xmas

ଭାଷା ପ୍ରତିବନ୍ଧକ ହେତୁ ଭାରତ ମାତ୍ର ୫% ଜନତାଙ୍କ ଦକ୍ଷତା ଉପଯୋଗ କରୁଛି: ଅମିତ ଶାହା

ଭୋପାଳ: ଇଂରାଜୀ ମୋହ ଯୋଗୁଁ ଭାରତ ନିଜ ଜନତାଙ୍କ ଦକ୍ଷତାରୁ ମାତ୍ର ୫% ଉପଯୋଗ କରୁଛି। ଭାଷା ନିର୍ବିଶେଷରେ ସମଗ୍ର ଦକ୍ଷତାକୁ ଉପଯୋଗ କରାଗଲେ ଆନ୍ତର୍ଜାତିକସ୍ତରରେ ଦେଶ ସୂର୍ଯ୍ୟ ପରି ଝଲସନ୍ତା ବୋଲି ମଙ୍ଗଳବାର ଦିନ ଅମିତ ଶାହ କହିଛନ୍ତି।

ସେ କହିଛନ୍ତି, ନିଜ ନିଜର ମାତୃଭାଷାରେ ପାଠ ପଢିଥିବା ୯୫% ପିଲାଙ୍କ ମେଧା ବା ଦକ୍ଷତା ଅବ୍ୟବହୃତ ହୋଇ ରହୁଥିବାରୁ ଭାରତ ଆମର ବିକାଶକୁ ସୀମିତ କରି ପକାଉଛି।

ସୋମବାର ସନ୍ଧ୍ୟା ବେଳେ ଭୋପାଳସ୍ଥିତ ମଧ୍ୟପ୍ରଦେଶ ବିଧାନସଭାରେ ‘ନୂତନ ଶିକ୍ଷାନୀତି ୨୦୨୦’ ଉପରେ ଆୟୋଜିତ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେବା ବେଳେ ଶାହ ସମ୍ପୃକ୍ତ ଥିବା କେତେକ ଅଦାଲତ ମାମଲାର ଉଦାହରଣ ଦେଇଥିଲେ।

ସେ କହିଥିଲେ, କଂଗ୍ରେସ ମୋ ନାଁରେ ଅନେକ ମାମଲା ରୁଜୁ କରିଥିଲା। ଅଦାଲତରେ ମୁଁ ସେ ସବୁର ମୁକାବିଲା କଲି। ମାମାଲାଗୁଡ଼ିକୁ ଦକ୍ଷତାର ସହ ମୁକାବିଲା କରୁଥିବା ଅନେକ ଉତ୍ତମ ଓକିଲଙ୍କୁ ମୁଁ ସେଠାରେ ଦେଖିଲି।

ଅନେକ ବଡ଼ ଓକିଲ ଅଦାଲ‌ତରେ ଯୁକ୍ତି ଉପସ୍ଥାପନ କରୁଥିଲେ। ହାଇକୋର୍ଟ ଏବଂ ସୁପ୍ରିମ୍‌ କୋର୍ଟର ଓକିଲମାନଙ୍କ ଅପେକ୍ଷା ସ୍ଥାନୀୟ ଅଦାଲତର ଓକିଲମାନଙ୍କର ମୌଳିକ ଜ୍ଞାନ ଥିଲା ଖୁବ୍‌ ବେଶି। କିନ୍ତୁ, ସେମାନେ ଇଂରାଜୀ କହିବାରେ ପ୍ରବୀଣ ନ ଥିବାରୁ ହାଇକୋର୍ଟ ଏବଂ ସୁପ୍ରିମ୍‌ କୋର୍ଟରେ ଯୁକ୍ତିତର୍କ କରିପାରୁ ନ ଥିଲେ। ସେମାନେ ପଢ଼ିଲା ବେଳେ ଇଂରାଜୀ ମାଧ୍ୟମ ସ୍କୁଲ୍‌ ନ ଥିଲା। ଏଇଟା କ’ଣ ସେମାନଙ୍କ ଭୁଲ୍‌?

ଗୁଜରାଟ ରାଜନୀତିରୁ ଦିଲ୍ଲୀ ଜାତୀୟ ରାଜନୀତିକୁ ଆସିବା ସମୟର ‌ଗୋଟାଏ ମଉଜିଆ କଥା ମଧ୍ୟ ସେ କହିଥିଲେ। ସେ କହିଲେ, ଏକଥା ଶୁଣି ଆମ ନେତାମାନେ (ଏବେ ଇହଧାମରେ ନାହାନ୍ତି) ମୋତେ କହିଲେ ଯେ, ହିନ୍ଦୀ ଜ୍ଞାନ ବୃଦ୍ଧି ଉପରେ ଗୁରୁତ୍ବ ନ ଦେଇ ଇଂରାଜୀ ଉପରେ ଧ୍ୟାନ ଦିଅ। ମୁଁ କହିଲି, ହିନ୍ଦୀ ଜ୍ଞାନ ବୃଦ୍ଧି ଅପେକ୍ଷା ଇଂରାଜୀ ଶିଖିବା ସହଜ। ଠିକ୍‌ ଇଂରାଜୀ ଜାଣି ନ ଥିବାରୁ ମୁଁ ହୀନମନ୍ୟତା ଅନୁଭବ କରେନାହିଁ। ମୋର ଉଦ୍ଦେଶ୍ୟ ହେଉଛି, ମୋ ଦେଶର ଭାଷା ଆଧାରରେ ମୋତେ ଆଦରି ନିଆଯାଉ।

Leave A Reply

Your email address will not be published.