xmas

କୁଆଡେ ଗଲା ଯାଜପୁରର ୨ ବର୍ଷର କୁନିଝିଅ ପିହୁ?

କୁଆଡେ ଗଲା କୁନିଝିଅ ପିହୁ? ୨୦୨୦ ଅଗଷ୍ଟ ମାସରେ ନିଖୋଜ ହୋଇଯାଇଥିଲା ୨ ବର୍ଷର ଝିଅ ପିହୁ । ଘଟଣାକୁ ୨ ବର୍ଷ ବିତିଗଲାଣି, କିନ୍ତୁ ପିହୁର ପତା ମିଳିନାହିଁ । ବାରମ୍ବାର ଥାନାକୁ ଦୌଡ଼ି ନୟାନ୍ତ ହୋଇଛନ୍ତି, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରୁ ଆରମ୍ଭ କରି ବିଭାଗୀୟ ମନ୍ତ୍ରୀଙ୍କୁ ଗୁହାରି କରିଛନ୍ତି ମାଆ ମୋନାଲିସା ନାୟକ । କେହି ହେଲେ ତାଙ୍କ ଗୁହାରି ଶୁଣିନାହାନ୍ତି । ଶେଷରେ ଶିିଶୁ ଅଧିକାର ସୁରକ୍ଷା କମିସନଙ୍କ କାର୍ଯ୍ୟାଳୟରେ ପହଂଚି ଝିଅକୁ ଖୋଜିବାକୁ ନିବେଦନ କରିଛନ୍ତି ମୋନାଲିସା । ସିବିଆଇ ତଦନ୍ତ ପାଇଁ ସେ ଦାବି କରିଛନ୍ତି ।

ଦୁଇ ବର୍ଷ ହେଲା ମାଆ ଆଖିରୁ ଲୁହ ଶୁଖୁନି । ଆଖିରୁ ନିଦ ହଜିଯାଇଛି, ଆଖି ଆଗରେ ସବୁବେଳେ ନାଚି ଉଠୁଛି କୁନିଝିଅ ପିହୁର ମୁହଁ । ଏ କାହାଣୀ ଏମିତି ଜଣେ ମାଆର କାହାଣୀ ଯିଏ ନିଜ ଅଳିଅଳ ଝିଅକୁ ୨ ବର୍ଷ ହେଲା ଖୋଜୁଛନ୍ତି, କିନ୍ତୁ ତା’ର ପତା ମିଳୁନି । ନିଖୋଜ ମାମଲା ଦାୟର କରି ଚୁପ୍ ହୋଇ ବସିଛି ପୁଲିସ । ଯାଜପୁର ବିଂଝାରପୁର ଅଂଚଳର ମୋନିଲିସା ନାୟକଙ୍କ ଏହି ଦୁଃଖ କାହାଣୀ ଶୁଣିଲେ ଯେକୌଣସି ଲୋକର ଆଖିରୁ ଲୁହ ବୋହିଯିବ ।

ପିହୁ ମାମୁଁ ଘରେ ରହୁଥିବା ବେଳେ ସେଦିନ ଅପରାହ୍ଣରେ ଗାଁ ଦାଣ୍ଡରେ ଖେଳୁଥିଲା । ହୁଏତ ସେଦିନ କେହି ଜାଣିନଥିଲେ, ପିହୁ ଜୀବନରେ ବଡ଼ ବିପଦ ମାଡିଆସୁଛି । କିଛି ସମୟରେ ଗାଁ ଦାଣ୍ଡରୁ ନିଖୋଜ ହୋଇଯାଇଥିଲା ପିହୁ । ତାକୁ ଅପହରଣ କରାଯାଇଥିବା ନେଇ ବିଂଝାରପୁର ଥାନାରେ ଏତଲା ଦିଆଯାଇଥିଲା । ପିହୁଙ୍କ ମାଆ ମୋନାଲିସାଙ୍କ ଅଭିଯୋଗ, ପୁଲିସ ଯଦି ଠିକ୍ ଭାବେ ଖୋଜିଥାଆନ୍ତା, ତେବେ ନିଶ୍ଚିତ ମିଳି ଯାଇଥାନ୍ତା ତାଙ୍କ ଝିଅ ।

ଥାନାକୁ ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି ମୋନାଲିସା, କିନ୍ତୁ ପୁଲିସ ବାବୁଙ୍କୁ ଦେଖା ଯାଉନାହିଁ ତାଙ୍କ ଆଖିରୁ ଝରୁଥିବା ଲୁହ । ଜିଲ୍ଲାପାଳଙ୍କ ଅଫିସ, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀଙ୍କ ଘର ଆଗରେ ଧାରଣା ଦେଇଥିଲେ ବି କେହି ତାଙ୍କ ଦୁଃଖ ଶୁଣିନାହାନ୍ତି । ଶେଷରେ ଶିିଶୁ ଅଧିକାର ସୁରକ୍ଷା କମିସନଙ୍କ କାର୍ଯ୍ୟାଳୟରେ ପହଂଚି ଝିଅକୁ ଖୋଜିବାକୁ ଗୁହାରି କରିଛନ୍ତି ମୋନାଲିସା । ସିବିଆଇ ତଦନ୍ତ ପାଇଁ ସେ ଦାବି କରିଛନ୍ତି । ୧୫ ଦିନ ମଧ୍ୟରେ ପଦକ୍ଷେପ ନନେଲେ କମିସନଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେବେ ବୋଲି କହିଛନ୍ତି ।

ଘଟଣାକୁ ୨ ବର୍ଷ ପୂରିଥିଲେ ବି ପିହୁର ଖୋଜଖବର ପାଇନାହିଁ ପୁଲିସ । ନିଖୋଜ ଶିଶୁକୁ ଉଦ୍ଧାର କରିବା ପାଇଁ ଅପରେସନ୍ ସ୍ମାଇଲ୍ ନାଁରେ ଅଭିଯାନ କରାଯାଉଛି । ହେଲେ ମୋନାଲିସାଙ୍କ ଅଭିଯୋଗ ଏହି ଅଭିଯାନକୁ ଉପହାସ କରିଛି । ପ୍ରଶ୍ନ ଉଠୁଛି, କାହା ପାଇଁ ଏହି ଅପରେସନ୍ ସ୍ମାଇଲ୍?

Leave A Reply

Your email address will not be published.