xmas

ହଳଦୀକୁଣ୍ଡରେ ଅଜଣା ରୋଗର ଆତଙ୍କ ଘଟଣା; ଜିଲ୍ଲାପାଳଙ୍କ ହଳଦୀକୁଣ୍ଡ ଗସ୍ତ କରି ସମୀକ୍ଷା କଲେ

ମାଲକାନଗିରି,୨୧/୯: ମାଲକାନଗିରି ଜିଲ୍ଲାର ମାଥିଲି ବ୍ଲକର ସାଲିମି ପଞ୍ଚାୟତର ହଳଦୀକୁଣ୍ଡ ଗ୍ରାମରେ ଅଜଣା ରୋଗରେ ଆକ୍ରାନ୍ତ ହୋଇ ୮ ଜଣଙ୍କର ମୃତ୍ୟୁ ହୋଇଥବା ବେଳେ ୧୦ରୁ ଉର୍ଦ୍ଧ୍ବ ଆକ୍ରାନ୍ତ ହୋଇ ମେଡିକାଲରେ ଚିକିତ୍ସିତ ହେଲେ। ତେବେ ଏହି ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଡାକ୍ତରୀ ଦଳ ସମେତ ବିଭିନ୍ନ ରାଜନୈତିକ ଦଳର ନେତାମାନେ ଘନ ଘନ ହଳଦୀକୁଣ୍ଡ ଗସ୍ତ କରି ଲୋକଙ୍କୁ ଆଶ୍ବାସନା ଦେବା ସହ ତୁରନ୍ତ ଉତ୍ତମ ଚିକିତ୍ସା ଯୋଗାଇ ଦେବାକୁ ଦାବି କରିଥିଲେ। ତେବେ ପ୍ରଶାସନ ତରଫରୁ କେବଳ ମାଥିଲି ବିଡିଓ ହଳଦୀକୁଣ୍ଡ ଯାଇ ଲୋକଙ୍କ ସୁବିଧା ଅସୁବିଧା କଥା ବୁଝିଥିଲେ।ତେବେ ଜିଲ୍ଲାପାଳ ବିଶାଲ ସିଂ ଏହି ଘଟଣା ଜାଣିବା ପରେ ହଳଦୀକୁଣ୍ଡ ଗସ୍ତ କରି ଲୋକଙ୍କ ସହ ମିଶିଥିଲେ। ରୋଗର କାରଣ ସଂପର୍କରେ ପଚାରିବୁଝିବା ସହ ଗାଁରେ ଲୋକେ ପିଉଥିବା ପାଣିର ତଦାରଖ କରିଥିଲେ। ଗାଁରେ ଥିବା ନଳକୂପ ଯାଇ ଦେଖିବା ସହ କିପରି ପାଣି ବାହାରୁଛି ତାହ ମଧ୍ୟ ଦେଖିଥିଲେ।ଜିଲ୍ଲାପାଳଙ୍କ ସହ ମାଥିଲି ବିଡିଓ ଆଶିଷ ଭୋଇ ମଧ୍ୟ ଥିଲେ। ଜିଲ୍ଲାପାଳ ଶ୍ରୀ ସିଂ ସ୍କୁଲକୁ ଯାଇ ପିଲାଙ୍କୁ ପାଠ ମଧ୍ୟ ପଢାଇଥିଲେ। କିପରି ପିଲାମାନେ ପ୍ରତିଦିନ ଶିକ୍ଷା ଗ୍ରହଣ କରିବେ ସେନେଇ ସଚେତନ କରାଇଥିଲେ। ତେବେ ଗାଁ ଲୋକଙ୍କୁ ଉତ୍ତମ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ।ଗାଁରେ କେଉଁ କାରଣରୁ ଏହି ରୋଗ ବ୍ୟାପିଲା ସେନେଇ ମଧ୍ୟ ତଦାରଖ କରିଥିଲେ। ଜିଲ୍ଲାପାଳଙ୍କ ଗସ୍ତ ଏବଂ ବିଭିନ୍ନ ରାଜନୈତିକ ଦଳର ନେତାଙ୍କ ଗସ୍ତ ପରେ ଗାଁ ଲୋକେ ଆଶ୍ବସ୍ଥି ଲାଭ କରିଛନ୍ତି। କାରଣ କେବେ ମଧ୍ୟ ଏହି ଗାଁରେ କୌଣସି ସରକାରୀ ବାବୁ କିମ୍ବା ଲୋକ ପ୍ରତିନିଧିଙ୍କ ପାଦ ପଡିନଥିଲା। ଲୋକେ ନିଜର ଆତ୍ମୀୟଙ୍କୁ ହରାଇଲେ ସତ କିନ୍ତୁ ଗାଁର ବିକାଶରେ ଏବେ ଜିଲ୍ଲା ପ୍ରଶାସନ ପ୍ରମୁଖ ଭୁମିକା ଗ୍ରହଣ କରୁଛି। ଏଠାରେ ଲୋକଙ୍କୁ କିପରି ବିଶୁଦ୍ଧ ଜଳ ମିଳିବ ସେନେଇ ପଦକ୍ଷେପ ନିଆଯିବ ବୋଲି କୁହାଯାଇଛି। ପରିବେଶକୁ ସ୍ବଚ୍ଛ ରଖିବା ସହ ଲୋକେ ଭଲ ଖାଦ୍ୟ ଖାଇବେ ସେନେଇ ମଧ୍ୟ ଧ୍ୟାନ ଦିଆଯିବ ବୋଲି କୁହାଯାଇଛି।

Leave A Reply

Your email address will not be published.