xmas

ସାଉଦି ଆରବରେ ପ୍ରବାସୀ ଓଡ଼ିଆ ପାଳିଲେ ପଞ୍ଚମ ବାର୍ଷିକ ଉତ୍ସବ

ଫୁଲବାଣୀ, ୧୧/୧୦: ସାଉଦି ଆରବର ଦମାମ ସହରରେ ପ୍ରବାସୀ ଓଡ଼ିଆଙ୍କ ସମିତି କଳିଙ୍ଗନ କେ.ଏସ.ଏ ତରଫରୁ ଅକ୍ଟୋବର ୭ ତାରିଖ ଦିନ ଅତି ଧୁମଧାମରେ ପାଳନ କରାଯାଇଛି କଳିଙ୍ଗନର ପଞ୍ଚମ ବାର୍ଷିକ ଉତ୍ସବ। ୩୫୦ରୁ ଉର୍ଦ୍ଧ୍ବ ପରିବାରବର୍ଗ ସାଉଦି ଆରବର ବିଭିନ୍ନ ସ୍ଥାନରୁ ଆସି ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ।

ପ୍ରାରମ୍ଭରେ ଭାରତୀୟ ଜାତୀୟ ସଙ୍ଗୀତ ଜନ ଗଣ ମନ ସହ ଆରମ୍ଭ ହୋଇଥିଲା କାର୍ଯ୍ୟକ୍ରମ ପରେ ମଙ୍ଗଳାଚରଣ ପ୍ରସ୍ତୁତ କରାଯାଇଥିଲା। ଏଥିସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସମ୍ବଲପୁରୀ ନୃତ୍ୟ, ଭାରତ ନାଟ୍ୟମ, ଦାସକାଠିଆ, ସଙ୍ଗୀତ ଇତ୍ୟାଦି ପରିବେଷଣ କରାଯାଇଥିଲା I କୁନି କୁନି ଶିଶୁ, ମହିଳା ଏବଂ ପୁରୁଷ ମାନେ ମଧ୍ୟ ବିଭିନ୍ନ ଓଡ଼ିଆ ଆଉ ହିନ୍ଦୀ ଚଳଚ୍ଚିତ୍ର ସଙ୍ଗୀତରେ ନୃତ୍ୟ ପରିବେଷଣ କରିଥିଲେ I ମହିଳାମାନଙ୍କ ଦ୍ୱାରା ପ୍ରସ୍ତୁତ ଓଡ଼ିଶାର ଶାଢ଼ୀ ମୁଖ୍ୟ ଆକର୍ଷଣ ହୋଇଥିଲା। ଏହି ପରିପ୍ରେକ୍ଷୀରେ କଳିଙ୍ଗନର ବାର୍ଷିକ ପତ୍ରିକା ମଧ୍ୟ ଉନ୍ମୋଚନ କରାଯାଇଥିଲା I ଏହା ଛଡା ବିଭିନ୍ନ ଓଡ଼ିଆ ସୁସ୍ୱାଦୁ ଖାଦ୍ୟ ପରିବେଷଣ କରାଯାଇଥିଲା I ରଞ୍ଜନ ରଥ ଏହି କାର୍ଯ୍ୟକ୍ରମକୁ ପରିବେଷଣ କରିଥିବା ବେଳେ ବିଶିଷ୍ଟ ବ୍ୟବସାୟୀ ଡାଃ. ଦେବ ମହାନ୍ତି ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ପ୍ରଖ୍ୟାତ ଓଡିଆ ଚଳଚ୍ଚିତ୍ର ଅଭିନେତା ସବ୍ୟସାଚୀ ମିଶ୍ର, ସଙ୍ଗୀତକାର ବିଭୁକିଶୋର ଏବଂ ସୁସ୍ମିତା ଦାସ ଏହାକୁ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।

ସଂଯୋଜକ ସନ୍ତୋଷ ଦାସ, ଜ୍ୟୋତିର୍ମୟ ଦାଶ କହିଥିଲେ ଯେ ବିଦେଶ ମାଟିରେ ଓଡ଼ିଆ ସଂସ୍କୃତିକୁ ଆଗକୁ ବଢ଼ାଇବାରେ ଏଠାରେ ଥିବା ପ୍ରତ୍ୟେକ ଓଡ଼ିଆ ଏବଂ କଳିଙ୍ଗ କେ.ଏସ.ଏ ପ୍ରତିମୁହୂର୍ତ୍ତରେ କାର୍ଯ୍ୟରତ। ପ୍ରତ୍ୟେକ ଓଡ଼ିଆ ଏହି ଅବସରରେ ବିଦେଶ ମାଟିରେ ନିଜର ସଂସ୍କୃତି ଏବଂ ଐତିହକୁ ମନେ ପକାଇଥିଲେ। ସାଉଦି ଆରବରେ ଓଡିଶାର ବିଭିନ୍ନ ଅଞ୍ଚଳରୁ ବସବାସ କରୁଥିବା ସମସ୍ତ ପରିବାର ପ୍ରତ୍ୟେକ ବର୍ଷ ତାଙ୍କର ଓଡ଼ିଆ ପରମ୍ପରା ଭିତ୍ତିକ କାର୍ଯ୍ୟକ୍ରମ ଜାରି ରଖିଥିବା ବେଳେ ସମସ୍ତେ ଏକାଠି ହୋଇ ବାର୍ଷିକ ଉତ୍ସବ ପାଳନ କରିବା ଦ୍ୱାରା ଏହା ଓଡ଼ିଆ ମାଟି ଭାଷା ଓ ସଂସ୍କୃତି ପ୍ରତି ସେମାନଙ୍କ ଭଲ ପାଇବାର ବାର୍ତ୍ତା ଦେଉଛି ବୋଲି ବିଶ୍ୱରଂଜନ ସାହୁ କହିଛନ୍ତି l

Leave A Reply

Your email address will not be published.