ରାଜ୍ୟରେ ପୋଲିସ ବ୍ୟବସ୍ଥା ଓ ପୋଲିସ ଅଧିକାରୀଙ୍କୁ ନେଇ ସାଧାରଣ ଜନତା କଣ ଭାବେ ତାହା ସମସ୍ତେ ଜାଣନ୍ତି । ସେ କିନ୍ତୁ ଏ ପୋଲିସ ବ୍ୟବସ୍ଥା ଭିତରେ ହେଉଛନ୍ତି ଏକ ବ୍ୟତିକ୍ରମ । ଖାକି ପୋଷାକ ଭିତରେ ଥିବା ଜଣେ ସମାଜସେବୀ ଆଉ ଜଣେ ଦରଦୀ ମଣିଷ । ଜଣେ ପୋଲିସ ଅଧିକାରୀଙ୍କ ବିଷୟରେ ଏମିତି ଶୁଣିଲେ ଆଶ୍ଚର୍ଯ୍ୟ ଲାଗେ କିନ୍ତୁ ଏହା ଶହେ ପ୍ରତିଶତ ସତ । ସେଦିନ ରାସ୍ତାରେ ଯାଉଥିବା ବେଳେ ବରଗଡ଼ ଜିଲ୍ଲା ଗାଇସିଲେଟ ଥାନା ଅଧିକାରୀ ବିରବର ଭଗତଙ୍କ ନଜର ପଡ଼ିଥିଲା ଜଣେ ମାନସିକ ବିକୃତ ଲୋକଙ୍କ ଉପରେ। ତୁରନ୍ତ ସେଠାରେ ଅଟକି ସେ ଲୋକଟିକୁ ନିଜ ସାଥିରେ ଥାନା କୁ ନେଇଆସିଲେ । ଅପରିଷ୍କାର ଦିଶୁଥିବା ଲୋକଟିର ଦାଢ଼ି ଚୁଟି କାଟି ନିଜେ ସାବୁନ ଲଗାଇ ଗାଧୋଇ ଦେଇ ପୋଛି ପାଛି ଦେଇଥିଲେ । ଥାନା ଅଧିକାରୀ ଶ୍ରୀ ଭଗତଙ୍କୁ ଏହି କାମରେ ସାହାଯ୍ୟ କରିଥିଲେ ପୋଲିସ ଅଫିସର ମନୋଜ ପ୍ରଧାନ, ASI ସୁରୁ ଧରୁଆ ,କନଷ୍ଟବଳ ବାବୁଲାଲ ସ୍ବାଇଁ,ନିତ୍ୟାନନ୍ଦ ସେଠ୍, ହୋମଗାର୍ଡ ଲୋକନାଥ କୁମ୍ଭାର,ବିପ୍ର ଭୋଇ, ସାମାଜିକ କର୍ମୀ ମନୋଜ ଦାସ, ନରସିଂହ କଲେତ୍, ଦୁର୍ଯ୍ୟୋଧନ ସାହୁ, ଥାନା ଅଧିକାରୀ ତାଙ୍କୁ ନୂଆ ଡ୍ରେସ୍ କିଣି ପିନ୍ଧେଇ ଦେଇ ନିଜ ହାତରେ ଖୁଆଇ ଦେଇଥିଲେ । ଡାକ୍ତର ଯଶୋବନ୍ତ ମେହେର ଏବଂ ଫାର୍ମାସିଷ୍ଟ ଶିବାନନ୍ଦ ପ୍ରଧାନ ତାର ପ୍ରାଥମୀକ ଚିକିତ୍ସା କରିଥିବା ବେଳେ ଥାନା ରେ ଉପସ୍ଥିତ ଥିବା ଲୋକେ ଥାନା ଅଧିକାରୀ ଙ୍କ ଏଭଳି କାମକୁ ଦେଖି ଖୁବ୍ ପ୍ରଶଂସା କରିଥିଲେ ।
