xmas

ଅବ୍ୟବସ୍ଥାରେ ଡାୟାଲିସିସ୍ କେନ୍ଦ୍ର, କିଡନୀ ରୋଗୀ ହନ୍ତସନ୍ତ

ପାଣି ଆସୁନାହି, ଯନ୍ତ୍ର ଖରାପ ରହୁଛି
ସ୍ବାସ୍ଥ୍ୟ ବିଭାଗର ନିଘା ନାହିଁ
ମାଲକାନଗିରି,୨୧/୯ ମାଲକାନଗିରି ଜିଲ୍ଲାରେ କିଡନୀ ରୋଗୀଙ୍କ ସଂଖ୍ୟା ହୁ ହୁ ହୋଇ ବଢିଚାଲିଛି। ଜିଲ୍ଲାରେ ପାଣିକୁ ଏଥିପାଇଁ ମୁଖ୍ୟତଃ ଦାୟୀ କରାଯାଉଛି। ଜିଲ୍ଲାର ସମସ୍ତ ବ୍ଲକରେ ଲୋକେ ଯେଉଁ ପାଣି ପିଉଛନ୍ତି ତାହା ଆଇରନ ଯୁକ୍ତ ପାଣି। ଯାହାକି ମଣିଷର ଶରୀରକୁ ଅସୁସ୍ଥ କରୁଛି। ବିଶେଷକରି କିଡନୀ ଖରାପ ହେଉଥିବା ଆଲୋଚନା ଜୋର ଧରିଛି। ଜିଲ୍ଲାର କୋରକୋଣ୍ଡା, କାଲିମେଳା, ପଡିଆ ଅଞ୍ଚଳରେ ବହୁ ଲୋକ କିଡନୀ ରୋଗରେ ପଡି ଅକାଳରେ ଜୀବନ ହାରୁଛନ୍ତି। ଏନେଇ ସ୍ବାସ୍ଥ୍ୟ ବିଭାଗ ନିକଟରେ ମଧ୍ୟ ଖବର ରହିଛି। ଏପରିକି କାଲିମେଳା ଏବଂ ପଡିଆ ଅଞ୍ଚଳରେ ବିଷୁଦ୍ଧ ପାଣି ପ୍ରଶାସନ ଏବଂ କିଛି ବଦାନ୍ୟ ବ୍ୟକ୍ତିଙ୍କ ଦ୍ବାରା ପ୍ରଦାନ କରାଯାଉଛି। କିନ୍ତୁ ଦୁର୍ଗମ ଅଞ୍ଚଳରେ ଲୋକେ ବାଧ୍ୟହୋଇ ନଳକୂପ ପାଣି ପିଉଛନ୍ତି ,ଯାହାକୁ ସଂପୂର୍ଣ୍ଣ ରୂପେ ଆଇରନ ଯୁକ୍ତ ଅଟେ। ଆଜି ସୁଦ୍ଧା ଜିଲ୍ଲାର ପ୍ରାୟ ୪୪ ଜଣ କିଡନୀ ରୋଗୀ ଗୁରୁତର ଅବସ୍ଥାରେ ରହି ଡାୟାଲିସିସ୍ କରୁଛନ୍ତି। ତେବେ ଏହି ରୋଗୀଙ୍କ ପାଇଁ ମାଲକାନଗିରି ମେଡିକାଲରେ ଡାୟାଲିସିସ୍ କେନ୍ଦ୍ର ରହିଛି। ଯାହାଫଳରେ କିଡନୀ ରୋଗୀ ବିନା ମୂଲ୍ୟରେ ନିଜର ଚିକିତ୍ସା କରାଇପାରୁଛନ୍ତି। ତେବେ ଏହି ଡାୟାଲିସିସ୍ କେନ୍ଦ୍ର ଏବେ ଅବ୍ୟବସ୍ଥା ଭିତରେ ଚାଲିଛି। ଗତ କିଛି ମାସ ହେଲା ପାଣି ଆସୁନଥିବାରୁ ଏହା ଏକ ପ୍ରକାର ବନ୍ଦ ହୋଇ ରହୁଥିଲା। ଦିନେ ଚାଲିଲେ ଚାରି ଦିନ ବନ୍ଦ ରହୁଛି। ଗତ କିଛି ଦିନ ହେଲା ଡାୟାଲିସିସ୍ ଯନ୍ତ୍ର ଖରାପ ହୋଇପଡିଥିବାରୁ ରୋଗୀ ନାହିଁ ନଥିବା ହଇରାଣ ହୋଇଛନ୍ତି।ରୋଗୀମାନେ ବାଧ୍ୟ ହୋଇ କୋରାପୁଟ ଏବଂ ବିଶାଖାପାଟଣମ୍ ଯାଇ ଖର୍ଚ୍ଚାନ୍ତ ହୋଇଥିଲେ। ପ୍ରକାଶ ଥାଉକି ପ୍ରତିଦିନ ପ୍ରାୟ ୧୫ରୁ ୨୦ ଜଣ ରୋଗୀ ଡାୟାଲିସିସ୍ କରୁଛନ୍ତି। ତେଣୁ ଏହି ଡାୟାଲିସିସ୍ କେନ୍ଦ୍ର କିପରି ଠିକ ରହିବ ସେନେଇ ସ୍ବାସ୍ଥ୍ୟ ବିଭାଗ ତତ୍ପରତା ଦେଖାଉ ନାହିଁ। ଆଜି ମେଡିକାଲର ଇନଚାର୍ଜ ଡାକ୍ତର ଏସ.