xmas

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ‘ଜୟ ଜଗନ୍ନାଥ’ରୁ ଆରମ୍ଭ କରି ‘ଜୟ ଜଗନ୍ନାଥ’ରେ ଶେଷ କଲେ ଅଭିଭାଷଣ

ଭୁବନେଶ୍ୱର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ‘ଜୟ ଜଗନ୍ନାଥ’ରେ ଆରମ୍ଭ କରି ‘ଜୟ ଜଗନ୍ନାଥ’ରେ ଶେଷ କଲେ ଅଭିଭାଷଣ । ନିଜ ମାଟିର ମୋହରେ ଭିନ୍ନତା ରହିଛି । ନିଜ ମାଟିର ଆକର୍ଷଣ ନିଆରା ମଧ୍ୟ । ନିଜ ମାଟି ‘ଓଡ଼ିଶା’କୁ ଆସି ମୁଁ ଆଜି ଆନନ୍ଦିତ । ସ୍ଥାନୀୟ ରାଜଭବନରେ ଓଡ଼ିଶା ସରକାରଙ୍କ ତରଫରୁ ଆୟୋଜିତ ନାଗରିକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ସନ୍ଧ୍ୟାରେ ଏହା କହିଛନ୍ତି । ରାଷ୍ଟ୍ରପତି ‘ଜୟ ଜଗନ୍ନାଥ‘ କହି ନିଜର ଅଭିଭାଷଣ ଆରମ୍ଭ କରିଥିଲେ । ସେ କହିଥିଲେ ଯେ, ରାଷ୍ଟ୍ରପତି ହେଲା ପରେ ଜନ୍ମମାଟିକୁ ପ୍ରଥମ ଆଗମନ କରିଛି । ଆପଣଙ୍କର ଶ୍ରଦ୍ଧା ଓ ଭଲ ପାଇବା ଅଭିଭୂତ କରିଛି । ଏପରି ଏକ ଭବ୍ୟ ଉତ୍ସବର ଆୟୋଜନ କରିଥିବାରୁ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଉଛି । ରାଷ୍ଟ୍ରପତି କହିଥିଲେ ମହାପ୍ରଭୁ ଶ୍ରୀଜଗନ୍ନାଥ କେବଳ ଓଡ଼ିଶାବାସୀଙ୍କ ନୁହଁନ୍ତି ।

ସେ ଭାରତ ଓ ବିଶ୍ୱବାସୀଙ୍କ ପାଇଁ । ତେଣୁ ବିଶ୍ୱର କଲ୍ୟାଣ ପାଇଁ ମହାପ୍ରଭୁଙ୍କୁ ପ୍ରାର୍ଥନା କରିଛି । ଦାତାପଣରେ ଜଗନ୍ନାଥଙ୍କ ସମକକ୍ଷ କେହି ହୋଇପାରିବେ ନାହିଁ । ପୁରୀରେ ଏଏସ୍‌ଆଇର କାର୍ଯ୍ୟାଳୟ ଖୋଲିବା ନେଇ ଦାବି ହୋଇଥିଲା । ପୁରୀରେ ନୂଆ ସର୍କଲ ଅଫିସ ଖୋଲାଯାଇଥିବାରୁ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଜି କିଷନ ରେଡ୍ଡୀଙ୍କୁ ଧନ୍ୟବାଦ ଜଣାଉଛି । ଭାରତର ପ୍ରତି ପ୍ରଦେଶ ମୋର ବେଶ ଆପଣାର ହୋଇପାରିଛି । ଭାରତର ମାଟି ସୁନା ଭଳି । ଭାରତର ପ୍ରତି ବୃକ୍ଷ କଳ୍ପବଟ । ଭାରତର ଯେଉଁଠି ଥିଲେ ବି ତାହା ମୋର ଘର । ଗୋପବନ୍ଧୁଙ୍କ ଲେଖା ମୋତେ ଅନୁପ୍ରାଣିତ କରିଛି । ନିଜ ଅଞ୍ଚଳର ସବୁକିଛି ନିଆରା । ଓଡ଼ିଶା ଆସି ବହୁତ ଖୁସି ଲାଗୁଛି । ଚିଳିକା ପରି ହ୍ରଦ, ଶିମିଳିପାଳ ଭଳି ବୃହତ ଜୈବବିବିଧତା ଓଡ଼ିଶାର ଭୂଗୋଳକୁ ବଡ଼ ଅବଦାନ ରହିଛି । ଅହିଂସାର ସ୍ୱର ଓଡ଼ିଶା ମାଟିରୁ ଶୁଭିଥିଲା ବୋଲି ରାଷ୍ଟ୍ରପତି କହିଛନ୍ତି ।

