xmas

ଖୁସ୍ ଅଛନ୍ତି ସୂର୍ଯ୍ୟ, ‘ନାସା’ ଜାରି କଲେ ହସକୁରା ଛବି

ୱାସିଂଟନ ୩୦।୧୦: ଛୋଟ ପିଲା ପ୍ରାୟତଃ ସୂର୍ଯ୍ୟଙ୍କ ଡ୍ରଇଂ କରିବା ବେଳେ ତାଙ୍କର ଆଖି ଓ ମୁହଁ କରି ଦେଇଥାନ୍ତି। ଏଣୁ ସେମାନଙ୍କ ସୂର୍ଯ୍ୟ ହସକୁରା ଦେଖାଯାଆନ୍ତି। ତେବେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ପିଲାଙ୍କ ଏହି କଳ୍ପନା କେବଳ କଳ୍ପନାମାତ୍ର ନୁହେଁ ବାସ୍ତବ। ଆମର ସୂର୍ଯ୍ୟ ସତରେ ହସୁଥାନ୍ତି। ଯଦି ବିଶ୍ୱାସ କରୁ ନାହାନ୍ତି ତେବେ ନାସାଙ୍କ ଏହି ସୂର୍ଯ୍ୟଙ୍କ ଛବିକୁ ଦେଖି ପାରନ୍ତି। ଚଳିତ ସପ୍ତାହରେ ନାସାଙ୍କ ସାଟେଲାଇଟ୍ ସୂର୍ଯ୍ୟଙ୍କ ଛବି କ୍ୟାପଚର କରିଛି। ଯାହାକୁ ଦେଖି ସମସ୍ତେ ଏବେ ଆଶ୍ଚର୍ଯ୍ୟ।

ସୂର୍ଯ୍ୟଙ୍କଠାରେ ଏପରି ପାର୍ଟନ ଦେଖାଯାଉଛି ଯାହାକୁ ଦେଖିଲେ ଲାଗୁଛି ସୂର୍ଯ୍ୟ ହସୁଛନ୍ତି। ଆମେରିକୀୟ ଅନ୍ତରୀକ୍ଷ ଏଜେନ୍ସୀ ଏହି ଛବିକୁ ସେୟାର କରି ଏହାକୁ ‘ସ୍ମାଇଲିଂ ସନ’ ଅର୍ଥାତ ହସକୁରା ସୂର୍ଯ୍ୟ ବୋଲି କହିଛନ୍ତି। ନାସା ଟ୍ୱିଟ୍‌ରେ ସୋଲାର ଡାୟନାମିକ୍ସ ଅବଜରଭେଟରୀ ସୂର୍ଯ୍ୟଙ୍କୁ ହସୁଥିବାର ଦେଖିଛି ବୋଲି ଉଲ୍ଲେଖ କରିଛନ୍ତି। ସୋଲାର ଡାୟନାମିକ୍ସ ଅବଜରଭେଟରୀ ସୂର୍ଯ୍ୟଙ୍କ ଗତିବିଧିରୁ ଅନ୍ତରୀକ୍ଷର ପାଣିପାଗ ପୂର୍ବାନୁମାନ କରିଥାନ୍ତି। ଏହି ମିସନ ୧୧ ଫେବୃଆରୀ ୨୦୧୦ରେ ଲଞ୍ଚ କରାଯାଇଥିଲା।

ଅବଜରଭେଟରୀର ସ୍ପେସ୍‌ କ୍ରାଫ୍ଟ ସୂର୍ଯ୍ୟଙ୍କ ଆଭ୍ୟନ୍ତରୀଣ ସଂରଚନା, ବାୟୁମଣ୍ଡଳ, ଚୁମ୍ବକୀୟ କ୍ଷେତ୍ର ଓ ଶକ୍ତି ଉତ୍ପାଦନର ମାପ କରିଥାଏ। ନାସା ଏହି ଛବି ସେୟାର କରିବା ପରେ ଲୋକଙ୍କ ନାନା ପ୍ରତିକ୍ରିୟା ମିଳିଛି। ଅନେକ ଲୋକ ଏହି ଛବିକୁ ହେଲୋୱିନ କଖାରୁ ସହ ତୁଳନା କରିଥିବା ବେଳେ ଭାରତରେ ଛଟ୍ ପୂଜା ଚାଲିଥିବାରୁ ଲୋକେ ପୂଜା ସହ ଛବିକୁ ମିସାଇ ଦେଖୁଛନ୍ତି। ତେବେ ବୈଜ୍ଞାନିକ ଦୃଷ୍ଟିରୁ ଦେଖିବାକୁ ଗଲେ ସୂର୍ଯ୍ୟଙ୍କ ଏହି ହସ ପଛରେ ରହିଛି ଚେତାବନୀ ବୋଲି ବୁଝା ଯାଉଛି।

ଏଥିରୁ ବିଶେଷଜ୍ଞମାନେ ସୂର୍ଯ୍ୟଙ୍କ କରୋନେଲ ହୋଲ ଯେପରି ଦେଖା ଯାଉଛି ଏଥିରୁ ସୂର୍ଯ୍ୟରୁ ବାହାରୁଥିବା ଝଡ ପୃଥିବୀ ସହ ଧକ୍କା ଲାଗିବ ବୋଲି ପୂର୍ବାନୁମାନ କରୁଛନ୍ତି। ସ୍ପେସ୍ ୱେଦର ଡଟକମ ଅନୁସାରେ ହସକୁରା ସୂର୍ଯ୍ୟ ପୃଥିବୀ ଆଡକୁ ସୌର ଝଡର ଏକ ଧାରା ବୁହାଉଥିବା କହିଛନ୍ତି। ଏହି ସୌର ଝଡ ପୃଥିବୀର ଚୁମ୍ବକୀୟ କ୍ଷେତ୍ରକୁ ପ୍ରଭାବିତ କରିଥାଏ। ଯେଉଁଥି ଲାଗି ଉତ୍ତର ଓ ଦକ୍ଷିଣ ଗୋଲାର୍ଦ୍ଧରେ ପୋଲାର ଲାଇଟ ଦେଖାଯାଇଥାଏ।

Leave A Reply

Your email address will not be published.