସାଧାରଣ ଜନତା ଏହାର ବହୁ ସୁଫଳ ପାଇବେ କିନ୍ତୁ ସତ୍ୟ କ’ଣ? ଖାଲି ସେତିକି ନୁହେଁ ପାଖାପାଖି ୬ଥର କହିଥିଲେ ଯେ ଜିଏଷ୍ଟି ଦ୍ୱାରା ରାଜ୍ୟ ମାନଙ୍କର ଅର୍ଥନୈତିକ ସ୍ୱାଧୀନତା କ୍ଷେତ୍ରରେ ଏହା କୌଣସି ଅନ୍ତରାୟ ସୃଷ୍ଟି କରିବ ନାହିଁ ଏବଂ ପାଖାପାଖି ୨୭ ଥରରୁ ଅଧିକ ଏହାର ସୁଫଳ ଜନସାଧାରଣ ପାଇବେ ବୋଲି କହିଥିଲେ । ଏକ ରାଷ୍ଟ୍ର ଏକ ଟ୍ୟାକ୍ସ ବୋଲି କହିଥିଲେ । କିନ୍ତୁ ଜିଏଷ୍ଟି ଲାଗୁ ହେବା ଠାରୁ ୫ଟି ସ୍ଲାବରେ କର ଆଦାୟ କରାଯାଉଛି । ଶ୍ରୀ କାନୁନଗୋ କହିଲେ ଯେ କଂଗ୍ରେସ ସରକାର ସମୟରେ କୋଇଲା ଉପରେ ଟନ ପିଛା ୧୦୦ ଟଙ୍କାର ସେସ ବସୁଥିଲା ବେଳେ ଏବେ ୪ ଶହ ଟାଙ୍କାରୁ ଅଧିକ ସେସ ମୋଦି ସରକାର ଆଦାୟ କରୁଛି । ଖାଲି ସେତିକି ନୁହେଁ ପାଖାପାଖି ୨୪ ପ୍ରକାରର ସେସ୍ କେନ୍ଦ୍ର ଆଦାୟ କରୁଛି । ଯେଉଁଥିରୁକି ରାଜ୍ୟ ଓଡ଼ିଶା ସରକାର ଏକ ଟଙ୍କାର ଭାଗ ପାଉନାହାନ୍ତି । କିନ୍ତୁ ଓଡ଼ିଶା ସରକାର ସଂପୂର୍ଣ୍ଣ ନୀରବ ପ୍ରତିବାଦର ସ୍ୱର ନାହିଁ । ଏବେ ପର୍ଯ୍ୟନ୍ତ ରାଜ୍ୟର ୮ ହଜାର କୋଟି ଟଙ୍କାର ଜିଏଷ୍ଟି ବାବଦ ଅର୍ଥ କେନ୍ଦ୍ର ଦେଇ ନାହିଁ । ଏ ବାବଦରେ ଥରୁଟିଏ ନା ମୁଖ୍ୟମନ୍ତ୍ରୀ ନା ଅର୍ଥମନ୍ତ୍ରୀ କୁଆଡ଼େ ମୁହଁ ଖୋଲି ନାହାନ୍ତି । ବିଜେପି ବିଜେଡ଼ି ଉଭୟ ଏକ ରାଜନୈତିକ ଦଳ ଚିନ୍ତା ଓ ଚେତନା । ଓଡ଼ିଶାର ଜନସାଧାରଙ୍କ ଦୁଃଖ, ସମସ୍ୟା ତାଙ୍କ ପାଇଁ ପ୍ରାଥମିକତା ନୁହେଁ । ରାଜନୈତିକ ନାଟକବାଜି କରିବା ତାଙ୍କର ଏକମାତ୍ର ଉଦ୍ଦେଶ୍ୟ । ଗଣମାଧ୍ୟମ ବିଭାଗର ଅଧ୍ୟକ୍ଷ ଶ୍ରୀ ଗଣେଶ୍ୱର ବେହେରା ସାମ୍ବାଦିକ ମାନଙ୍କୁ ସମ୍ବୋର୍ଦ୍ଧିତ କରି କହିଲେ ଯେ ସବକା ସାଥ ଡିଣ୍ଡିମ ପିଟୁଥିବା ସରକାର ସମସ୍ତଙ୍କ ସାଥିରେ ନାହାଁନ୍ତି । ମୋଦି ସରକାର କେବଳ ଧନୀକ ଶ୍ରେଣୀର ସାଂଗରେ ଅଛନ୍ତି । ୫% ଜିଏଷ୍ଟି ଅଟା, ଚୁଡ଼ା, ଦହି, ଲହୁଣି, ଗୁଡ଼ ଓ ଖଇ ଉପରେ ଯେତେବେଳେ ଲଗାଯାଇ ପାରୁଛି କିନ୍ତୁ ସେହି ସମୟରେ ଜୁଆଖେଳ, ଘୋଡ଼ାଦୌଡ଼ ପ୍ରତିଯୋଗିତା ଏବଂ ଲଟେରି ଉପରେ ଜିଏଷ୍ଟି ଟିକସ ବସାଇବା ନିଷ୍ପତି ନେଇପାରୁ ନାହିଁ । କିନ୍ତୁ ଗରିବଙ୍କ ଉପରେ ଜିଏଷ୍ଟି ଲଗାଇବା ନିଷ୍ପତି ଅତିଶୀଘ୍ର ନେଇପାରୁଛି । ଲଗାତାର ଭାବରେ ଖାଉଟି ସୂଚକାଙ୍କ ମୂଲ୍ୟ ଅହେତକୁ ବୃଦ୍ଧି ସତ୍ୱେ ମୁଦ୍ରା ସ୍ପିତି ୭%ରୁ ଅଧିକ ଥିଲା ବେଳେ ଏହି ନିଷ୍ପତି କାହା ସ୍ୱାର୍ଥରେ ବୋଲି ପଚାରିଛନ୍ତି । ଯଦି ଏହି ନିଷ୍ପତିକୁ କେନ୍ଦ୍ର ସରକାର ଅତିଶୀଘ୍ର ପ୍ରତ୍ୟାହାର ନକରନ୍ତି ତାହାହେଲେ କଂଗ୍ରେସ ସାରା ରାଜ୍ୟରେ ଏହା ବିରୋଧରେ ଜନଆନ୍ଦୋଳନ କରିବ । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ପ୍ରଦେଶ କଂଗ୍ରେସ ମୁଖପାତ୍ର ରଜନୀ କୁମାର ମହାନ୍ତି, ଅମୀୟ ପାଣ୍ଡବ ଓ ଗଣମାଧ୍ୟମ ସଂଯୋଜକ ଶ୍ରୀ ଦୀପକ କୁମାର ମହାପାତ୍ର ଉପସ୍ଥିତ ଥିଲେ ।

Leave A Reply

Your email address will not be published.