ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀ ତାଲିକାରେ ଅନିୟମିତତା ଅଭିଯୋଗ: ଗୌଡଗୁଡ଼ା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇଲେ ଗ୍ରାମବାସୀ

ମାଲକାନଗିରି ତା.୩୦.୦୧.୨୦୨୩: ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀ ତାଲିକା ସଂଶୋଧନ ଏବେ ବିଭିନ୍ନ ମହଲରେ ବିରୋଧ ହେବାରେ ଲାଗିଛି । ହିତାଧିକାରୀ ଚୟନ ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ ହୋଇଛି । ଘଟଣାରୁ ପ୍ରକାଶ ମାଲକାନଗିରି ସଦର ବ୍ଲକ ସ୍ଥିତ ଗୌଡଗୁଡା ଗ୍ରାମ ପଞ୍ଚାୟତରେ ଏଭଳି ଘଟିଥିବା ଅଭିଯୋଗ ହୋଇଛି । ସୁଚନା ଅନୁଯାୟୀ ଏହି ଗ୍ରାମ ପଞ୍ଚାୟତରେ ସମୁଦାୟ ୪୨୮ ଜଣଙ୍କ ନାମରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ତାଲିକା ପ୍ରସ୍ତୁତ ହୋଇଥିବା ବେଳେ ଗତ ଏକ ସପ୍ତାହ ଧରି ଅଭି ଯୋଗ ସମୟ ସୀମା ମଧ୍ୟରେ ୪୮ଜଣ ହିତାଧିକାରୀଙ୍କ ନାମରେ ବିଭିନ୍ନ ମହଲରୁ ଅଭିଯୋଗ ହୋଇଥିଲା । ଏହାକୁ ଆଜି ଗ୍ରାମସଭାରେ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ଘୋଷଣା କରାଯାଉଥିବା ସମୟରେ ଗ୍ରାମବାସୀ ମାନେ ବିରୋଧ କରିଥିଲେ । କିଛି ଗ୍ରାମବାସୀଙ୍କ କହିବା ଅନୁସାରେ ଅନେକ ଅଯୋଗ୍ୟ ହିତାଧିକାରୀ ରହିଛନ୍ତି ସେମାନଙ୍କ ନାମରେ କୌଣସି ଅଭିଯୋଗ ନାହିଁ । କିନ୍ତୁ ଅନେକ ଯୋଗ୍ୟ ହିତାଧିକାରୀଙ୍କୁ ତାଲିକାରୁ କିପରି ବାଦ ଦିଆଗଲା ସେ ନେଇ ପ୍ରଶ୍ନ ଉଠାଇଛନ୍ତି । ଅନ୍ୟ ଦିଗରେ ଏପରି କିଛି ଅତି ଗରିବ ପରିବାର ରହିଛନ୍ତି ପ୍ରକୃତରେ ସେମାନେ ପକ୍କା ଗୃହ ପାଇବାର ଯୋଗ୍ୟ କିନ୍ତୁ ସେମାନଙ୍କ ନାମ ତାଲିକାଭୁକ୍ତ ହୋଇ ପାରିନାହିଁ । ଏହା ବ୍ୟତୀତ ଗ୍ରାମସଭା ପୂର୍ବରୁ ରେଜୁଲେସନ ଖାତାରେ ଦସ୍ତଖତ କରାଇ ଦିଆଯାଇଥିଲା । ପ୍ରକୃତରେ ଗ୍ରାମସଭା ସରିବା ପରେ ସମସ୍ତ ବିଷୟ ଲେଖା ଯାଇ ସେଥିରେ ଉପସ୍ଥିତ ଗ୍ରାମବାସୀଙ୍କ ଦସ୍ତଖତ ହେବା କଥା, କିନ୍ତୁ ଏପରି ନ ହୋଇ ଖାଲି ସ୍ଥାନରେ ନିରୀହ ଜନତାଙ୍କ ଦସ୍ତଖତ କରାଇ ଗ୍ରାମସଭା ସରିଲା ପରେ କାର୍ଯ୍ୟାଳୟ ଭିତରେ ରେଜଲୁସନ ଲେଖା ଯିବ ବୋଲି କହିବାରୁ ଏ ନେଇ ପଞ୍ଚାୟତ କର୍ତୁପକ୍ଷ ଓ ଗ୍ରାମବାସୀଙ୍କ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇଥିଲା ଏବଂ ଗ୍ରାମବାସୀ ମାନେ ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇଥିଲେ । ଏହି କାର୍ଯ୍ୟାଳୟ ମଧ୍ୟରେ ମାଲକାନଗିରି ବ୍ଲକ ଉପାଧ୍ୟକ୍ଷ ନିରଂଜନ ହାଲଦାର, ସରପଞ୍ଚ ପାଣ୍ଡ୍ରି ପଡିଆମି, ନାଏବ ସରପଞ୍ଚ ସୁବାଷ ବିଶ୍ୱାସ, ୱାର୍ଡ ମେମ୍ବର ବିଶ୍ୱଜିତ ବିଶ୍ୱାସ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ନିଖିଲ ବାନାର୍ଜୀ, ଗ୍ରାମ ରୋଜଗାର ସେବକ ଜଗଦିଶ ବିଶ୍ୱାସ, ଯୋଗାଣ ସହାୟକ ନିରଂଜନ ସରକାର ଏମାନଙ୍କୁ ଉତ୍ୟକ୍ତ ଗ୍ରାମବାସୀ ମାନେ କାର୍ଯ୍ୟାଳୟ ମଧ୍ୟକୁ ପ୍ରାୟ ତିନି ଘଣ୍ଟାରୁ ଉର୍ଧ୍ଵ ସମୟ ଧରି ତାଲା ପକାଇ ରଖିଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ଓ ଗୋଷ୍ଠି ଉନ୍ନୟନ ଅଧିକାରୀ ଅଜୟ କୁମାର ପ୍ରଧାନ ଓ ତହସିଲଦାର ଚନ୍ଦନ କୁମାର ଭୋଇ ପହଞ୍ଚି ଲୋକଙ୍କ ସମସ୍ୟା ପଚାରି ବୁଝିବା ସହ ପୁର୍ନବାର ତଦନ୍ତ କରାଯାଇ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ତାଲିକା ପ୍ରସ୍ତୁତ କରାଯିବ ବୋଲି ପ୍ରତିଶୃତି ଦେବା ପରେ ଗ୍ରାମବାସୀ ମାନେ ତାଲା ଖୋଲିଥିଲେ ।

Leave A Reply

Your email address will not be published.