ଉଚ୍ଚତ୍ତମ ପର୍ବତ ଦେଓମାଳି କାହାର?

ପିଲା ବେଳେ ବହିରେ ପଢ଼ିଥିଲେ ଓଡ଼ିଶାର ଉଚ୍ଚତ୍ତମ ପର୍ବତ ହେଉଛି ଦେଓମାଳି। ହେଲେ ପିଲାରୁ ବଡ଼ ହେବା ପରେ ଜଣାପଡ଼ୁଛି, ଓଡ଼ିଶାର ଦେଓମାଳି ପର୍ବତ ଜଙ୍ଗଲ ବିଭାଗ ଖାତାରେ ନାହିଁ କି ରାଜସ୍ୱ ବିଭାଗ ଖାତାରେ ନାହିଁ। ତେବେ ଏଠି ପ୍ରଶ୍ନ ଉଠୁଛି, ଓଡ଼ିଶା ପର୍ଯ୍ୟଟନ ବିଭାଗରେ ସୌନ୍ଦର୍ଯ୍ୟ ମଣ୍ଡନ କରୁଥିବା ଦେଓମାଳି ଏବେ ଅଛି କାହାର?

ଓଡ଼ିଶାର ଉଚ୍ଚତ୍ତମ ପର୍ବତ ହେଉଛି ଦେଓମାଳି। ସମୁଦ୍ର ପତ୍ତନଠାରୁ ପ୍ରାୟ ୫ ହଜାର ୪୮୬ ଫୁଟ୍‌ ଉଚ୍ଚତାରେ କୋରାପୁଟ ଜିଲ୍ଲାରେ ରହିଛି ଉଚ୍ଚତମ ପର୍ବତ ଦେଓମାଳି। ଏହାର ପ୍ରକୃତିକ ସୌନ୍ଦର୍ଯ୍ୟ ଅତିବ ମନୋରମ। ସେଥିପାଇଁ ତ ପ୍ରତିବର୍ଷ ହଜାର ହଜାର ପର୍ଯ୍ୟଟକ ସେଠାକୁ ଯାଉଛନ୍ତି। ଆଉ ଦେଓମାଳିର ସୌନ୍ଦର୍ଯ୍ୟକୁ ମନୋଭରି ଉପଭୋଗ କରୁଛନ୍ତି। ଓଡ଼ିଶା ପର୍ଯ୍ୟଟନରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିବା ଦେଓମାଳିକୁ ନେଇ ନୂଆ ବିବାଦ ଦେଖାଦେଇଛି। କାରଣ ରାଜ୍ୟ ସରକାରଙ୍କ ଖାତା ଖତିଆନରେ ନାହିଁ ଦେଓମାଳି। ଏକଥା ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱନୀ ପାତ୍ର ବିଧାନସଭାରେ କହିଛନ୍ତି। ଦୁଇ ଦିନ ତଳେ ବିଧାନସଭାରେ ମନ୍ତ୍ରୀ ଶ୍ରୀ ପାତ୍ର କହିଥିଲେ, ଦେଓମାଳି ନା ଜଙ୍ଗଲ ବିଭାଗ ଖାତାରେ ଅଛି, ନା ରାଜସ୍ୱ ବିଭାଗ ଖାତାରେ ଅଛି। ତା’ହେଲେ ଦେଓମାଳି ଅଛି କେଉଁଠି? କାହା ରେକର୍ଡରେ ଅଛି? କେଉଁ ଖାତାରେ ଅଛି ଦେଓମାଳି? ଗୃହରେ ମନ୍ତ୍ରୀଙ୍କ ତଥ୍ୟ ପରେ ଏସବୁ ପ୍ରଶ୍ନ ଉଠିବା ସହ ବିବାଦ ମଧ୍ୟ ତେଜିଛି।

ଉଭୟ କଂଗ୍ରେସ ଓ ବିଜେପି ଏନେଇ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିବା ସହ ତୁରନ୍ତ ସବୁ ପ୍ରକାର ତଥ୍ୟ ସଂଗ୍ରହ କରି ଆବଶ୍ୟକ ପଦକ୍ଷେପ ନେବାକୁ ଦାବି କରିଛନ୍ତି। ସେପଟେ ଆଜି ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱନୀ ପାତ୍ର ସଫେଇ ଦେଇ କହିଛନ୍ତି, ଯାହା ରେକର୍ଡ ଥିଲା ତାହା ଗୃହରେ ଉପସ୍ଥାପିତ କରିଛି। ତେବେ ସମଗ୍ର ସଂପତ୍ତି ଓଡ଼ିଶାର। ପର୍ବତମାଳରେ ଥିବା ଗାଁ ଗୁଡିକ ମଧ୍ୟ ଓଡ଼ିଶାର। ତେଣୁ କିଭଳି ଏହାକୁ ରେକର୍ଡକୁ ଅଣାଯିବ ସେ ନେଇ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।

ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲ୍ଲା କୋଟିଆକୁ ନେଇ ବିବାଦ ଲାଗି ରହିଛି। ଏହି ଅଞ୍ଚଳକୁ ନେବା ପାଇଁ ପଡ଼ୋଶୀ ଆନ୍ଧ୍ରପ୍ରଦେଶ ସରକାର ଚକ୍ରବ୍ୟୂର ରଚି ଚାଲିଛି। ଅନ୍ୟପକ୍ଷରେ ରତ୍ନଗର୍ଭା ଦେଓମାଳି ଆନ୍ଧ୍ରର ଲୋଲୁପ ଦୃଷ୍ଟିରେ, ତାହା କାହାକୁ ଅଛପା ନାହିଁ। କାରଣ ଗଲାବର୍ଷ ନଭେମ୍ବର ୨୧ ତାରିଖରେ ଆନ୍ଧ୍ରର ବିଜୟନଗରର ଜିଲ୍ଲାପାଳଙ୍କ ସମେତ ୬୦ରୁ ୭୦ ଜଣ ପ୍ରଶାସନିକ ଅଧିକାରୀ ପ୍ରାୟ ୧୫ଟି ସରକାରୀ ଗାଡ଼ିରେ ଦେଓମାଳି ଆସି ଭୋଜିଭାତ କରି ଯାଇଛନ୍ତି। ଆଉ ଏତିକିବେଳେ ଦେଓମାଳିର ରେକର୍ଡ ନ ଥିବା ନୂଆ ବିବାଦକୁ ଜନ୍ମ ଦେଇଛି।

Leave A Reply

Your email address will not be published.