mobile header

ଏଜେଓ ହାଇସ୍କୁଲ ଖେଳପଡିଆକୁ ଖେଳ ଉପଯୋଗୀ କରିବା ଲାଗି ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ଶ୍ରାବଣୀ

ଫୁଲବାଣୀ, ୦୯/୧୨: କନ୍ଧମାଳ ଜିଲ୍ଲା ସଦର ମହକୁମା ଫୁଲବାଣୀ ଠାରେ ଥିବା ଏଜେଓ ହାଇସ୍କୁଲର ଖେଳପଡିଆ ଏବେ ଆଉ ଖେଳପଡିଆ ହୋଇ ରହିନି ସେଇଟା ମାଛ ହାଟରେ ପରିଣତ ହୋଇଛି l ଚାରି ଆଡେ ଅଳିଆ ଆବର୍ଜନା ସାଙ୍ଗକୁ ଅପରିଷ୍କାର ହୋଇଗଲାଣି l ତାର ଯେପରି ପୁନରୁଦ୍ଧାର ହୋଇପାରିବ ଓ ଖେଳ ଉପଯୋଗୀ ହୋଇପାରିବ ସେଥି ପ୍ରତି ପ୍ରଶାସନ ଦୃଷ୍ଟି ଦେବା ଲାଗି ଜାତୀୟସ୍ତରର କ୍ରୀଡ଼ାବିତ ତଥା ଧାବିକା କନ୍ଧମାଳ ଝିଅ ସୁଶ୍ରୀ ଶ୍ରାବଣୀ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି l ଶ୍ରାବଣୀ କହିଛନ୍ତି ଏଜେଓ ହାଇସ୍କୁଲ ଯେପରି ପୁରୁଣା ସେହିପରି ଖେଳପଡିଆ ମଧ୍ୟ ପୁରୁଣା l ସହରର ସମସ୍ତ ହାଇସ୍କୁଲ ଛାତ୍ର ଛାତ୍ରୀ ଏହି ଖେଳପଡିଆରେ ଖେଳୁଛନ୍ତି l ଶ୍ରାବଣୀ ମଧ୍ୟ ଅତୀତରେ ସତ୍ୟ ସାଇ ସ୍କୁଲରେ ପାଠ ପଢିବା ବେଳେ ଏହି ପଡିଆରେ ଖେଳୁଥିଲେ l ଏଠାରୁ ହିଁ ସେ କୃତିତ୍ୱ ଲାଭ କରି ଆଗକୁ ବଢ଼ି ଆଜି ଓ ଆନ୍ତ ଜାତୀୟସ୍ତରରେ ସୁନାମ ଅର୍ଜନ କରିବା ସହ ଅଲମ୍ପିକରେ ଭାଗ ନେଇପାରିଛନ୍ତି l ନିକଟରେ ଫୁଲବାଣୀ ଗସ୍ତରେ ଆସି ଶ୍ରାବଣୀ ଏହି ପଡିଆରେ ଆୟୋଜିତ କ୍ରୀଡ଼ା ଉତ୍ସଵରେ ମୁଖ୍ୟ ଅତିଥି ହୋଇଥିଲେ ଆଉ ପଡିଆ ଅବସ୍ଥା ଦେଖି ଦୁଃଖ ପ୍ରକାଶ କରିଥିଲେ l ଆଉ ଏନେଇ ପଡିଆର ଉନ୍ନତିକରଣ ପାଇଁ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲଙ୍କୁ ଚିଠି ଲେଖିଛନ୍ତି l ଜିଲ୍ଲାପାଳ ପଡିଆର ଉନ୍ନତିକରଣ କରିବା ସହ ମାଛ ହାଟ ଉଛେଦ କରିବା ଲାଗି ତ୍ୱରିତ ପଦକ୍ଷେପ ଗ୍ରହଣ କରିବେ ବୋଲି କୁହାଯାଉଛି l

Leave A Reply

Your email address will not be published.