xmas

ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ନିମନ୍ତେ ଋଣ ମେଳା, ଷ୍ଟାର୍ଟଅପ୍ ପାଇଁ ଯୁବପିଢୀଙ୍କ ବଢିଛି ଉତ୍ସାହ

ଭୁବନେଶ୍ୱର: ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ଦେଶର ଅର୍ଥନୈତିକ ଅଭିବୃଦ୍ଧି ତଥା ନିଯୁକ୍ତି କ୍ଷେତ୍ର ଏବଂ ନୂତନ ଉଦ୍ଭାବନରେ ଯଥେଷ୍ଟ ଯୋଗଦାନ କରିଥାନ୍ତି । କିନ୍ତୁ ତାଙ୍କର ଯଥେଷ୍ଟ ଯୋଗଦାନ ସତ୍ତ୍ୱେ ଉକ୍ତ ସଂସ୍ଥାମାନ ଅନେକ ସମୟରେ ବିଭିନ୍ନ ଆର୍ଥିକ ସଂସ୍ଥା ଦ୍ୱାରା ବିଭିନ୍ନ ପ୍ରକାର ଅବହେଳାର ଶିକାର ହେବାର ନଜିର ରହିଛି। ଏହି ସମସ୍ୟା କେବଳ ଭାରତ ନୁହେଁ, ବରଂ ବିଶ୍ୱର ସମସ୍ତ ଉନ୍ନତି କରୁଥିବା ଦେଶର ଏକ ମୁଖ୍ୟ ସମସ୍ୟା ଭାବେ ଗଣାଯାଏ। ବ୍ୟବସାୟ ନିମନ୍ତେ ଅର୍ଥାଭାବର ସମସ୍ୟାକୁ ଦେଖିବାକୁ ଗଲେ ଜଣାପଡ଼େ ଯେ କୌଣସି ଏକପାଖିଆ ନିଷ୍ପତ୍ତି ଏହି ସମସ୍ୟାର ସମାଧାନ ପାଇଁ ଯଥେଷ୍ଟ ନୁହେଁ ବା ଉକ୍ତ ସମସ୍ୟାର ସମାଧାନର ସୂତ୍ର ସହ ଉକ୍ତ ଶିଳ୍ପର ଉନ୍ନତି ପାଇଁ ଏକ ଅନୁକୂଳ ପରିବେଶ ମଧ୍ୟ ପ୍ରଦାନ କରିନାହିଁ । ଏହି ସମସ୍ୟା ତଥା ଏହି ଋଣ ଦେବାର ସମାଧାନ ନିମନ୍ତେ ନୂତନ ଅର୍ଥନୀତି ଏବଂ ଆର୍ଥିକ ଯୋଜନା ନିତ୍ୟାନ୍ତ ଆବଶ୍ୟକ ବୋଲି ବକ୍ତାମାନେ ପ୍ରକାଶ କରିଛନ୍ତି। ଉକ୍ତ ସମସ୍ୟାକୁ ଦୃଷ୍ଟିରେ ରଖି ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ବିଭାଗ, ଓଡ଼ିଶା ସରକାର ଓ ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ବିଭାଗ – ଡିଏଫ୍‌ଓ, କଟକ, ଭାରତ ସରକାରଙ୍କ ମିଳିତ ସହଯୋଗ ସହ ଇଣ୍ଡିଆନ ଚାମ୍ବର ଅଫ୍ କମର୍ସ ଆନୁକୂଲ୍ୟରେ ଏକ ‘ଲୋନ୍ ମେଳା ଫର୍ ଏମ୍‌ଏସ୍‌ଏମ୍‌ଇ/ ଷ୍ଟାର୍ଟଅପ୍‌’ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ରାଜ୍ୟ ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ବିଭାଗ, ଶକ୍ତି ବିଭାଗ ମନ୍ତ୍ରୀ ପ୍ରତାପ କେଶରୀ ଦେବ ଏହି ମେଳାକୁ ଉଦ୍‌ଘାଟନ କରି କହିଛନ୍ତି ୨୦ ବର୍ଷ ପୂର୍ବରୁ ଷ୍ଟାର୍ଟଅପ୍ କମ୍ପାନୀ ପାଇଁ ଯୁବପିଢୀଙ୍କ ମଧ୍ୟରେ ଏତେ ଆଗ୍ରହ ନଥିଲା। ବର୍ତ୍ତମାନ ଷ୍ଟାଟଅପ୍ ପାଇଁ ଅଧିକ ଉତ୍ସାହ ଦେଖିବାକୁ ମିଳୁଛି।

ଏଥିପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି। ସମ୍ମାନିତ ଅତିଥି ଭାବେ ରଞ୍ଜନା ଚୋପ୍ରା, ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ବିଭାଗ ମୁଖ୍ୟ ସମ୍ପାଦିକା, ଓଡ଼ିଶା ସରକାର, ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆର କ୍ଷେତ୍ରୀୟ ମୁଖ୍ୟ ପ୍ରବନ୍ଧକ ଶ୍ରୀଯୁକ୍ତ ଚନ୍ଦ୍ରଶେଖର ଶର୍ମା ଯୋଗ ଦେଇଥିଲେ। ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ଉକ୍ତ କାର୍ୟ୍ୟକ୍ରମର ସହଯୋଗୀ ଥିବା ବେଳେ ବ୍ୟାଙ୍କ୍ ଅଫ ବରୋଦା, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ୍‌, ଇଣ୍ଡିଆନ୍ ବ୍ୟାଙ୍କ୍ ଏବଂ ଆଇଡ଼ିବିଆଇ ପରି ପ୍ରମୁଖ ବ୍ୟାଙ୍କ୍ ମାନେ ଉକ୍ତ ମେଳରେ ଭାଗ ନେଇଥିଲେ। ଆଇସିସିର ଅଧ୍ୟ ଜେବି ପାଣିଙ୍କ ଅଧ୍ୟକ୍ଷତାରେ ଆବାହକ ରାଜୀବ ଏସ୍ ସାହୁ, ସହ ଆବାହକ ତନୟା ପଟ୍ଟନାୟକ, ଏଗ୍ରି ଆଣ୍ଡ ଫୁଡ଼୍ ପ୍ରୋସେସିଂ ୟୁନିଟ୍‌ର ଆବାହକ ଶ୍ରୀରାମ ପଣ୍ଡା, ଇଭାନଜେଲିଷ୍ଟ ଷ୍ଟାଟଅର୍ପ ଓଡ଼ିଶାର ଡ଼. ସଞ୍ଜୁକ୍ତା ବଢାଇ ଓ ଏମ୍‌ଏସ୍‌ଏମ୍‌ଇ ଡ଼ି.ଏଫ୍‌.ଓର ଯୁଗ୍ମ ନିର୍ଦ୍ଦେଶକ ପି.କେ ଗୁପ୍ତା, ବ୍ୟାଙ୍କ ଅଫ୍ ବରୋଦାର ଆଞ୍ଚଳିକ ମୁଖ୍ୟ ରାଜୀବ କ୍ରିଷ୍ଣା, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ଜୋର୍ନାଲ ମ୍ୟାନେଜର ଉଦୟ ଭାସ୍କର ରେଡ୍ଡୀ ଉଲଥୁରୁ, ଷ୍ଟେଟ୍ ବ୍ୟାଙ୍କ୍ ଇଣ୍ଡିଆର ଡିଜିଏମ୍ ରମେଶ ଚନ୍ଦ୍ର ୟାଦବ ଓ ଇଣ୍ଡିଆନ ବ୍ୟାଙ୍କର ଜୋର୍ନାଲ ମୁଖ୍ୟ ଭି.ଶଙ୍କର ରାଜୁ ପ୍ରମୁଖ ଉପସ୍ଥିତ ବିଭିନ୍ନ ଅଧିବେଶନରେ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଆଇସିସି ଓଡ଼ିଶା କାଉନ୍‌ସିଲ୍‌ର ଆଞ୍ଚଳିକ ନିର୍ଦ୍ଦେଶକ ଜ୍ୟୋତିପ୍ରକାଶ ପାଲ୍ ଓ ଆଇସିସିର ଅନ୍ୟାନ୍ୟ ପ୍ରମୁଖ ସଦସ୍ୟ ଉପସ୍ଥିତ ଥିଲେ। ଦକ୍ଷତା ଏବଂ ଶିକ୍ଷା କମିଟିର ଉପଦେଷ୍ଟା ଡ଼. ବଦ୍ରିନାଥ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.