ବିଜୁ କୃଷକ କଲ୍ୟାଣ ଯୋଜନା: ସାଂସଦଙ୍କ ଦ୍ଵାରା ଗଭୀର ବୋରୱଲ ପ୍ରକଳ୍ପ ପୁଞ୍ଜ ଉଦଘାଟନ

କାଲିମେଳା: ଚାଷୀଙ୍କ ହିତ ଓ କଲ୍ୟାଣ ଲାଗି ଅନୁଷ୍ଠିତ କାର୍ଯ୍ୟକ୍ରମରେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ ମୂଖ୍ୟ ଅତିଥି ଭାବେ ଯୋଗଦେଇ ବିଜୁ କୃଷକ କଲ୍ୟାଣ ଯୋଜନା ଅନ୍ତର୍ଗତ ଗଭୀର ବୋରୱଲ ପ୍ରକଳ୍ପ ପୁଞ୍ଜକୁ ଉଦଘାଟନ କରିଛନ୍ତି । ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ତେଲାରାଇ ଗ୍ରାମ ପଞ୍ଚାୟତର ଜାକଲଗୁଣ୍ଡି ଗ୍ରାମର ହିତାଧିକାରୀ ତଥା କୋରାପୁଟ ସମାଜର ସଭାପତି ୱାଗା ମାଡକାମିଙ୍କ ଜମିରେ ବୋରୱଲ ଖନନକୁ ଶ୍ରୀ ମାଝୀ ଉଦଘାଟନ କରିବା ପରେ ନିକଟସ୍ଥ ଏମଭି-୧୨୬ ଗ୍ରାମରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମଞ୍ଚସ୍ଥ ହୋଇଥିଲେ । ଏ ଅବସରରେ ସାଂସଦ ଶ୍ରୀ ମାଝୀଙ୍କ ସମେତ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରି ତାଙ୍ଗୁଲୁ, ଜିଲ୍ଲା ପରିଷଦ ସଭ୍ୟା ମମତା ପଡିଆମି, ତେଲାରାଇ ସରପଞ୍ଚ ମୁତା ସୋଡି, କାଲିମେଳା ସରପଞ୍ଚ ପୃଥିବୀ ରାଜ ମାଝୀ, ପୂର୍ବତନ ବିଧାୟକ ମାନସ ମାଡକାମି, ଓଡ଼ିଶା ଉଠା ଜଳସେଚନର ଉପଦେଷ୍ଟା ପ୍ରମୋଦ ପାଢି, ନିର୍ବାହୀ ଅଧିକାରୀ ରମେଶ ଚନ୍ଦ୍ର ପାତ୍ର, ସହକାରୀ ଯନ୍ତ୍ରୀ ମହିନି ଚରଣ ବେହେରା ଏବଂ କନିଷ୍ଠ ଯନ୍ତ୍ରୀ ଟି.କିରନ କୁମାର, ବିଜେଡି ବ୍ଲକ ସଭାପତି ଶରତ ଚନ୍ଦ୍ର ବିଶ୍ୱାଳ, ବିଜେଡି ଜିଲ୍ଲା ସାଂଗଠନିକ ସମ୍ପାଦକ ନୃସିଂହ ଚରଣ ମହାନ୍ତି, କୟା ସମାଜ ସଭାପତି ୱାଗା ସୋଡି, ଦିଲିପ ବିଶ୍ଵାସ, ଅନୁପ ମିସ୍ତ୍ରୀ, ସୁଜୟ ମିସ୍ତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରୁ ବିଭିନ୍ନ ଲୋକ ପ୍ରତିନିଧି, ସ୍ଥାନୀୟ ଅଞ୍ଚଳର ଶତାଧିକ ଚାଷୀ ଉପସ୍ଥିତ ଥିଲେ । ଯେଉଁ ଜମି ଗୁଡ଼ିକରେ କେନାଲ ଜଳ ମାଡୁ ନାହିଁ କିମ୍ବା ଜଳ କର ଦେଉନଥିବେ, ସେପରି ଜମି ଗୁଡ଼ିକରେ ଏହି ପ୍ରକଳ୍ପ ୯୦ ପ୍ରତିଶତ ରିହାତିରେ ଚାଷୀଙ୍କୁ ଯୋଗାଇ ଦିଆଯାଉଛି । ତେଣୁ ଓଡ଼ିଶା ସରକାରଙ୍କ ଜଳ ସଂପଦ ବିଭାଗ ତରଫରୁ ଓଡ଼ିଶା ଉଠା ଜଳସେଚନ ନିଗମ ଦ୍ଵାରା ବିଜୁ କୃଷକ କଲ୍ୟାଣ ଯୋଜନାରେ ଚାଷୀମାନେ ଅନ୍ତର୍ଭୁକ୍ତ ହୋଇ ଜମିରେ ଜଳସେଚନର ସୁବିଧା ପାଇପାରିବେ ବୋଲି ମଞ୍ଚାସିନ ଅତିଥି ମାନେ ବୁଝାଇଥିଲେ । ଉକ୍ତ ପ୍ରକଳ୍ପର ଜଳସେଚନ କ୍ଷମତା ୨ ହେକ୍ଟର ରହିଥିବା ବେଳେ ୪ ଜଣ ହିତାଧିକାରୀଙ୍କ ପାଇଁ ଗୋଟିଏ ବିଦ୍ୟୁତ୍ ଟ୍ରାନସଫର୍ମ ଯୋଗାଇ ଦିଆଯିବ । ଚୁକ୍ତି ଅନୁଯାୟୀ ପାଖରେ ଥିବା ଚାଷୀ ମଧ୍ୟ ଏହି ପ୍ରକଳ୍ପ ଜଳ ନେଇ ପାରିବ ବୋଲି ଜଣାପଡିଛି । ଚାଷୀ ମାନଙ୍କ ସ୍ବାର୍ଥ ପାଇଁ ନବୀନ ପଟ୍ଟନାୟକ ଗୋଟିଏ ପରେ ଗୋଟିଏ ଯୋଜନା କାର୍ଯ୍ୟକାରୀ କରୁଥିବା ବେଳେ ନିକଟ ଭବିଷ୍ୟତରେ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି । ଯାହାକି ବିଏସକେୱାଇ ଢାଞ୍ଚାରେ ରାଜ୍ୟ ଆଣିବ ଫସଲ କ୍ଷତିପୂରଣ ନିତି । ଏଥିରେ ୧୦ ପ୍ରତିଶତ ଫସଲ ନଷ୍ଟ ହେଲେ ବି ଚାଷୀଙ୍କୁ ମିଳିବ କ୍ଷତିପୂରଣ ସହାୟତା । ତାଛଡା କୈାଣସି ବିମା ପ୍ରିମିୟମ ରାଶି ଚାଷୀଙ୍କୁ ଦେବାକୁ ପଡ଼ିବ ନାହିଁ । ତେଣୁ ଚାଷୀଙ୍କ ପାଇଁ ଖୁବ ଶୀଘ୍ର ଏକ ଯୋଜନା ପ୍ରଣୟନ କରିବାକୁ ଯାଉଥିବା ସୂଚନା ମିଳିଛି ।

Leave A Reply

Your email address will not be published.