ଏହା ପୂର୍ବରୁ ରାଷ୍ଟ୍ରପତି ଦୟାନଦୀ କୂଳରେ ଘଟିଥିବା ରକ୍ତପାତ ଘଟଣା, ସମ୍ରାଟ ଅଶୋକଙ୍କ କଳିଙ୍ଗ ବିଜୟ ଓ ଓଡ଼ିଶାର ନୌବାଣିଜ୍ୟ ପରମ୍ପରାକୁ ମନେ ପକାଇଥିଲେ । ସେ କହିଥିଲେ ଭାଷାଭିତ୍ତିକ ଭାବେ ଓଡ଼ିଶା ହେଉଛି ପ୍ରଥମ ରାଜ୍ୟ । ବ୍ରିଟିଶ ବିରୋଧୀ ଆନ୍ଦୋନଳ ଓଡ଼ିଶାରୁ ଆରମ୍ଭ ହୋଇଥିଲା । ପାଇକ ବିଦ୍ରୋହରେ ଓଡ଼ିଶା ସାମିଲ ହୋଇଥିଲା । ଭାରତର ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା । ରମାଦେବୀ, ମାଳତୀ ଦେବୀ ଓ ସରଳା ଦେବୀ ସ୍ୱାଧୀନତା ସଂଗ୍ରାମକୁ ଆହୁରି ବଳ ଦେଇଥିଲେ । ଓଡ଼ିଶାରେ ଭାରତଛାଡ଼ ଆନ୍ଦୋଳନ ମଧ୍ୟ ସକ୍ରିୟ ଥିଲା । ସ୍ୱାଧୀନତା ସଂଗ୍ରାମରେ ଯୋଗଦେଇ ଭଦ୍ରକ ଜିଲ୍ଲାର ରକ୍ତତୀର୍ଥ ’ଇରମ’ରେ ୨୯ ଜଣ ସହିଦ ହୋଇଥିଲେ ।

ସ୍ୱାଧୀନତା ଆନ୍ଦୋଳନରେ ଡ ହରେକୃଷ୍ଣ ମହତାବଙ୍କ ଅବଦାନକୁ ଭୁଲିହେବ ନାହିଁ । ଭାରତର ୮ଟି ଶାସ୍ତ୍ରୀୟ ସଂଗୀତ ମଧ୍ୟରୁ ଓଡ଼ିଶୀ ଅନ୍ୟତମ । ସେହିପରି ଦେଶର ୬ଟି ଶାସ୍ତ୍ରୀୟ ଭାଷା ମଧ୍ୟରୁ ଓଡ଼ିଆ ଅନ୍ୟତମ । ଓଡ଼ିଶାର ଆଞ୍ଚଳିକ ଗୀତ ଦେଶର ନୃତ୍ୟକୁ ମଧ୍ୟ ସମୃଦ୍ଧ କରିଛି । ଭାରତର ଭାସ୍କର୍ଯ୍ୟକୁ ଓଡ଼ିଶାର ଅବଦାନ ଉଲ୍ଲେଖନୀୟ । ଓଡ଼ିଶା ଆଉ ୧୪ ବର୍ଷ ପରେ ଶତବାର୍ଷିକ ପାଳନ କରିବ । ତେଣୁ ଏହି ସମୟ ଗୁରୁତ୍ୱପୂର୍ଣ୍ଣ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଆଜି ସନ୍ଧ୍ୟାରେ ନାଗରିକ ସମ୍ବର୍ଦ୍ଧନା ଦିଆଯାଇଥିଲା । ସମାରୋହରେ ରାଜ୍ୟପାଳ ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଓଡ଼ିଶା ହାଇକୋଟ୍ର ମୁଖ୍ୟ ବିଚାରପତି ଏସ୍ ମୁରଲୀଧର, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଓଡ଼ିଶା ବିଧାନସଭାର ବାଚସ୍ପତି ବିକ୍ରମକେଶରୀ ଆରୁଖ ଓ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ମେୟର ସୁଲୋଚନା ଦାସ ମଞ୍ଚାସୀନ ଥିଲେ ।

Leave A Reply

Your email address will not be published.