xmas

କୁକୁଡା ଗାଲି ଓ ଜୁଆ ଖେଳ ବନ୍ଦ କରିବା ନେଇ ସରପଞ୍ଚ ଓ ସମର୍ଥକ ଏସପିଙ୍କୁ ଭେଟିଲେ

ମାଲକାନଗିରି,୧୧/୧୧: ମାଲକାନଗିରି ବ୍ଲକ ଅନ୍ତର୍ଗତ ତମସା ପଞ୍ଚାୟତର ସରପଞ୍ଚ ଗୀତା ପଡିଆମିଙ୍କ ସହ ବହୁ ସମର୍ଥକ ଆଜି ଏସପି ନୀତିଶ ଵାଧଵାନିଙ୍କୁ ଭେଟି କୁକୁଡା ଗାଲି ଓ ଜୁଆ ଖେଳ ବନ୍ଦ କରିବା ନେଇ ଦାବି ପତ୍ର ପ୍ରଦାନ କରିଥିଲେ। ସ୍ଥାନୀୟ ସରପଞ୍ଚଙ୍କ କହିବା ହେଲା ଦୀର୍ଘ ଦିନ ହେଲା ତମସା, ବଇଲାପାରୀ ଏବଂ ଦରିଗୁଡା ଗ୍ରାମରେ ବେଧଡକ କୁକୁଡା ଗାଲି ,ଜୁଆଖେଳ ଓ ମଦ ବିକ୍ରି ଚାଲିଛି। ଏହାକୁ ବନ୍ଦ କରିବାକୁ ସେହି ଅଂଚଳର ଲୋକଙ୍କୁ ବାରମ୍ବାର ବୁଝାସୁଝା କରାଗଲେ ମଧ୍ୟ ସେମାନେ ଓଲଟା ତମେ ଆମର କଣ କରିବ କର ବୋଲି ଧମକ ଦେଉଥବା କହିଥିଲେ। ସେହିପରି ଯଦି ଜବରଦସ୍ତ କର ତେବେ ଜୀବନରେ ମାରିଦେବାକୁ ମଧ୍ୟ ଧମକ ଦେଉଥିବା ସରପଞ୍ଚ ଏବଂ ଅନ୍ୟମାନେ ଏସପିଙ୍କ ନିକଟରେ ଫେରାଦ ହୋଇ କହିଥିଲେ। ଏନେଇ ଗତ ଅକ୍ଟୋବର ୧୩ ତାରିଖରେ ମାଲକାନଗିରି ଥାନାରେ ଲିଖିତ ଅଭିଯୋଗ ଦିଆଯାଇଥିଲା କିନ୍ତୁ କୌଣସି ପଦକ୍ଷେପ ନନେବାରୁ ଜୁଆଡିଙ୍କ ଦାଦାଗିରି ବଢିବାକୁ ଲାଗିଛି। ଦୀର୍ଘ ଦିନ ଧରି କୁକୁଡା ଗାଲି ଓ ଜୁଆଖେଳ ହେବା ଦ୍ବାରା ଲୋକେ ଟଙ୍କା ପଇସା ହରାଇ ସର୍ବସ୍ବାନ୍ତ ହୋଇସାରିଲେଣି। ଘରେ ଏନେଇ ସବୁବେଳେ ଗଣ୍ଡଗୋଳ ଲାଗି ରହିଥିବା ଦେଖିବାକୁ ମିଳୁଛି। ତେବେ ତୁରନ୍ତ ଏହି ଅଞ୍ଚଳରେ ଚାଲିଥିବା ଏହି ବେଆଇନ କୁକୁଡା ଗାଲି ଓ ଜୁଆ ଖେଳକୁ ବନ୍ଦ କରାଯାଉ ବୋଲି ଦାବି କରାଯାଇଥିଲା।

Leave A Reply

Your email address will not be published.