mobile header

ଆଗାମୀ ୨୫ରେ ଶପଥ ନେବେ ୧୫ତମ ରାଷ୍ଟ୍ରପତି: ଦେଶର ସାମ୍ବିଧାନିକ ମୁଖ୍ୟ ଓ ପ୍ରଥମ ନାଗରିକ

ବର୍ତମାନର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ଆଗାମୀ ୨୪ ତାରିଖରେ ଶେଷ ହେଉଛି । ଏହାପରେ ଦେଶର ୧୫ତମ ରାଷ୍ଟ୍ରପତି ଶପଥ ନେବେ ଦ୍ରୌପଦୀ ମୁର୍ମୁ । ନିଲମ ସଂଜୀବ ରେଡ୍ଡି… କୁହାଯାଉଛି ୧୯୭୭ରେ ନିଲମ ସଂଜୀବ ରେଡ୍ଡି ୨୫ ଜୁଲାଇରେ ଶପଥ ନେଇଥିଲେ । ଆଉ ସେବେଠାରୁ ଦେଶର ନୂଆ ରାଷ୍ଟ୍ରପତି ଏହି ଦିନ ହିଁ ଶପଥ ନେଇଆସୁଛନ୍ତି । ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀରେ ବସୁଥିବା ପ୍ରଥମ ନାଗରିକଙ୍କୁ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଶପଥପାଠ କରାଇଥାନ୍ତି । କେନ୍ଦ୍ର ମନ୍ତ୍ରିମଣ୍ଡଳର ପରାମର୍ଶରେ କାମ କରୁଥିବା ରାଷ୍ଟ୍ରପତିଙ୍କର କିଛି ବିଶେଷ କ୍ଷମତା ମଧ୍ୟ ରହିଛି ।

ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ରହିଛି ରାଷ୍ଟ୍ରପତି ଭବନ । ଯେଉଁଠି ରୁହନ୍ତି ଦେଶର ପ୍ରଥମ ନାଗରିକ । ଏହାକୁ ବ୍ରିଟିଶ ଭାଇସରୟଙ୍କ ପାଇଁ ନିର୍ମାଣ କରାଯାଇଥିଲା । ଯାହାକୁ ନିର୍ମାଣ କରିବା ପାଇଁ ୧୭ ବର୍ଷ ସମୟ ଲାଗିଥିଲା । ଏଡୱାର୍ଡ ଲୁଟିୟନ୍ସ ଏବଂ ହରବର୍ଟ ବେକର ଏହାକୁ ଡିଜାଇନ କରିଥିଲେ । ୧୯୨୯ରେ ଶେଷ ହୋଇଥିଲା ରାଷ୍ଟ୍ରପତି ଭବନର ନିର୍ମାଣ କାମ ।

– ୩୨୦ ଏକର ଜାଗାରେ ନିର୍ମିତ ରାଷ୍ଟ୍ରପତି ଭବନରେ ଅଛି ୪ ମହଲା କୋଠା
– ରାଷ୍ଟ୍ରପତି ଭବନରେ ମୋଟ ୩୪୦ଟି କଠୋରୀ ରହିଛି
– ରାଷ୍ଟ୍ରପତି ଭବନକୁ ତିଆରି କରିବା ପାଇଁ ବ୍ୟବହାର ହୋଇଛି ୪୫ ଲକ୍ଷ ଇଟା
– ଏଠାରେ ମୋଗଲ ଗାର୍ଡେନ ଓ କର୍ମଚାରୀଙ୍କ ପାଇଁ ଆବାସ ମଧ୍ୟ ରହିଛି
– ୧୫ ଏକରରେ ବ୍ୟାପିଥିବା ମୋଗଲ ଗାର୍ଡେନ ଏହାର ମୁଖ୍ୟ ଆକର୍ଷଣ

