xmas

ପୁଲିସ ଗାଡି ଧକ୍କାରେ ନାୟକଗୁଡା ଜିଆରଏସଙ୍କ ଦୁର୍ଘଟଣାରେ ମୃତ୍ୟୁ ଘଟଣା

ଶେଷରେ ନ୍ୟାୟ ପାଇଲେ ଜିଆରଏସଙ୍କ ପରିବାର
ଏଏସଆଇ ବିଜୟ ବେନିଆ କୋର୍ଟରେ ଆତ୍ମସମର୍ପଣ କଲେ

ମାଲକାନଗିରି,୨୦/୧୦: ଗତ ୨୦୨୦ ଜୁନ ୮ ତାରିଖ ଦିନ ମାଥିଲି ଥାନା ଅନ୍ତର୍ଗତ ପାଙ୍ଗାମ ଗ୍ରାମର ସୂର୍ଯ୍ୟନାରାୟଣ ସାହୁଙ୍କ ପୁଅ ବାଲରାଜୁ ସାହୁ ଯିଏ କି ନାୟକଗୁଡା ଗ୍ରାମ ପଞ୍ଚାୟତରେ ଜିଆରଏସ୍ ଭାବେ କାର୍ଯ୍ୟ କରୁଥିଲେ ପାଙ୍ଗାମରୁ ବାଲରାଜୁ କର୍ମକ୍ଷେତ୍ର ନାୟକଗୁଡାକୁ ତାଙ୍କ ସ୍କୁଟି ଓଡି ୧୦ ଇ ୧୪୫୯ରେ ଯାଉଥିବା ସମୟରେ ପାଙ୍ଗାମ ଏବଂ ଶିରାଗୁଡା ମଝିରେ ମାଲକାନଗିରି ଆଡୁ ଆସୁଥିବା ମାଥିଲି ଥାନାର ଗାଡିର ବୋଲେରୋ ନମ୍ବର ଓଆର-୦୫ଜି-୯୬୩୫ ଦ୍ରୁତ ଗତିରେ ଆସିବା ସହ ବେପାରୁଆ ଭାବରେ ଆସି ଦୁର୍ଘଟଣା ଘଟଣାଇବା ଫଳରେ ଜିଆରଏସ୍ ବାଲରାଜୁ ସାହୁଙ୍କ ମୃତ୍ୟୁ ଘଟିଥିଲା। ଏ ସଂକ୍ରାନ୍ତରେ ମାଥିଲି ଥାନାରେ କେସ ନଂ ୧୨୭/୮।୯।୨୦ ,ଦଫା – ୨୭୯/୩୩୭/୩୩୮/୩୦୪ (A) ଆଇପିସିରେ ମାମଲା ଦାୟର ହୋଇଥିଲା। ସେତେବେଳର ମାଲକାନଗିରି ପୋଲିସ ମୁଖ୍ୟାଳୟର ଡିଏସପି ବଳଭଦ୍ର ଦୀପ ତଦନ୍ତ ଭାର ନେଇଥିଲେ। ତଦନ୍ତ ସମୟରେ ଡିଏସ୍ଏପି ବଳଭଦ୍ର ଦୀପ ଦୁର୍ଘଟଣା ଏବଂ ମୃତ୍ୟୁ ପୋଲିସ ଗାଡି ଦୁର୍ଘଟଣା ଜନିତ ନୁହେଁ ବରଂ ମଇଁଷି ସମ୍ନାକୁ ଆସିବା ଫଳରେ ଜିଆରଏସ୍ ବାଲରାଜୁ ସାହୁ ସ୍କୃଟିରୁ ଭାରସାମ୍ୟ ହରାଇ ପ୍ରାଣ ହରାଇଥିବା ଥିବା ଦର୍ଶାଇ ମକବ୍ଦମାକୁ ଘଟଣାର ସତ୍ୟତା ନ ଥିବା ଦର୍ଶାଇ ତଦନ୍ତ ବନ୍ଦ କରି କୋର୍ଟକୁ ଫେରସ୍ତ କରିଥିଲେ। ପରବର୍ତ୍ତି ସମୟରେ ପୋଲିସ ତଦନ୍ତରେ ସନ୍ତୁଷ୍ଟ ନ ହୋଇ ଅଭିଯୋଗକାରୀ ସୂର୍ଯ୍ୟନାରାୟଣ ସାହୁ ମାନ୍ୟବର ମାଥିଲି ପ୍ରଥମ ଶେଣୀ ବିଚାର ବିଭାଗୀୟ ଦଣ୍ତାଧିକାରୀ (ଜେଏମଏଫସି) ପାଖରେ ପ୍ରତିବାଦ ପିଟିସନ ଦାୟର କରିଥିଲେ। ଏଥିସହ କିଛି ସାକ୍ଷୀମାନଙ୍କୁ ମଧ୍ୟ ଘଟଣା ସମ୍ପର୍କରେ କୋର୍ଟରେ ହାଜର କରାଇଥିଲେ।ମାନନୀୟ ଅଦାଲତ ଆବେଦନ ତଥା ସାକ୍ଷୀମାନଙ୍କ ବୟାନକୁ ଶୁଣି ପୋଲିସ ତଦନ୍ତ ଠିକ୍ କରିନଥିବାରୁ ଜାଣିବାକୁ ପାଇଥିଲେ। ପୋଲିସ ଗାଡି ଚଳାଉଥିବା ଏଏସଆଇ ବିଜୟ ବେନିଆଙ୍କ ବେପାରୁଆ ଗାଡି ଚାଳନା ଜନିତ ଦୁର୍ଘଟଣା ହୋଇ ଜିଆରଏସ୍ ବାଲରାଜୁ ସାହୁ ମୃତ୍ୟୁବରଣ କରିଥିବା ମାନ୍ୟବର କୋର୍ଟ ହୃଦୟଙ୍ଗମ କରିଥିଲେ। ଏଏସ୍ଆଇ ବେନିଆଙ୍କ ବିରୁଦ୍ଧରେ ପ୍ରମାଣ ପାଇଥିଲେ। ଫଳରେ ଆଜି ମାନ୍ୟବର କୋର୍ଟଙ୍କ ପାଖରେ ଦ୍ବାରସ୍ତ ହୋଇ ଅଭିଯୁକ୍ତ ଏଏସ୍ଆଇ ବିଜୟ ବେନିଆ ଆତ୍ମସମର୍ପଣ କରି ଜାମିନରେ ଯାଇଥବା ଜଣାପଡିଛି।ତେବେ ସମାଜସେବୀ ଶରତ ଚନ୍ଦ୍ର ବୁରୁଦା ପରିବାର ଲୋକଙ୍କ କୋହ ଓ ଦୁଃଖକୁ ସହିନପାରି ମାନ୍ୟବର କୋର୍ଟଙ୍କ ଦ୍ବାରସ୍ତ ହେବାକୁ ଆଇନଗତ ପରାମର୍ଶ ଦେଇ ପରିବାର ଲୋକଙ୍କୁ ସହଯୋଗ କରିଥିଲେ। ମାନ୍ୟବର ନ୍ୟାୟ ପ୍ରଦାନ କରିଥିବାରୁ ପରିବାର ଲୋକଙ୍କ ମଧ୍ୟରେ ଖୁସି ଦେଖିବାକୁ ମିଳିଛି।

Leave A Reply

Your email address will not be published.