mobile header

ନିତି ଆୟୋଗର ନବସୃଜନ ସୂଚକାଙ୍କ: ଦୁଇ ପାହାଚ ତଳକୁ ଖସି ୧୬ରେ ଓଡ଼ିଶା

ନୂଆଦିଲ୍ଲୀ: ରାଜ୍ୟଗୁଡିକର ନବସୃଜନ ସାମର୍ଥ ଓ ପ୍ରର୍ଦଶନକୁ ତଉଲିବା ପାଇଁ ପ୍ରସ୍ତୁତ କରାଯାଇଥିବା ସୂଚକାଙ୍କକୁ ନିତି ଆୟୋଗ ପକ୍ଷରୁ ଆଜି ଜାରି କରାଯାଇଛି। ନବସୃଜନ ସୂଚକାଙ୍କ ୨୦୨୧ ସଂସ୍କରଣରେ ଓଡ଼ିଶା ନୈରାଶ୍ୟଜନ ପ୍ରଦର୍ଶନ କରି ୧୬ ସ୍ଥାନକୁ ଖସିଆସିଛି। ପୂର୍ବ ସଂସ୍କରଣରେ ଓଡ଼ିଶାର ସ୍ଥାନ ୧୪ ଥିଲା। ପ୍ରଥମ ସଂସ୍କରଣରେ ଓଡ଼ିଶାର ସ୍ଥାନ ୧୨ ଥିଲା। ପ୍ରତି ସଂସ୍କରଣରେ ଏହାର ସ୍ଥିତିରେ ଅବନତି ହେଉଛି।

ଚଳିତ ସଂସ୍କରଣରେ ଓଡିଶା ୧୧.୪୨ ନମ୍ବର ରଖିଥି ୧୬ ସ୍ଥାନରେ ରହିଛି। ନବସୃଜନକୁ ସମର୍ଥ କରାଇବାରେ ୧୫.୧୯ ନମ୍ବର ରଖି ଏହା ୧୬ ଏବଂ ପ୍ରର୍ଦଶନ କ୍ଷେତ୍ରରେ ୭.୬୪ ନମ୍ବର ସହ ୧୫ ସ୍ଥାନରେ ରହିଛି। ସାତଟି ମାନଦଣ୍ଡରେ ଓଡ଼ିଶା ରଖିଥିବା ସ୍କୋରକୁ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ମାନବ ପୁଞ୍ଜି, ବ୍ୟାବସାୟିକ ପରିବେଶ, ନିରାପତ୍ତା ଓ ନ୍ୟାୟିକ ପରିବେଶ ଏବଂ ଜ୍ଞାନ ଫଳାଫଳ କ୍ଷେତ୍ରରେ ଓଡ଼ିଶାର ପ୍ରଦର୍ଶନ ଭଲ ରହିଛି। ମାନବ ପୁଞ୍ଜିରେ ଓଡିଶା ୨୪.୬୨ ନମ୍ବର ରଖିଛି। ସେହିଭଳି ବ୍ୟାବସାୟିକ ବାତାବରଣରେ ଓଡିଶାକୁ ୨୨.୮୦ ଏବଂ ନିରାପତ୍ତା ଓ ନ୍ୟାୟିକ ପରିବେଶରେ ୨୧.୬୬ ନମ୍ବର ମିଳିଛି। ନବସୃଜନର ଗୁରତ୍ବପୂର୍ଣ୍ଣ ସୁଚକାଙ୍କରେ ଓଡିଶାର ପ୍ରର୍ଦଶନ ସନ୍ତୋଷଜନକ ନୁହେଁ। ରିପୋର୍ଟ ଅନୁସାରେ ବିଦେଶୀ ପୁଞ୍ଜି ନିବେଶର ଅବଦାନ ରାଜ୍ୟର ଜିଡିପିରେ ‌ମାତ୍ର ୦.୦୭ ପ୍ରତିଶତ ରହିଥିଲା। ନବସୃଜନରେ ଗବେଷଣା ଓ ବିକାଶ ବହୁତ ଗୁରୁତ୍ବପୁର୍ଣ୍ଣ ରହିଥିବାବେ‌ଳେ ସେଥି‌ରେ ବ୍ୟୟ ବହୁତ କମ୍ ରହିଛି। ଓଡିଶାକୁ ଜ୍ଞାନ ଫଳାଫଳରେ ୧୧.୮୨ ନମ୍ବର ମିଳିଛି। ରିପୋର୍ଟ ଅନୁସାରେ ନିବେଶରେ ୪.୭୬, ଜ୍ଞାନ କର୍ମଚାରୀରେ ୨.୧୨ ଓ ଜ୍ଞାନପ୍ରସାର କ୍ଷେତ୍ରରେ ଓଡିଶାକୁ ୩.୪୬ ନମ୍ବର ମିଳିଛି।

ନବସୃଜନ ସୁଚକାଙ୍କରେ ବୃହତ ବର୍ଗରେ କର୍ଣ୍ଣାଟକ ପ୍ରଥମ ସ୍ଥାନରେ ଥିବାବେଳେ ଏହା ପଛକୁ ତେଲେଙ୍ଗାନା ଓ ହରିୟାଣା ରହିଛି। ଉତ୍ତରାଞ୍ଚଳ ଓ ପାର୍ବତ୍ୟାଞ୍ଚଳ ରାଜ୍ୟ ବର୍ଗରେ ମଣିପୁର ପ୍ରଥମ ସ୍ଥାନରେ, ଉତ୍ତରାଖଣ୍ଡ ଦ୍ବିତୀୟ ଏବଂ ମେଘାଳୟ ତୃତୀୟ ସ୍ଥାନରେ ରହିଛି। କେନ୍ଦ୍ର ଶାସିତ ଅଞ୍ଚଳ ବର୍ଗରେ ଚଣ୍ଡିଗଡ ପ୍ରଥମ ସ୍ଥାନରେ, ଦିଲ୍ଲୀ ଦ୍ବିତୀୟ ସ୍ଥାନରେ ଓ ଆଣ୍ଡାମାନ ନିକୋବାର ତୃତୀୟ ସ୍ଥାନରେ ରହିଛି। ସୂଚକାଙ୍କକୁ ବୃହତ ରାଜ୍ୟ, ଉତ୍ତରାଞ୍ଚଳ ଓ ପାର୍ବତ୍ୟାଞ୍ଚଳ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ଭଳି ତିନି ବର୍ଗରେ ପ୍ରସ୍ତୁତ କରାଯାଇଛି।

Leave A Reply

Your email address will not be published.