କୁହାଯାଏ ରାଷ୍ଟ୍ରପତି ନାମକୁ ମାତ୍ର ମୁଖ୍ୟ ଏବଂ ଦେଶର ପ୍ରଧାନମନ୍ତ୍ରୀଙ୍କ ପାଖରେ ସବୁ କ୍ଷମତା ରହୁଛି । ହେଲେ ଦୁଇ ସାମ୍ବିଧାନିକ ପଦବୀର ଅଲଗା ଅଲଗା କ୍ଷମତା ରହିଛି । ପ୍ରଧାନମନ୍ତ୍ରୀଙ୍କ ନିଯୁକ୍ତି ଓ ସମ୍ବିଧାନର ସୁରକ୍ଷା ଦେଶର ରାଷ୍ଟ୍ରପତିଙ୍କ ଦାୟିତ୍ୱ ।

– ୨୦୧୮ ଯାଏଁ ରାଷ୍ଟ୍ରପତିଙ୍କୁ ପ୍ରତି ମାସରେ ଦେଢ଼ ଲକ୍ଷ ଟଙ୍କା ଦରମା ମିଳୁଥିଲା
– ୨୦୧୮ରେ ଦରମା ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଗଲା
– ରାଷ୍ଟ୍ରପତିଙ୍କୁ ମେଡିକାଲ, ଟେଲିଫୋନ୍୍, ବାସଭବନ ଓ ବିଜୁଳି ପାଇଁ ଭତ୍ତା ମିଳୁଛି
– ରାଷ୍ଟ୍ରପତିଙ୍କ ଯିବା ଆସିବା ପାଇଁ ମର୍ସିଡିଜ୍-ବେଞ୍ଜ ଏସ୍-୬୦୦ ପୁଲମ୍ୟାନ୍ ଗାର୍ଡ ଗାଡ଼ି ମିଳେ
– ରାଷ୍ଟ୍ରପତିଙ୍କ ପାଖରେ ୮୬ ଜଣିଆ ସ୍ୱତନ୍ତ୍ର ଗାର୍ଡ ଥାନ୍ତି, ଯାହାଙ୍କୁ ପ୍ରେସିଡେନ୍ସିଆଲ ବଡିଗାର୍ଡ କୁହାଯାଏ
– ସେବା ନିବୃତି ପରେ ରାଷ୍ଟ୍ରପତିଙ୍କୁ ଅଧା ଦରମା ଅର୍ଥାତ୍ ଅଢ଼େଇ ଲକ୍ଷ ଟଙ୍କାର ପେନସନ୍ ମିଳେ
– ମାଗଣା ଘର, ଦୁଇଟି ମୋବାଇଲ୍ ଫୋନ୍ ଓ ଆଜୀବନ ମାଗଣା ଚିକିତ୍ସା ସୁବିଧା ଦିଆଯାଏ
– ପୂର୍ବତନ ରାଷ୍ଟ୍ରପତିଙ୍କୁ ଜଣେ ସହଯୋଗୀଙ୍କ ସହ ଟ୍ରେନ୍ କିମ୍ବା ବିମାନ ଯାତ୍ରା ସୁବିଧା ମିଳିଥାଏ

ତିନି ସେନାର ସୁପ୍ରିମ କମାଣ୍ଡର ହେଉଛନ୍ତି ରାଷ୍ଟ୍ରପତି । କୌଣସି ଅପରାଧ ପାଇଁ ଦୋଷୀଙ୍କ ଦଣ୍ଡକୁ କ୍ଷମା କରିବାର ଅଧିକାର ରାଷ୍ଟ୍ରପତିଙ୍କ ନିକଟରେ ରହିଛି । ଏପରିକି ଫାଶୀ ଦଣ୍ଡାଦେଶ ପାଇଥିବା ଦୋଷୀଙ୍କ ଉପରେ ମଧ୍ୟ ନିଷ୍ପତି ନେଇପାରନ୍ତି ।

Leave A Reply

Your email address will not be published.