xmas

ଅଙ୍ଗନବାଡି ଗୃହ ନିର୍ମାଣରେ ଦୁର୍ନୀତି ଓ ଅନିୟମିତତା ଅଭିଯୋଗ

ଫୁଲବାଣୀ, ୧୬/୧୦: କୁହାଯାଏ ଶିଶୁ ହସିଲେ ଦେଶହସିବ। ଶିଶୁମାନେ ଦେଶର ଭବିଷ୍ୟତ । ଏଣୁ ଶିଶୁମାନେ ଯେପରି ଭଲ ପଡିବେ ଓ ବଢିବେ ସେଥିପ୍ରତି ସରକାର ଗୁରୁତ୍ଵ ଦେଉଥିବାବେଳେ ସେମାନଙ୍କ ପାଇଁ ନିର୍ମାଣ କରାଯାଉଥିବା ଅଙ୍ଗନବାଡି କେନ୍ଦ୍ର ନିର୍ମାଣରେ କେତେକ ସ୍ଥାନରେ ଦୁର୍ନୀତି ଓ ଅନିୟମିତତା ଅଭିଯୋଗ ହେଉଛି । ଏଭଳି ଅଭିଯୋଗ ଆସିଛି କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଳକ ବଲସଗୁମ୍ଫା ପଞ୍ଚାୟତର ଖଲି ଗୁଡୁରୀ ଗ୍ରାମରୁ । ଏଠାରେ ନିର୍ମାଣ କରାଯାଉଥିବା ନୂତନ ଅଙ୍ଗନବାଡି କେନ୍ଦ୍ର ଗୃହ ନିର୍ମାଣରେ ଅନିୟମିତତା ଓ ଦୁର୍ନୀତି ଅଭିଯୋଗ ସାମନାକୁ ଆସିଛି । ଅଙ୍ଗନବାଡି କେନ୍ଦ୍ର ବ୍ଳକ ପକ୍ଷରୁ ଡିପାର୍ଟ ମେଣ୍ଟାଲ କରାଯାଉଥିଲେ ମଧ୍ୟ ଯନ୍ତ୍ରୀ ନିଜ ଖାସ ଲୋକଜଣଙ୍କୁ ଠିକାଦାର ଭାବେ ନିଯୁକ୍ତି ଦେଇ କାର୍ଯ୍ୟ କରାଉଥିବା ଜଣାପଡିଛି । ତେବେ ଠିକାଦାର ଜଣଙ୍କ ବାଲି ପଥର ପକାଇ ଫାଉଣ୍ଡେସନ ଆରମ୍ଭ କରିଥିବାବେଳେ ନିର୍ମାଣ ଚାଲିଥିବା ପିଲରକାମ ମଧ୍ୟ ନିମ୍ନମାନର ହୋଇଥିବା କୁହାଯାଉଛି । ହାତ ମାରିଲେ ପିଲରରୁ ଗୁଡ଼ି ସିମେଣ୍ଟ ଖସି ପଡୁଛି । ଲୁହାଛଡ଼ ମଧ୍ୟ ଠିକ ଠାକ ଦିଆଯାଇନଥିବା ଅଭିଯୋଗ ହେଉଛି । ଏଷ୍ଟିମେଟ ଅନୁସାରେ କାମ ହେଉ ନ ଥିବା କଥା ଗ୍ରାମର କିଛି ଲୋକ ଅଭିଯୋଗ ଆଣିଥିବା ବେଳେ କାମ ବୁଝୁଥିବା ଠିକାଦାର ଯନ୍ତ୍ରୀଙ୍କ ନିର୍ଦ୍ଦେଶକୁ ଅକ୍ଷର ଅକ୍ଷର ପାଳନ କରି କାମ କରୁଥିବା କଥା କହୁଥିବାବେଳେ ଯନ୍ତ୍ରୀଙ୍କୁ ପଚାରିଲେ ସେ ଏ ବାବଦରେ ମୁହଁ ନଖୋଲିବା ସନ୍ଦେହ ସୃଷ୍ଟି କରିଛି । ଅପରପକ୍ଷରେ ଶିଶୁ ମାନଙ୍କ ଭବିଷ୍ୟତକୁ ନେଇ ଖେଳ ଖେଳିବା ଲାଗି ଦିଆଯିବ ନାହିଁ ବୋଲି କଂଗ୍ରେସ ନେତା ଘନ କୁମାର ଶବର ଚେତାବନୀ ଦେଇଛନ୍ତି । ତେବେ ଏହାର ଏକ ନିରପେକ୍ଷ ତଦନ୍ତ କରାଯାଇ ଉଚ୍ଚମାନର କାର୍ଯ୍ୟ କରିବାପାଇଁ ନିର୍ଦ୍ଦେଶ ଦେବା ଆବଶ୍ୟକ। ସେହିପରି କାର୍ଯ୍ୟ ଆରମ୍ଭ ପୂର୍ବରୁ ସମସ୍ତଙ୍କ ଅବଗତ ପାଇଁ କାର୍ଯ୍ୟ ଆରମ୍ଭ ଓ ଶେଷ ସମୟ ସୀମା, ପ୍ରକଳ୍ପ ମୂଲ୍ୟ, ଅନୁଦାନ ପ୍ରଦାନକାରୀ ସଂସ୍ଥା, ନିର୍ମାଣକାରୀ ସଂସ୍ଥାର ନାମ, ଶ୍ରମ ଦିବସ ସୃଷ୍ଟି ଆଦି ସର୍ବିଶେଷ ତଥ୍ୟ ସହ ଡିସପ୍ଳେ ବୋର୍ଡ କରିବା ଲାଗି ସରକାରଙ୍କ ନିର୍ଦ୍ଦେଶ ରହିଥିଲେ ମଧ୍ୟ ଯନ୍ତ୍ରୀ ଓ ଠିକାଦାରମାନେ ଜାଣିଶୁଣି କାଳେ ଅସୁବିଧା ହେବ ସେଥିପାଇଁ ଲେଖୁନଥିବା କୁହାଯାଉଛି । ଅନ୍ୟ ପଟରେ ଏହି ପଞ୍ଚାୟତ ଦାୟୀତ୍ଵରେ ଥିବା ଯନ୍ତ୍ରୀ ଜଣଙ୍କକୁ ଆଡେ ଏକାଧିକ ପଞ୍ଚାୟତ ଦାୟୀତ୍ଵରେ ଥିବା ଫଳରେ ସବୁ କାର୍ଯ୍ୟ ଠିକ ସମୟରେ ତଦାରଖ କରିବା ଓ କାର୍ଯ୍ୟରମାନ ଯାଞ୍ଚ କରିବା ସମ୍ଭବ ହେଉ ନ ଥିବା କୁହାଯାଉଛି । ଏଣୁ ଏଥି ପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଜରୁରୀ ବୋଲି ସାଧାରଣରେ ମତପ୍ରକାଶ ପାଇଛି । ଏନେଇ ବିଡିଓ କିମ୍ବା ଯନ୍ତ୍ରୀଙ୍କ ମତାମତ ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ସମ୍ଭବ ହୋଇନଥିଲା ।

Leave A Reply

Your email address will not be published.