xmas

ଭାଲୁ ଆକ୍ରମଣରେ ବୃଦ୍ଧ ଗୁରୁତର

ସଠିକ ସମୟରେ ଆମ୍ବୁଲାନ୍ସ ନପାରିବାରୁ ଅସନ୍ତୋଷ

ଖୁଣ୍ଟା: ଜଙ୍ଗଲ ରେ ଛତୁ ଗୋଟାଇବା ଆଣିଲା ବିପଦ । ଭାଲୁ ହାବୁଡରେ ପଡ଼ିଲେ ବୃଦ୍ଧ । ଏବଂ ରକ୍ଷା ପାଇବାକୁ ଯାଇ ଭାଲୁ ସହ ଲଢେଇ କରି ଗୁରୁତର ହୋଇ ପଡ଼ିଥିଲେ । ଚିକିତ୍ସା କେନ୍ଦ୍ରକୁ ନେବାପାଇଁ ସଠିକ ସମୟରେ ପହଞ୍ଚିଲା ନାହିଁ ଆମ୍ବୁଲେନ୍ସ । ଶେଷରେ ଖଟିଆରେ ବୁହା ହୋଇ ଆସୁଥିବା ବେଳେ ଅଧା ରାସ୍ତାରୁ ଗୁରୁତରକୁ ଉଦ୍ଧାର କଲା ଆମ୍ବୁଲାନ୍ସ । ଏଭଳି କରୁଣ ଦୃଶ୍ୟ ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ଅଞ୍ଚଳରେ ।
ଘଟଣାରୁ ପ୍ରକାଶ ଯେ , ଖୁଣ୍ଟା ବନ ବିଭାଗ ଅଧିନସ୍ଥ ଗୋଠପୁରା ଗ୍ରାମର ବଲାୟ ହାଁସଦା (୬୧) ଛତୁ ଗୋଟାଇବା ପାଇଁ ଗ୍ରାମ ନିକଟସ୍ଥ ଜଙ୍ଗଲକୁ ଯାଇଥିଲେ । ମାତ୍ର ବଲାୟ ଛତୁ ଗୋଟାଉ ଥିବା ସମୟରେ ୨ ଗୋଟି ଭାଲୁ ହାବୁଡ଼ ରେ ପଡ଼ି ଯାଇଥିଲେ । ତେବେ ସେ ନିଜ ଜୀବନ ବଞ୍ଚାଇବାକୁ ଯାଇ ସାହସ ର ସହିତ ଗୋଟିଏ ଭାଲୁ ସଙ୍ଗେ ଲଢ଼େଇ କରିଥିଲେ । ଏହି ସମୟରେ ସଂପୃକ୍ତ ସ୍ଥାନରେ ଥିବା ଅନ୍ୟ ଏକ ଭାଲୁ ବାଲାୟଙ୍କ ଉପରକୁ ଆକ୍ରମଣ କରିଥିଲା । ଏହି ଆକ୍ରମଣରେ ବାଲାୟ ଙ୍କ ଶରୀରର ବେକ, ଆଣ୍ଠୁକୁ କାମୁଡ଼ିବା ସହ ପେଟକୁ ଆକ୍ରମଣ କରିଥିଲା । ଫଳରେ ବାଲାୟଙ୍କର ପେଟର ଅନ୍ତବୁଜଳି ବାହରି ଯାଇଥିଲା । ତାଙ୍କର ଚିତ୍କାର ଶୁଣି ଗ୍ରାମବାସୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ । ଏବଂ ସଂକଟାପନ୍ନ ଅବସ୍ଥାରେ ଥିବା ବାଲାୟଙ୍କୁ ଉଦ୍ଧାର କରିବା ସହ ଆମ୍ବୁଲାନ୍ସକୁ ସୁଚନା ଦେଇଥିଲେ । ତେବେ ପ୍ରାୟ ଦୀର୍ଘ ଦେଢ଼ ଘଣ୍ଟାଧରି ଘଟଣାସ୍ଥଳରେ ଆମ୍ବୁଲାନ୍ସ ପହଞ୍ଚିନଥିବାରୁ, ଉତ୍ୟକ୍ତ ଗ୍ରାମବାସୀ ବାଧ୍ୟ ହୋଇ ଏକ ଖଟିଆରେ ବୋହି ଚାଲି ଚାଲି ଖୁଣ୍ଟା ଡାକ୍ତରଖାନାକୁ ଆଣୁଥିଲେ । ପ୍ରାୟ ଏକ କି.ମି ଚାଲି ଚାଲି ଆସିବା ପରେ ଅମ୍ବୁଲାନ୍ସଟି ପହଞ୍ଚିଥିଲା । ଏବଂ ଅଧା ରାସ୍ତାରୁ ବାଲାୟଙ୍କୁ ଉଦ୍ଧାର କରି ଉଦଳା ଚିକିତ୍ସା କେନ୍ଦ୍ରରେ ଭର୍ତ୍ତି କରିଥିବା ଜଣାଯାଇଛି । ତେବେ ତାଙ୍କର ସ୍ଵାସ୍ଥ୍ୟବସ୍ଥା ଉଦବେଗଜନକ ଥିବାରୁ ବାଲାୟଙ୍କୁ ବାରିପଦା ସ୍ଥିତ ପିଆରଏମ ମେଡ଼ିକାଲ କଲେଜକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାଯାଇଛି ।

Leave A Reply

Your email address will not be published.