mobile header

ଭାରତୀୟ ମହାକାଶ ଗବେଷଣା କ୍ଷେତ୍ରରେ ନୂଆ ସକାଳ : ସଫଳତାର ସହ ମହାକାଶ ଯାତ୍ରା କଲା ବିକ୍ରମ-ଏସ୍ ରକେଟ୍

ନୂଆଦିଲ୍ଲୀ: ଦେଶର ସ୍ପେସ୍‌ ମାର୍କେଟରେ ଘରୋଇ କଂପାନୀଙ୍କ ଧମାକାଦାର ଏଣ୍ଟ୍ରି । ପ୍ରଥମ କରି ମହାକାଶରେ ପାଦ ଥାପିଛି ହାଇଦ୍ରାବାଦ୍ର ଘରୋଇ କଂପାନି ସ୍କାଏ ରୁଟ୍ ଏରୋସ୍ପେସ୍ । ପ୍ରାରମ୍ଭ ମିଶନ ଅନ୍ତର୍ଗତ ବିକ୍ରମ-ଏସ୍ ରକେଟକୁ ସଫଳତାର ସହ ମହାକାଶ ପ୍ରେରଣ କରାଯାଇଛି । ଇସ୍ରୋର ଶ୍ରୀହରିକୋଟ୍ଟାସ୍ଥିତ ସତୀଶ ଧାଓ୍ୱନ ସ୍ପେସ୍‌ ଷ୍ଟେସନରୁ ଏହି ଉତକ୍ଷେପଣ କରାଯାଇଛି । କଲାମ-୮୦ ଉତକ୍ଷେପଣ ବ୍ୟବସ୍ଥା ମାଧ୍ୟମରେ, ବିକ୍ରମ ଏସ୍ ରକେଟକୁ ମହାକାଶ ପ୍ରେରଣ କରାଯାଇଛି ।

୩ ଷ୍ଟେଜର ଏହି ରକେଟ୍ ଭୂପୃଷ୍ଠରୁ ୮୯.୫ କିଲୋମିଟର ଉଚ୍ଚତାରେ ପହଞ୍ଚିଥିଲା ଅର୍ଥାତ୍ ଏହା ପୃଥିବୀର କକ୍ଷ ଯାଏଁ ଉଡାଣ ଭରିନାହିଁ । ତେବେ ଭବିଷ୍ୟତରେ ଅଧିକ ପେଲୋଡ୍ ନେବା ଲାଗି ରକେଟ୍ କେତେ ସକ୍ଷମ, ଆଜିର ଉତକ୍ଷେପଣରୁ ତାର ଅନୁଧ୍ୟାନ କରାଯିବ । ପ୍ରଥମ ଉତକ୍ଷେପଣ ସଫଳ ହେବା ପରେ ବିକ୍ରମ-ଓ୍ୱାନ୍ ଲଞ୍ଚ ଲାଗି ପଥ ପରିଷ୍କାର ହୋଇଛି । ଆସନ୍ତା ବର୍ଷ ଏକାଧିକ ରକେଟକୁ ମହାକାଶ ପ୍ରେରଣ ଲାଗି ସ୍କାଏ ରୁଟ୍ ଲକ୍ଷ୍ୟ ରଖିଛି ।

ବିକ୍ରମ ଏସ୍-ରକେଟରେ ହାଇଦ୍ରାବାଦ୍ ସ୍ଥିତ ଏନ-ସ୍ପେସ୍, ଚେନ୍ନାଇ ସ୍ଥିତ ସ୍ପେସ୍ କିଡ୍ସ ଓ ‌ଆର୍ମେନିଆର ବାଜୁମ୍-ତ୍ୟୁ ସ୍ପେସ ଲ୍ୟାବର ୩ଟି ପେ-ଲୋଡ୍ ପଠାଯାଇଛି । ୨ଶହ ଜଣିଆ ଇଂଜିନିୟରିଂ ଟିମ୍ ମାତ୍ର ଦୁଇ ବର୍ଷରେ ପ୍ରାରମ୍ଭ ମିଶନକୁ ରୂପ ଦେଇଛି । ଦେଶର ପ୍ରଥମ ଘରୋଇ ରକେଟ୍ ଲଞ୍ଚ କରି ସ୍କାଏ-ରୁଟ୍ ଇତିହାସ ସୃଷ୍ଟି କରିଥିବା କଂପାନୀର ପ୍ରତିଷ୍ଠାତା ପବନ କୁମାର ଚନ୍ଦନା କହିଛନ୍ତି ।

୨୦୨୦ରେ କେନ୍ଦ୍ର ସରକାର ଘରୋଇ କଂପାନିଙ୍କ ଲାଗି ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋର ଦ୍ୱାରା ଖୋଲା କରିଥିଲେ । ରକେଟ୍ ଇଞ୍ଜିନ ଓ ଉତକ୍ଷେପଣ ବ୍ୟବସ୍ଥାର ପରୀକ୍ଷଣ ଲାଗି ଇସ୍ରୋ ଏହାର ଲଞ୍ଚଷ୍ଟେସନ ଓ ପରୀକ୍ଷାଗାର ସୁବିଧା ଯୋଗାଇ ଦେଉଛି ।

ସ୍କାଏ ରୁଟ୍ ଏରୋସ୍ପେସ ୩ ପ୍ରକାର ରକେଟ୍ ବିକଶିତ କରୁଛି । ଆସନ୍ତା ବର୍ଷ ଲଞ୍ଚ୍ ଲାଗି ଲକ୍ଷ୍ୟ ଥିବା ବିକ୍ରମ-ଓ୍ୱାନ୍ ରକେଟ୍ ୪୮୦ କିଲୋଗ୍ରାମ ଓଜନର ପେ-ଲୋଡକୁ ଲୋ-ଆର୍ଥ ଅର୍ବିଟ୍ ଯାଏଁ ନେବା ପାଇଁ ସକ୍ଷମ । ବିକ୍ରମ-ଟୁ ରକେଟର ୫୯୫ କିଲୋଗ୍ରାମ ଯାଏଁ ଓଜନ ବହନ ଦକ୍ଷତା ଥିବା ବେଳେ, ବିକ୍ରମ ଥ୍ରୀ ରକେଟ୍ ୮୧୫ କିଲୋଗ୍ରାମ ପଯର୍ୟନ୍ତ ଓଜନକୁ ୫ଶହ କିଲୋମିଟର ଉପରେ ଅବସ୍ଥିତ ଲୋ- ଇନକ୍ଲିନେସନ ଅରବିଟକୁ ନେଇପାରିବ ।

Leave A Reply

Your email address will not be published.