ଫୁଲବାଣୀ ସମେତ ସମଗ୍ର କନ୍ଧମାଳରେ ପୁଣି ଶୀତ ଲହରୀ: ଫୁଲବାଣୀରେ ୮.୫ ଡିଗ୍ରୀ ତଳକୁ ଖସିଲା ପାରଦ, ଦାରିଙ୍ଗବାଡିରେ ୯.୫ ଡିଗ୍ରୀ ସେଲସିୟସ
ଫୁଲବାଣୀ, ୨୮/୧୧: ଗତ କିଛି ଦିନର ବ୍ୟବଧାନ ପରେ ପୁଣି ଶୀତର ପ୍ରକୋପ ବୃଦ୍ଧି ପାଇଛି l ଫୁଲବାଣୀ ସମେତ ସମଗ୍ର କନ୍ଧମାଳ ଜିଲ୍ଲା ଶୀତରେ ଥରୁଛି । ପାରଦ ଦିନକୁ ଦିନ ଖସିବାରେ ଲାଗିଛି ଫଳରେ ଥଣ୍ଡାର ପ୍ରକୋପ ମଧ୍ୟ ବଢିବାରେ ଲାଗିଛି ତା ସାଙ୍ଗକୁ ସକାଳ ୯ଟା ଯାଏ ଘନ କୁହୁଡ଼ି ମଧ୍ୟ ଲାଗି ରହୁଛି। ସୋମବାର ଆଜି ଫୁଲବାଣୀରେ ୮.୫ ଡିଗ୍ରୀ ଥିବାବେଳେ ଦାରିଙ୍ଗବାଡିରେ ୯.୫ ଡିଗ୍ରୀକୁ ଖସି ଆସିଛି l ଘନ କୁହୁଡିର ଚାଦର ତଳେ ସାରା କନ୍ଧମାଳ । କୁହୁଡି ଯୋଗୁ ମୁହଁକୁ ମୁହଁ ଦେଖାଯାଉନି । ଫଳରେ ସକାଳ ୯ଟା ପୂର୍ବରୁ ଘରୁ ପଦାକୁ ବାହାରି ପାରୁ ନାହାନ୍ତି ଲୋକୋ ସେପଟେ ସଞ୍ଜ ନଇଁବା କ୍ଷଣି ଏବେ ପୁଣି ଦୁଇ ଦିନ ହେଲା ଥଣ୍ଡା ମାଡି ଆସୁଛି। ଫଳରେ ରାସ୍ତାଘାଟ ମଧ୍ୟ ଜନଶୁନ୍ୟ ହୋଇ ପଡୁଛି ତା ସାଙ୍ଗକୁ ଦୋକାନ ବଜାର ବି ଖାଁ ଖାଁ ଲାଗୁଛି । କି ବୁଢା କି ପିଲା ସଭିଏ ଏବେ ନିଆଁ ଜାଳି ନିଆଁ ପାଖରେ ଦିନରାତି ବସି ରହୁଛନ୍ତି । ଆଗକୁ ଆହୁରି ତାପମାତ୍ରା ଖସିବାର ସମ୍ଭାବନା ରହିଛି l ଥଣ୍ଡା ବଢିବା ଫଳରେ ଏବେ ଗରମ ପୋଷାକର ମଧ୍ୟ ଚାହିଦା ବଢିବାରେ ଲାଗିଛି । ଫଳରେ ଗାଁରୁ ସହର ଯାଏ ଗରମ ପୋଷାକର ପସରା ମେଲିଥିବା ଦେଖାଯାଉଛି। ଲୋକେ ମଧ୍ୟ ଗରମ ପୋଷାକ କିଣାକିଣି କରୁଥିବା ଦେଖିବାକୁ ମିଳୁଛି । ସେହିପରି ଜ଼ିଲ୍ଲାର ବାଲିଗୁଡାରେ ବି ଥଣ୍ଡାର ପ୍ରକୋପ ବଢ଼ିବାରେ ଲାଗିଛି l ଥଣ୍ଡା ସାଙ୍ଗକୁ ଘନ କୁହୁଡି ଅସ୍ତବ୍ୟସ୍ତ କରିପକାଇଛି ଜନ ଜୀବନ l ସେହିପରି ଜିଲ୍ଲାର ବେଲଘର, ତୁମୁଡିବନ୍ଧ, ରାଇକିଆ, ମଣ୍ଡାସୁର, ଜିଉଦୟଗିରି, ରାଇକିଆ, ଆଦି ଅଞ୍ଚଳରେ ମଧ୍ଯ ତାପମାତ୍ରା ୧୦ ଡିଗ୍ରୀ ତଳକୁ ଖସି ଆସିଥିବାରୁ ଏସବୁ ସ୍ଥାନରେ ଏବେ ପ୍ରବଳ ଥଣ୍ଡା ଅନୁଭୁତ ହେଉଛି। ତେବେ ଏବେ ପର୍ଯ୍ୟଟନ ରୂତୁ ହୋଇଥିବାରୁ କନ୍ଧମାଳ ଜ଼ିଲ୍ଲାର ପ୍ରାକୃତିକ ମନୋରମ ପରିବେଶକୁ ମନଭରି ଉପଭୋଗ କରିବା ଲାଗି ଜିଲ୍ଲାରେ ଥିବା ବିଭିନ୍ନ ପର୍ଯ୍ୟଟନସ୍ଥଳୀ ଗୁଡିକରେ ବଣଭୋଜିର ଆସର ସାଙ୍ଗଙ୍କୁ ରାଜ୍ୟ ଓ ରାଜ୍ୟ ବାହାରର ପର୍ଯ୍ୟଟକ ମାନଙ୍କ ଆସ୍ତେ ଆସ୍ତେ ଭିଡ଼ ମଧ୍ୟ ଜମିଲାଣି।