ଭୁବନେଶ୍ଵର: ଦେଶ କୁ ମିଳିଛି ନୂଆ ରାଷ୍ଟ୍ରପତି । ଦେଶର ପଞ୍ଚଦଶ ରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି ଦ୍ରୌପଦୀ ମୁର୍ମୁ। ସେ ଦେଶ ସ୍ଵାଧୀନତା ପରେ ଜନ୍ମିତ ପ୍ରଥମ ଏବଂ ସର୍ବକନିଷ୍ଠ ରାଷ୍ଟ୍ରପତି।
ତେବେ ଏବେ ତାଙ୍କ ଉପରେ ଲେଖାଯିବ ଆତ୍ମଜୀବନି। ପୁସ୍ତକର ରଚନା କରିବେ ବରିଷ୍ଠ ସାମ୍ବାକ ସନ୍ଦୀପ ସାହୁ। ପେଙ୍ଗୁଇନ ରେଣ୍ଡମ ହାଉସ ଇଣ୍ଡିଆ(ପିଆରଏଚଆଇ) ମଙ୍ଗଳବାର ଏହାର ଘୋଷଣା କରିଛି।
‘ମ୍ୟାଡମ ପ୍ରେସିଡେଣ୍ଟ: ଏ ବାୟୋଗ୍ରାଫି ଅଫ ଦ୍ରୌପଦୀ ମୁର୍ମୁ’ ଭାରତର ୧୫ତମ ରାଷ୍ଟ୍ରପତିଙ୍କ ଏହା ପ୍ରଥମ ପ୍ରାମାଣିକ ବାୟୋଗ୍ରାଫି ହେବ। ଏଥିରେ ତାଙ୍କର ବାଲ୍ୟଜୀବନ, ସଂଘର୍ଷ, ରାଜନୈତିକ ଜୀବନ ଏବଂ କାଉନସିଲରରୁ ରାଷ୍ଟ୍ରପତି ପର୍ଯ୍ୟନ୍ତ ଯାତ୍ରା ସବୁ ଉଲ୍ଲେଖ ରହିବ। ଆଉ ରାଷ୍ଟ୍ରପତିଙ୍କ ବାୟୋଗ୍ରାଫି ଲେଖିବାର ସୌଭାଗ୍ୟ ଓଡିଶାର ବରିଷ୍ଠ ସାମ୍ବାଦିକ ସନ୍ଦୀପ ସାହୁଙ୍କୁ ମିଳିଛି। ସାହୁ କହିଛନ୍ତି, ପେଙ୍ଗୁଇନ ଇଣ୍ଡିଆ ଏ ନେଇ ମୋ ସହ ଯୋଗାଯୋଗ କରିଥିଲେ। ରାଷ୍ଟ୍ରପତିଙ୍କ ଉପରେ ପୁସ୍ତକ ଲେଖାଯିବାର କେତେ ସମ୍ଭାବନା ରହିଛି ପଚାରିଥିଲେ। ପୁସ୍ତକ ଭାରତର ରାଷ୍ଟ୍ରପତି ହୋଇଥିବା ପ୍ରଥମ ଆଦିବାସୀ ମହିଳାଙ୍କ ଉପରେ ଲେଖାଯିବ, ଯାହାଙ୍କ ଜୀବନି ବାସ୍ତବରେ ଐତିହାସିକ ରହିଛି।
ସନ୍ଦୀପ ସାହୁ କହିଛନ୍ତି, ସେ ଓଡିଶାର ଆଦିବାସୀ ବହୁଳ ମୟୂରଭଞ୍ଜ ଜିଲ୍ଲାର ବାସିନ୍ଦା। ସେଠାରେ ସେ ନିଜର ପୂରା କିଶୋରବସ୍ଥା ବିତାଇଛନ୍ତି। ପୁସ୍ତକ ଲେଖାଯିବାର ଏହା ଏକ ପ୍ରମୁଖ କାରଣ ବୋଲି ସେ କହିଛନ୍ତି। ଏହି ପୁସ୍ତକ ମୟୂରଭଞ୍ଜର ଏକ ଛୋଟ ଗାଁରୁ ରାଷ୍ଟ୍ରପତି ଭବନ ପର୍ଯ୍ୟନ୍ତ ରାଷ୍ଟ୍ରପତି ମୁର୍ମୁଙ୍କ ଅଦ୍ଭୁତପୂର୍ବ ଯାତ୍ରାର ବର୍ଣ୍ଣନା କରିବ। ନଭେମ୍ବରରୁ ଡିସେମ୍ବର ମଧ୍ୟରେ ପୁସ୍ତକଟି ପ୍ରକାଶ ପାଇବ। ପ୍ରଥମେ ଇଂରାଜୀ ଏବଂ ପରବର୍ତ୍ତୀ ସମୟରେ ଅନ୍ୟ ଭାଷାରେ ପୁସ୍ତକ ପ୍ରକାଶ ପାଇବ।