xmas

ଭାରତୀୟ ଜୁନିଅର୍ ଟି-୨୦ ଟିମରେ କାଶୀପୁରର ମାନସ: ଶ୍ରୀଲଙ୍କା ସହ ଖେଳିବେ ମ୍ୟାଚ୍

କାଶୀପୁରରେ ଖୁସିର ଲହରି, ଖୁସି ପ୍ରକାଶ କଲେ ବିଦ୍ୟାଳୟ କର୍ତ୍ତୃପକ୍ଷ

ରାୟଗଡ଼ା: ଓଡ଼ିଶାରେ ଅଣଦେଖାର ଶିକାର ହେଲେ। ଭଲ ପ୍ରଦର୍ଶନ ସତ୍ତ୍ବେ ଦୁଇ ଦୁଇ ଥର ଚୟନ କମିଟିର ତାଲିକାରେ ସ୍ଥାନ ପାଇଲେ ନାହିଁ। କଟକ, ସମ୍ବଲପୁର ଦୌଡ଼ି ନିରାଶ ହେବା ପରେ ହାଇଦ୍ରାବାଦ୍ କ୍ରିକେଟ୍ ଆସୋସିଏସନରେ ଯୋଗଦେ‌ଲେ। ମଧ୍ୟପ୍ରଦେଶ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ ବିରୁଦ୍ଧରେ ୩ଟି ଲିଗ୍ ମ୍ୟାଚ ଖେଳି ୩୬, ୫୭, ୫୨ ରନ୍ ହାସଲ କରି ଚୟନ କମିଟି କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ୧୯ ବର୍ଷରୁ କମ୍ ଭାରତୀୟ ଜୁନିଅର୍ ଟି-୨୦ ଟିମରେ ସାମିଲ୍ ହୋଇଛନ୍ତି ରାୟଗଡ଼ା ଜିଲ୍ଲା କାଶୀପୁରର ଯୁବ କ୍ରୀଡ଼ାବିତ୍ ମାନସ ଖରା।

ଅକ୍ଟୋବର ୧୫ରୁ ହାଇଦ୍ରାବାଦ ରାଜୀବ ଗାନ୍ଧୀ ଇଣ୍ଟରନ୍ୟାସନାଲ୍ ଷ୍ଟାଡିୟମରେ ଶ୍ରୀଲଙ୍କା ସହ ଖେଳାଯିବାକୁ ଥିବା ମ୍ୟାଚର ଚୂଡ଼ାନ୍ତ ତାଲିକାର ୫ ନଂରେ ରହିଛି ମାନସଙ୍କ ନାଁ। ହାଇଦ୍ରାବାଦ୍ କ୍ରିକେଟ୍ ଆସୋସିଏସନ୍ ସଂପାଦକ ତଥା ଭାରତୀୟ କ୍ରିକେଟ୍ ଦଳର କିମ୍ବଦନ୍ତୀ ବ୍ୟାଟସମ୍ୟାନ୍ ପୂର୍ବତନ ଅଧିନାୟକ ମହମ୍ମଦ ଆଝାରଉଦ୍ଦିନ୍ ଏ ନେଇ ବିଜ୍ଞପ୍ତି ଜାରି କରିବା ପରେ ରାୟଗଡ଼ା ଜିଲ୍ଲା ସହ କାଶୀପୁର ଅଞ୍ଚଳରେ ଖୁସିର ଲହରି ଖେଳି ଯାଇଛି।

ମାନସ ଖରା। ଘର କାଶୀପୁର ବ୍ଲକର ପାଞ୍ଚାଳି ଗ୍ରାମରେ। ଅତ୍ୟନ୍ତ ଗରିବ ପରିବାରରେ ଜନ୍ମିତ ମାନସ ପିଲାଦିନରୁ ହିଁ କ୍ରିକେଟରେ ରୁଚି ରଖିଥିଲେ। ପାଠ ପଢ଼ା ସାଙ୍ଗକୁ କ୍ରିକେଟ୍ ଖେଳି ଜାରି ରଖିଥିଲେ। ସ୍କୁଲ୍ ପଢ଼ିବା ସମୟରେ ଗ୍ରାମାଞ୍ଚଳ ଓ ଜିଲ୍ଲାସ୍ତରରେ ଅନୁଷ୍ଠିତ ବିଭିନ୍ନ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ ଖେଳି ଭଲ ପ୍ରଦର୍ଶନ କରୁଥିଲେ। କରୋନା ଯୋଗୁ ଟୁର୍ଣ୍ଣାମେଣ୍ଟ୍ ବାଧାପ୍ରାପ୍ତ ହୋଇଥିଲେ ମଧ୍ୟ ଅଭ୍ୟାସ ଜାରି ରଖିଥିଲେ ମାନସ। କଳାହାଣ୍ଡି କପ୍ ସହ ଓଡ଼ିଶା ୧୯ ବର୍ଷରୁ କମ୍ କ୍ରିକେଟ୍ ଟିମ୍ ପାଇଁ ହୋଇଥିବା ଚୟନ ମ୍ୟାଚରେ ଭଲ ପ୍ରଦର୍ଶନ କରିଥିଲେ ମାନସ। ମ୍ୟାଚରେ ଭଲ ସ୍କୋର୍ କରିବା ପରେ ମଧ୍ୟ ଚୟନ କମିଟି ମାନସକୁ ଦଳରେ ସ୍ଥାନ ଦେଇନଥିଲେ। ଫଳରେ ଦଶମ ଶ୍ରେଣୀ ପରୀକ୍ଷା ଦେବା ପରେ ମାନସ ହାଇଦ୍ରାବାଦ୍ ଯାଇ ସେଠାରେ ଅଭ୍ୟାସ ଜାରି ରଖିଥିଲେ। ରାୟଗଡ଼ା ଜୁପିଟର୍ ଇଣ୍ଟରନ୍ୟାସନାଲ୍ ସ୍କୁଲରେ ଏକାଦଶ ଶ୍ରେଣୀରେ ପଢ଼ୁଥିବା ମାନସଙ୍କ ଏହି କୃତିତ୍ବ ପାଇଁ ବିଦ୍ୟାଳୟର ଅଧକ୍ଷ ପ୍ରଶାନ୍ତ କୁମାର ପଣ୍ଡା, ନିର୍ଦ୍ଦେଶକ ଗୋବିନ୍ଦ ପ୍ରସାଦ ରଥଙ୍କ ସମେତ ପରିବାର ଲୋକ ଖୁସିବ୍ୟକ୍ତ କରିଛନ୍ତି।

Leave A Reply

Your email address will not be published.