ପ୍ରାଥମିକ ଶିକ୍ଷକ ସଂଘର ଦାବି ପୂରଣ ପ୍ରସଙ୍ଗ: ସାମୁହିକ ଛୁଟିରେ ଆନ୍ଦୋଳନ ଚେତାବନୀ, ଶିକ୍ଷା ଦାନରେ ବାଧା ଆଶଙ୍କା

କାଲିମେଳା: ମାଲକାନଗିରି ଜିଲ୍ଲା ଅନ୍ତର୍ଗତ କାଲିମେଳା ବ୍ଲକର ପ୍ରାଥମିକ ଶିକ୍ଷକ ସଂଘ (ନୂତନ ପେନସନ ଯୋଜନା ଭୂକ୍ତ) ଗତ ରବିବାରରେ କାଲିମେଳା ବ୍ଲକ କଲୋନୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ସଂଘ ସଭାପତି କେ.ପୂର୍ଣ୍ଣଚନ୍ଦ୍ର ପାତ୍ର ଓ ସମ୍ପାଦକ ହରିଶ ଚନ୍ଦ୍ର କର ସମେତ ଶତାଧିକ ଶିକ୍ଷକ ମାନେ ଉପସ୍ଥିତ ରହି ସରକାରଙ୍କ ଟାଳଟୁଳ ନୀତିକୁ ସମାଲୋଚନା କରିବା ସହିତ ଭୋକ୍ଷ ପ୍ରକାଶ କରିଥିଲେ । କାଲିମେଳା ସଂଘ ପକ୍ଷରୁ ଗତ ନଭେମ୍ବର ୫ରେ କେତେକ ଦାବି ପୂରଣ ଲାଗି ମୂଖ୍ୟ ମନ୍ତ୍ରୀଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା । ତା ସହିତ ରାଜ୍ୟସ୍ତରୀୟ ମହାସଂଘ ମଧ୍ୟ ବିଧାନସଭା ସମ୍ମୁଖରେ ଆନ୍ଦୋଳନ କରିଥିଲେ । ସେ ସମୟରେ ମୂଖ୍ୟ ଶାସନ ସଚିବ ମହାସଂଘର ନେତୃମଣ୍ଡଳୀଙ୍କ ସହିତ ଆଲୋଚନା କରି ଗତ ଡିସେମ୍ବର ୧୬ରୁ ୨୦ ମଧ୍ୟରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଦାବି ପୂରଣ କରାଯିବ ବୋଲି ଲିଖିତ ପ୍ରତିଶ୍ରୁତି ଦେଇଥିଲେ । ଏବଂ ଏନେଇ ମୂଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଗତ ଡିସେମ୍ବର ୨୧ରେ ଉଚ୍ଚସ୍ତରୀୟ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିଲା । ଏବଂ ୨୯ ତାରିଖରେ ମୂଖ୍ୟ ଶାସନ ସଚିବ ମହାସଂଘ ସହିତ ଆଲୋଚନା କରି ପ୍ରେସ ରିଲିଜ ମାଧ୍ୟମରେ ଜଣାଇଥିଲେ । ଏସବୁ ସତ୍ତ୍ୱେ ଆମ ନ୍ୟାୟଚିତ ଦାବିକୁ ପୂରଣ କରିବାରେ ସରକାର ଟାଳଟୁଳ ନୀତି ଅବଲମ୍ବନ କରିଛନ୍ତି ବୋଲି ସଂଘ ପକ୍ଷରୁ କୁହାଯାଇଛି । ତେଣୁ ରାଜ୍ୟର ଗୁଣାତ୍ମକ ଶିକ୍ଷା ଏବଂ ୧ ଲକ୍ଷ ୨୦ ହଜାର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଆସନ୍ତା ବିଧାନସଭା ଅଧିବେଶନ ପୂର୍ବରୁ ସରକାର ଦାବି ପୂରଣ ନ କଲେ ବାଧ୍ୟ ହୋଇ ସାମୁହିକ ଛୁଟିରେ ଆନ୍ଦୋଳନ କରିବୁ ବୋଲି ଚେତାବନୀ ଦେଇଛନ୍ତି । ଏଥିରେ ଛାତ୍ର ଛାତ୍ରୀଙ୍କ ଶିକ୍ଷାଦାନ କ୍ଷେତ୍ରରେ ବାଧା ସୃଷ୍ଟି ହେଲେ ସେଥିପାଇଁ ସରକାର ଦାୟୀ ରହିବେ ବୋଲି ସଂଘ କହିଛି । ତେବେ ୨୦୦୧ ମସିହା ଠାରୁ ଏଲିମେଣ୍ଟାରି କ୍ୟାଡ଼ର ଭୁକ୍ତି ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ୬ ବର୍ଷର ଠିକା ଅବଧିକୁ ମୂଳ ନିଯୁକ୍ତିରେ ଯୋଗ ତଥା ଗଣନା କରାଯିବା ସାଙ୍ଗକୁ ୬ଟି ନେସନାଲ ଇନିକ୍ରିମେଣ୍ଟ ପ୍ରଦାନ, ପ୍ରାଥମିକ ଶିକ୍ଷାର ଠିକା ନିଯୁକ୍ତି ବାତିଲ କରିବା, କେନ୍ଦ୍ରିୟ ହାରରେ ଦରମା ପ୍ରଦାନ ଓ ପୂରୁଣା ପେନସନ ପ୍ରଚଳନ କରିବା ଆଦି ପ୍ରାଥମିକ ଶିକ୍ଷକ ସଂଘର ଦାବି ରହିଥିବା ଜଣାପଡିଛି ।

Leave A Reply

Your email address will not be published.