xmas

ଶ୍ରୀମନ୍ଦିରକୁ ନେଇ ବିଜେପିର ଆଉ ଏକ ମିଛର ମୁଖା ଖୋଲିଲା: ବିଜେଡି

୪୫୦୦ କୋଟି ନୁହେଁ, ପରିକ୍ରମା ପ୍ରକଳ୍ପରେ ଖର୍ଚ୍ଚ ହୋଇଛି ୩୨୫ କୋଟି
ବିଜେପିର ଲକ୍ଷ୍ୟ – ଓଡିଶାରେ ନା କାମ କରିବୁ, ନା କାମ କରାଇଦେବୁ
ଟୁରିଷ୍ଟ ନେତାଙ୍କ ଦେଖା ୧୫ ଦିନ ପରେ ମିଳିବନି, ପୁଣି ୨୦୨୯ରେ ଆସିବେ
ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗରେ ମିଛ କହି ବିଭ୍ରାନ୍ତି ସୃଷ୍ଟି କରୁଛନ୍ତି

ଭୁୁବନେଶ୍ୱର, ୧୮/୦୫/୨୦୨୪: ଅପମାନସୂଚକ ଓ ଅଶାଳୀନ ଶଦ୍ଦ ପ୍ରୟୋଗ କରି ଓଡିଶାବାସୀଙ୍କୁ ଅପମାନିତ କରିବା, ଓଡିଶାର ସଂସ୍କୃତିକୁ ନଷ୍ଟ କରିବା ହେଉଛି ବିଜେପିର ସଂସ୍କୃତି । ବିଜେଡି କେବେ ମଧ୍ୟ ଏଭଳି ଶଦ୍ଦ ପ୍ରୟୋଗ କରେନାହିଁ । ମାନ୍ୟବର ମୁଖ୍ୟମନ୍ତ୍ରୀ କଦାପି ଏହାକୁ ପ୍ରଶ୍ରୟ ବି ଦିଅନ୍ତି ନାହିଁ । ଓଡିଶାର ସଂସ୍କୃତିକୁ ହିଁ ବିଜେଡି ସବୁବେଳେ ଅନୁକରଣ କରେ ବୋଲି ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ବିଜେଡିର ବରିଷ୍ଠ ନେତା ଶ୍ରୀ ଭୃଗୁ ବକ୍ସିପାତ୍ର ଓ ବିଜେଡି ମୁଖପାତ୍ର ଶ୍ରୀ ସ୍ୱୟଂପ୍ରକାଶ ମହାପାତ୍ର ।

