କିଟ୍‍ ଓ କିସ୍‍ ପକ୍ଷରୁ ମିନି ମାରାଥନ୍‍: ଶିକ୍ଷା ପାଇଁ ସାରା ବିଶ୍ୱରେ ଲକ୍ଷେ ଲୋକ ଦୌଡ଼ିଲେ

ଭୁବନେଶ୍ୱର, ୨୮/୯: କିଟ୍‍ ଓ କିସ୍‍ ପକ୍ଷରୁ ରବିବାର ଏକ ମିନି ମାରାଥନ୍‍ ଅନୁଷ୍ଠିତ ହୋଇଯାଇଛି । ଏହି ମିନି ମାରାଥନ୍‍ ରାଜଧାନୀ ଭୁବନେଶ୍ୱର ସମେତ ଓଡ଼ିଶାର ୩୦ ଜିଲ୍ଲା ସଦର ମହକୁମାକୁ ମିଶାଇ ୩୫ଟି ସ୍ଥାନରେ ଆୟୋଜିତ ହୋଇଥିବାବେଳେ ଭାରତର ୨୫ଟି ସହର ଓ ବାଂଲାଦେଶ, ନେପାଳ, ଶ୍ରୀଲଙ୍କା, କ୍ୟାମରୁନ୍‍, କେନିଆ ଏବଂ ଜିମ୍ବାୱେ ଆଦି ବିଶ୍ୱର ୨୫ଟି ଦେଶରେ ଅନୁଷ୍ଠିତ ହୋଇଥିଲା । ଏହି ମିନି ମାରାଥନ୍‍ରେ ଭାରତ ସମେତ ସମଗ୍ର ବିଶ୍ୱରେ ଏକ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ଅଂଶଗ୍ରହଣ କରିଥିଲେ । ଏଥିପାଇଁ କିଟ୍‍ ଓ କିସ୍‍ ପକ୍ଷରୁ ବିଭିନ୍ନ ସ୍ଥାନରେ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା । କେବଳ ଭୁବନେଶ୍ୱରରେ ୨୦ ହଜାର ଛାତ୍ରଛାତ୍ରୀ, କ୍ରୀଡ଼ାବିତ୍‍ ଓ ସମାଜର ବିଭିନ୍ନ ବର୍ଗର ଲୋକ ଅଂଶଗ୍ରହଣ କରିଥିଲେ । ଦୁଇ କିଲୋମିଟର ପର୍ଯ୍ୟନ୍ତ ଅଂଶଗ୍ରହଣକାରୀଙ୍କ ଲମ୍ବା ଧାଡ଼ି ଦେଖିବାକୁ ମିଳିଥିଲା । କିଟ୍‍ ଓ କିସ୍‍ ବହୁ ବର୍ଷ ଧରି ମିନି ମାରାଥନ୍‍ ଆୟୋଜନ କରିଆସୁଛି । କରୋନା ମହାମାରୀ ଯୋଗୁଁ ଗତ ଦୁଇ ବର୍ଷ ହେଲା ଏହି ମିନି ମାରାଥନ୍‍ ସ୍ଥଗିତ ରହିଥିଲା । ଚଳିତ ବର୍ଷ କିଟ୍‍ର ୨୫ ବର୍ଷ ପୂର୍ତ୍ତି ଅବସରରେ କିଟ୍‍ ରୌପ୍ୟ ଜୟନ୍ତୀ ପାଳନ କରୁଥିବାରୁ ଏହି ସ୍ୱତନ୍ତ୍ର ମିନି ମାରାଥନ୍‍ର ଆୟୋଜନ କରାଯାଇଥିଲା । ‘ସମସ୍ତଙ୍କ ପାଇଁ ଶିକ୍ଷା’ ନେଇ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଏହି ମିନି ମାରାଥନ୍‍ର ଆୟୋଜନ କରାଯାଇଥିଲା । ଆଜି ସକାଳ ୬ଟା ସମୟରେ ଭୁବନେଶ୍ୱରର ସ୍ୟାଣ୍ଡି ଟାୱାର ହୋଟେଲ୍‍ ନିକଟରୁ ଏହି ମିନି ମାରାଥନ୍‍ ଆରମ୍ଭ ହୋଇ ସକାଳ ୭ଟା ସମୟରେ କିଟ୍‍ କ୍ରିକେଟ୍‍ ଷ୍ଟାଡିଅମରେ ଶେଷ ହୋଇଥିଲା । ଏଥିରେ ରଗ୍‍ବୀ ଇଣ୍ଡିଆ ସଭାପତି ତଥା ବଲିଉଡ୍‍ ଅଭିନେତା ରାହୁଲ ବୋଷ, ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ, ବିଏମ୍‍ସି ମେୟର ସୁଲୋଚନା ଦାସ୍‍, ଅଲିମ୍ପିଆନ୍‍ ଦୂତୀ ଚାନ୍ଦ ଓ ଅନୁରାଧା ବିଶ୍ୱାଳ, ଭାରତର ଦ୍ରୁତ ଧାବକ ଅମିୟ ମଲ୍ଲିକ, ଓଲିଉଡ ଅଭିନେତା ସବ୍ୟସାଚୀ ମିଶ୍ର, ଓଲିଉଡ୍‍ ଅଭିନେତ୍ରୀ ଅର୍ଚ୍ଚିତା ସାହୁ, ଡିଆଇଜି ଅନିରୁଦ୍ଧ ସିଂ, ଓଡ଼ିଶା ରଗ୍‍ବୀ ଆସୋସିଏସନ୍‍ ସଭାପତି ପ୍ରିୟଦର୍ଶୀ ମିଶ୍ର, କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଏବଂ କିଟ୍‍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସସ୍ମିତା ସାମନ୍ତ ଓ କୁଳସଚିବ ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତି ପ୍ରମୁଖ ଅତିଥି ଭାବେ ଯୋଗଦେଇ ମିନି ମାରାଥନ୍‍ ଅଂଶଗ୍ରହଣକାରୀଙ୍କୁ ଉତ୍ସାହିତ କରିଥିଲେ ।

Leave A Reply

Your email address will not be published.