ଖୁଣ୍ଟା – ଆଶା ଥିଲା ଶଶୁର ଘର ଲୋକଙ୍କୁ ଚାଷ କାର୍ଯ୍ୟରେ ସାହାର୍ଯ୍ୟ କରିବା । ଯାହାକୁ ନେଇ ସ୍ତ୍ରୀ କୁ ନେଇ ଜ୍ଵାଇଁ ଆସିଥିଲା ଶଶୁର ଘରକୁ । ମାତ୍ର ବିଧିର ବିଧାନ ଥିଲା ଭିନ୍ନ । ଏବଂ ଚାଷ କାର୍ଯ୍ୟ ପାଇଁ ଶଶୁର ଘରକୁ ସାହାର୍ଯ୍ୟ କରିବାକୁ ଆସିଥିବା ଜ୍ଵାଇଁ ବଜ୍ରଘାତରେ ଶିକାର ହୋଇ ଜମି ରେ ଟଳି ପଡ଼ିଲେ । ତାଙ୍କ ସହିତ ଅନ୍ୟ ୫ ଗୁରୁତର । ଏଭଳି ଦୁଃଖଦ ଘଟଣା ଘଟିଯାଇଛି ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅଧିନସ୍ଥ କନ୍ଦଳିଆ ଗ୍ରାମରେ । ଯାହାକୁ ନେଇ ସଂପୃକ୍ତ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି କରିଛି । ଘଟଣାରୁ ପ୍ରକାଶ ଯେ , ଖୁଣ୍ଟା ଥାନା ଅଧିନ କନ୍ଦଳିଆ ଗ୍ରାମର ଅଜୟ ସରେନଙ୍କୁ ଚାଷ କାର୍ଯ୍ୟରେ ସାହାର୍ଯ୍ୟ କରିବା ପାଇଁ ତାଙ୍କର କେତେକ ସଂମ୍ପର୍କୀୟମାନେ କନ୍ଦଳିଆ ଗ୍ରାମକୁ ଆସିଥିଲେ । ତେବେ ସୋମବାର ଅପରାହ୍ନ ସମୟରେ ସଂମ୍ପର୍କୀୟମାନେ କ୍ଷେତରେ ରୁଆବେଉଷଣ ଆଦି କାର୍ଯ୍ୟରେ ନିୟୋଜିତ ଥିବା ବେଳେ ଆକସ୍ମିକ ବଜ୍ରପାତ ଘଟିଥିଲା । ଏବଂ ଏହି ବଜ୍ରଘାତରେ ଗୋରୁମହିଶାଣୀ ଥାନା ରାକାଡ଼ିହ ଗ୍ରାମର ଭିଣେଇ ଜଗା ମୁର୍ମୁ (୨୮) ଓ ଭଉଣୀ ରାନୀ ମୁର୍ମୁ (୨୫) , କନ୍ଦଳିଆ ଗ୍ରାମର ରାଇମଣୀ ସରେନ (୬୨) , ବଡ଼ସାହି ଥାନା ଅଧିନ ଗଜଡିହ ଗ୍ରାମର ତୁଳସୀ ସରେନ (୪୦) , ବାରିପଦା ସଦର ଥାନା ଅନ୍ତର୍ଗତ ବଡ଼ବିଲା ଗ୍ରାମର ନିମାଏଁ ମାରଣ୍ଡି ଙ୍କ ସମେତ ସଂମ୍ପର୍କୀୟଙ୍କ ସହ କ୍ଷେତକୁ ଯାଇଥିବା କନ୍ଦଳିଆ ଗ୍ରାମର ତଥା ଅଜୟ ସରେନଙ୍କ ୬ ବର୍ଷୀୟା ନାବାଳିକା ଝିଅ ଜ୍ୟୋତି ସରେନ ଏହି ବଜ୍ରଘାତରେ ଶିକାର ହୋଇ ଗୁରୁତର ହୋଇ କ୍ଷେତରେ ଟଳିପଡ଼ିଥିଲେ । ପରବର୍ତ୍ତୀ ସମୟରେ ଗୁରୁତର ଥିବା ୬ ଜଣଙ୍କୁ ଚିକିତ୍ସା ନିମନ୍ତେ ନିକଟସ୍ଥ ଡ଼ୁକୁରା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ମାତ୍ର ଡାକ୍ତର ଜଗାଙ୍କୁ ମୃତ ବୋଲି ଘୋଷଣା କରିଥିଲେ । ତେବେ ଏହି ବଜ୍ରଘାତରେ ଶିକାର ହୋଇଥିବା ଅନ୍ୟ ୫ ଜଣଙ୍କ ମଧ୍ୟରୁ ମୃତକ ଜଗାଙ୍କ ଶାଶୁ ତଥା ଅଜୟଙ୍କ ମାଆ ରାଇମଣୀଙ୍କ ସ୍ଵାସ୍ଥ୍ୟବସ୍ଥା ଉଦବେଗଜନକ ଥିବାରୁ ତାଙ୍କୁ ଉଚ୍ଚତର ଚିକିତ୍ସା ନିମନ୍ତେ ବାରିପଦା ସ୍ଥିତ ମେଡ଼ିକାଲ କଲେଜକୁ ସ୍ଥାନାନ୍ତରୀତ କରାଯାଇଥିବା ବେଳେ ଅନ୍ୟ ଆକ୍ରାନ୍ତ ମାନଙ୍କର ସ୍ଵାସ୍ଥ୍ୟବସ୍ଥା ସ୍ଥିର ଥିବା ଚିକିତ୍ସା କେନ୍ଦ୍ର ପକ୍ଷରୁ ଜଣାପଡିଛି । ଅପରପକ୍ଷେ ଘଟଣା ସଂମ୍ପର୍କରେ ସୁଚନା ପାଇ ଖୁଣ୍ଟା ପୋଲିସ ଚିକିତ୍ସା କେନ୍ଦ୍ରରେ ପହଞ୍ଚି ମୃତ ଶରୀରଟିକୁ ବ୍ୟବଛେଦ ନିମନ୍ତେ ପଠାଇଥିବା ବେଳେ ଏଥିନେଇ ସ୍ଥାନୀୟ ଥାନାରେ ୪୭/ ୨୨ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଥିବା ଜଣାଯାଇଛି ।