କେ ମହାରଣାଙ୍କୁ ଏନେଇ ପଚାରିବାରୁ ସେ ଡାୟାଲିସିସ୍ କେନ୍ଦ୍ର ଠିକ ଥିବା କହିଥିଲେ। ତେବେ କେବେ ଠିକ ହେଲା ବୋଲି ପଚାରିବାରୁ ଗତକାଲି ଠିକ ହୋଇଯାଇଥିବା କହିଥିଲେ। କିନ୍ତୁ ଆଜି ହିଁ ଏହି ଯନ୍ତ୍ରକୁ ଠିକ କରାଯାଇଛି। ଏବେ ବି ପାଣି ସମସ୍ୟା ଲାଗି ରହିଛି। ପାଣି ଆସୁନଥିବାରୁ ଡାଏଲସିସ ଯନ୍ତ୍ରଟି ଖରାପ ହେଉଥିବା ଏହି କେନ୍ଦ୍ରର ଟେକନିସିୟାନ ପ୍ରକାଶ କରିଛନ୍ତି। ଏତେ ବଡ ମେଡିକାଲରେ ପାଣିର ଘୋର ଅଭାବ ରହିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କାହିଁକି ଏହାର ସମାଧାନ କରାଯାଉ ନାହିଁ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ପ୍ରତିଦିନ ଜିଲ୍ଲାରେ କିଡନୀ ରୋଗୀଙ୍କ ସଂଖ୍ୟା ବଢୁଥିବାରୁ ଡାୟାଲିସିସ୍ କେନ୍ଦ୍ରଟିକୁ ସବୁବେଳେ ଠିକ ରଖିବାକୁ ଦାବି କରାଯାଇଛି। ଦୁରଦୁରାନ୍ତରରୁ ରୋଗୀ ମାଲକାନଗିରି ମେଡିକାଲ ଆସି ନିଜର ଡାୟାଲିସିସ୍ କରିବାକୁ ଚାହୁଁଥିବା ବେଳେ ସେମାନଙ୍କୁ କେତେବେଳେ ଯନ୍ତ୍ର ଖରାପ ଅଛି ତ ଆଉ କେତେବେଳେ ପାଣି ନଥିବା କହି ଫେରାଇ ଦିଆଯାଉଛି। ଯାହାଫଳରେ ରୋଗୀ ଅତି ଗୁରୁତର ହୋଇ ଯାଉଛନ୍ତି। ଆଜି ବି ଯନ୍ତ୍ରଟି ଠିକ ହେବା ଜାଣିବା ପରେ ପ୍ରାୟ ୧୦ ଜଣ କିଡନୀ ରୋଗୀ ନିଜର ଡାୟାଲିସିସ୍ କରିବାକୁ ଅପେକ୍ଷା କରିଥିବା ଦେଖିବାକୁ ମିଳିଥିଲା। ତେବେ ଜିଲ୍ଲାରେ କିପରି ଲୋକେ ବିଶୁଦ୍ଧ ପାଣି ପାଇପାରିବେ ସେନେଇ ଜିଲ୍ଲା ପ୍ରଶାସନ ପଦକ୍ଷେପ ନିଅନ୍ତୁ ବୋଲି ସାଧାରଣରେ ଦାବି ହୋଇଛି। ଧନୀ ଶ୍ରେଣୀର ଲୋକେ ଘରେ ବିଭିନ୍ନ ବିଶୁଦ୍ଧ ପାଣି ବାହାରୁଥିବା ଯନ୍ତ୍ର ରଖିଥିବା ବେଳେ ଗରିବ ଶ୍ରେଣୀର ଲୋକେ ବାଧ୍ୟହୋଇ ନଳକୂପ ପାଣି ପିଉଛନ୍ତି। ଯାହାଫଳରେ ତିନି ଚାରି ବର୍ଷରେ କିଡନୀ ଖରାପ ହୋଇ ଗୁରୁତର ହେଉଛନ୍ତି। ତୁରନ୍ତ ଏହାର ସମାଧାନ ନକଲେ ଆଗାମୀ ଦିନରେ ଜିଲ୍ଲାର ଗିରବ ଲୋକଙ୍କ ଅକାଳରେ ଜୀବନ ଯାଉଥିବ ବୋଲି କୁହାଯାଇଛି।

Leave A Reply

Your email address will not be published.