ବାରିପଦା,୨୧/୦୯ ସୁସ୍ଥ ସବଳ ଅଥଚ ସନ୍ଦିଗ୍ଧ ଚରିତ୍ରର ଜନୈକ ବ୍ୟକ୍ତି ହିନ୍ଦୁ ଧର୍ମରେ ଭଗବାନ ମାନି ପୂଜା କରୁଥିବା ମହାଦେବ ଶିବଙ୍କ ବେଶରେ ସାଧାରଣରେ ଭିକ୍ଷା ମାଗିବାଟାକୁ ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ପକ୍ଷରୁ ଦୃଢ଼ ବିରୋଧ କରାଯାଇଛି। ଅଭିଯୁକ୍ତକୁ ପରିଷଦର କର୍ମକର୍ତ୍ତାମାନେ ଥାନାରେ ଜିମା ଦେଇ ତା ବିରୋଧରେ ବିହିତ କାର୍ଯ୍ୟାନୁଷ୍ଠାନ ଦାବି କରିଥିବା ଜଣାଯାଇଛି। ସୂଚନା ଅନୁଯାୟୀ, ପୂର୍ବରୁ ବାରମ୍ବାର ବାରଣ କରାଯାଇଥିବା ସତ୍ତ୍ୱେ ନିଜର ପରିଚୟ ସ୍ପଷ୍ଟ କରୁନଥିବା ଜନୈକ ୨୮-୩୦ ବର୍ଷୀୟ ଯୁବକ ବୁଧବାର ଦିନ ପୂର୍ବାହ୍ନରେ ବାରିପଦା ଷ୍ଟେସନ ବଜାରରେ ଶିଵ ବେଶରେ ସଜ୍ଜିତ ହୋଇ ବୁଲି ବୁଲି ଭିକ୍ଷା ମାଗୁଥିଲେ । ଏତଦ୍ଦ୍ୱାରା ହିନ୍ଦୁ ଦେବତାଙ୍କର ଅପମାନ ହେବା ସହ ହିନ୍ଦୁ ଭାବନା ଉପରେ ଆଘାତ ହେଉଥିବା ନେଇ ଅଭିଯୋଗ ଉଠିଥିଲା। ଏହି ଖବର ପାଇ ତତକ୍ଷଣାତ ବିଶ୍ଵଜିତ ରଣା, ବାଘା ସିଂ, ପ୍ରଶାନ୍ତ କୁମାର ଆଚାର୍ଯ୍ୟ, ଦୀପକ କୁମାର ମଲ୍ଲିକ, ଚନ୍ଦନ କୁମାର ପରିଡ଼ା, ଆଶୁତୋଷ ଦାସ, କଳ୍ପତରୁ ରାୟବାବୁ ପ୍ରମୁଖ ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ କର୍ମକର୍ତ୍ତାମାନେ ଘଟଣା ସ୍ଥଳରେ ପହଞ୍ଚିଥିଲେ ଏବଂ ଅବିଳମ୍ବେ ସେହି ଶିବ ବେଶଧାରୀ ଭିକ୍ଷାକାରୀକୁ ବାରିପଦା ଟାଉନ ଥାନାରେ ଜିମା ଦେବା ସହ ତା ନାଆଁରେ ଏତଲା ଦେଇଥିଲେ। ଏତଲାକାରୀମାନେ ସମ୍ପୃକ୍ତ ଅଭିଯୁକ୍ତ ବିରୋଧରେ ଏବେ ବିହିତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଏଥିନେଇ ସମ୍ପ୍ରତି ପୋଲିସର କାର୍ଯ୍ୟାନୁଷ୍ଠାନକୁ ସାଧାରଣରେ ଅପେକ୍ଷା କରାଯାଇଛି।
