xmas

ଫିରିଙ୍ଗିଆ ବିଡ଼ିଓଙ୍କ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ

ଫୁଲବାଣୀ, ୧୫/୧୦: ଜିଲ୍ଲାର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକରେ କେମିତି ଚାଲିଛି ସ୍ୱାସ୍ଥ୍ୟ ସେବା ? କେମିତି ରହିଛି ସେଠାକାର ପରିବେଶ l ଆଉ ରୋଗୀ କିଭଳି ସ୍ୱାସ୍ଥ୍ୟ ସେବା ପାଉଛନ୍ତି ? ତାହା ଜାଣିବା ପାଈଁ ଜିଲ୍ଲାପାଳ ଆଶିଷ ଈଶ୍ୱର ପଟେଲ ଜିଲାର ସମସ୍ତ ବିଡ଼ିଓ, ତହସିଲଦାର ଓ ଥାନା ଅଧିକାରୀଙ୍କୁ ବିଭିନ୍ନ ସମୟରେ ପରିଦର୍ଶନ କରି ରିପୋର୍ଟ ପ୍ରଦାନ କରିବା ଲାଗି ନିର୍ଦେଶ ଦେବା ପରେ ୩ ଜଣିଆ ପ୍ରଶାସନିକ ଟିମ ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରୁଛନ୍ତି l

ଗତକାଲି ଫିରିଙ୍ଗିଆ ରଶ୍ମି ରଞ୍ଜନ ମହନ୍ତ, ତହସିଲଦାର ଏମ. ଅନୁରାଧା , ଆଇଆଇସି ପି. ଶ୍ୟାମ ସୁନ୍ଦର ରାଓ ପ୍ରମୁଖ ମିଶି ଫିରିଙ୍ଗିଆ ଠାରେ ଥିବା ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିଥିଲେ । ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା ସହ ମାଗଣା ଔଷଧ ପତ୍ର ମିଳୁଛି କି ନାହିଁ। ଡାକ୍ତରମାନେ ଠିକ ସମୟରେ ଡାକ୍ତରଖାନାରେ ଉପସ୍ଥିତ ରହୁଛନ୍ତି ନା ନାହିଁ। ରୋଗୀଙ୍କୁ ଭଲ ବ୍ୟବହାର କରୁଛନ୍ତି ନା ନାହିଁ, ମେଡିକାଲରେ ଟଏଲେଟ ବ୍ୟବସ୍ଥା, ପାନୀୟ ଜଳ ବ୍ୟବସ୍ଥା ଆଦି ସଂପର୍କରେ ରୋଗୀ ଓ ସମ୍ପର୍କୀୟଙ୍କୁ ପଚାରି ବୁଝିଥିଲେ। କୌଣସି ପରିସ୍ଥିତିରେ ଯେପରି ରୋଗୀ ମାନଙ୍କ ଚିକିତ୍ସାରେ ଅବହେଳା ପ୍ରଦର୍ଶନ ନ ହୁଏ ସେଥିପ୍ରତି ଦୃଷ୍ଟି ଦେବାକୁ ମେଡିକାଲ ଅଫିସରଙ୍କୁ ପରାମର୍ଶ ଦେଇଥିଲେ ଏହି ଟିମ l ଜିଲ୍ଲାପାଳ କନ୍ଧମାଳଙ୍କ ନିର୍ଦ୍ଦେଶକ୍ରମେ ଏହି ପ୍ରଶାସନିକ ଅଧିକାରୀମାନେ ଗତ କାଲି ମେଡିକାଲ ପରିଦର୍ଶନ କରିଥିଲେ । ପ୍ରଶାସନିକ ଅଧିକାରୀମାନଙ୍କ ରିତିମତ ପରିଦର୍ଶନ ଫଳରେ ରୋଗୀ ମାନେ ନିଶ୍ଚିତ ପୂର୍ବାପେକ୍ଷା ଉନ୍ନତମାନର ସ୍ୱାସ୍ଥ୍ୟସେବା ପାଇବେ ବୋଲି ଆଶା କରାଯାଉଛି । କନ୍ଧମାଳ ଜିଲ୍ଲାପାଳ ଆଶିଷ ଈଶ୍ଵର ପାଟିଲଙ୍କ ଏହି ଉନ୍ନତ ଚିନ୍ତାଧାରା ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲାରେ ସ୍ୱାସ୍ଥ୍ୟସେବାରେ ନିଶ୍ଚିତ ପରିବର୍ତ୍ତନ ଆଣିବ ଏଥିରେ ସନ୍ଦେହ ନାହିଁ।

Leave A Reply

Your email address will not be published.