ଶ୍ରୀ ଭୃଗୁ ବକ୍ସିପାତ୍ର କହିଛନ୍ତି, ଅଭ୍ୟାସଗତ ଭାବେ ମିଛ କହୁଥିବା ବିଜେପି ନେତାମାନେ ଶ୍ରୀମନ୍ଦିରକୁ ନେଇ ହୀନ ରାଜନୀତି କରୁଛନ୍ତି । ଜଗନ୍ନାଥପ୍ରେମୀଙ୍କ ଭାବାବେଗ ସହ ଖେଳୁଛନ୍ତି । ପ୍ରତିଦିନ ନୂଆ ନୂଆ ଡ୍ରାମା କରୁଛନ୍ତି । ସୁପର ମିଛୁଆ ନେତା, ଫେକ୍ ନ୍ୟୁଜ ଫ୍ୟାକ୍ଟ୍ରୀ ଖୋଲିଦେଇଛନ୍ତି । ଟୁରିଷ୍ଟ ନେତାଙ୍କୁ ଯାହା ଲେଖା ଧରାଇ ଦିଆଯାଉଛି, ସେମାନେ ଘୋଷା ଶୁଆ ଭଳି ଗାଉଛନ୍ତି ।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ହୋଇଥିବା ଖର୍ଚ୍ଚକୁ ନେଇ ସୁପର ମିଛୁଆ ନେତା ଆଉ ତାଙ୍କ ଅନୁଗତ ମାନେ ଲଗାତର ଭାବେ ମିଛ କହି ଚାଲିଛନ୍ତି । କାରଣ ଆରମ୍ଭ ଦିନରୁ ସେମାନେ ଭକ୍ତଙ୍କ ସୁବିଧା ପାଇଁ ହେଉଥିବା ପ୍ରକଳ୍ପ ବିରୋଧୀ ଥିଲେ । କେତେବେଳେ କହୁଥିଲେ ଟାଇଲ୍‌ସ ପକାହୋଇଛି, କେତେବେଳେ କହୁଥିଲେ ୪ଟି ପାଇଖାନା ନିର୍ମାଣ ହୋଇଛି ଆଉ କିଛି କାମ ହୋଇନାହିଁ । ଏଏସଆଇ, ଏନଏମଏ, ସୁପ୍ରିମକୋର୍ଟ ସବୁ ଜାଗାରେ ଚେଷ୍ଟା କରି ବିଫଳ ହେଲେ ବୋଲି ଶ୍ରୀ ଭୃଗୁ ବକ୍ସିପାତ୍ର କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯେତେବେଳେ ଆମେ ଆହ୍ୱାନ ଦେଲୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଯଦି ଖରାପ ତେବେ ନିର୍ବାଚନ ଇସ୍ତାହାରରେ କୁହ, ଏହାକୁ ବନ୍ଦ କରିବ । ଏହାପରେ ବିଜେପି ନେତା କଥା ବଦଳାଇଲେ । ଏବେ ସେମାନେ କହୁଛନ୍ତି, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ସମର୍ଥନ କରୁଥିଲେ, ସମସ୍ତ ସୁବିଧା କରାଇଥିଲେ । ପ୍ରକଳ୍ପକୁ ନେଇ ସେମାନଙ୍କ ମନରେ ଥିବା ଘୃଣାଭାବ ଏତେ ଅଧିକ ଯେ, ଏଥିରେ କେତେ ଟଙ୍କା ଖର୍ଚ୍ଚ ହୋଇଛି, ତାକୁ ନେଇ ଅପପ୍ରଚାର ଆରମ୍ଭ କରିଦେଇଛନ୍ତି । କାରଣ ଏମାନଙ୍କର ମନୋଭାବ ହେଲା – ଓଡିଶାରେ ନା କାମ କରିବୁ, ନା କାମ କରେଇଦେବୁ । ଯଦି କିଛି ଭଲ କାମ ହେଲା, ତା ବିରୋଧରେ ଅପପ୍ରଚାର କରିବୁ ।

ଶ୍ରୀ ଭୃଗୁ ବକ୍ସିପାତ୍ର କହିଛନ୍ତି, ବିଜେପିର ନେତାଏଁ କହୁଛନ୍ତି, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ସାଢେ ୪ ହଜାର କୋଟି ଖର୍ଚ୍ଚ ହୋଇଛି । ଅସଲ କଥା ହେଲା, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ୩୨୫ କୋଟି ଟଙ୍କା ହିଁ ଖର୍ଚ୍ଚ ହୋଇଛି । ଅବଢା ଯୋଜନାରେ ଶ୍ରୀମନ୍ଦିର ଓ ଶ୍ରୀକ୍ଷେତ୍ରର ସାମଗ୍ରିକ ବିକାଶ ପାଇଁ ଏକାଧିକ ଉନ୍ନୟନ ପ୍ରକଳ୍ପ ବାବଦକୁ ବ୍ୟୟବରାଦ ରହିଛି ୪୨୦୦ କୋଟି ଟଙ୍କା । ଯାହାର କାର୍ଯ୍ୟ ଏବେ ମଧ୍ୟ ଜାରି ରହିଛି । ଏହାକୁ ସୁପର ମିଛୁଆଙ୍କ ଟିମ୍ ସଦସ୍ୟ ଭଲଭାବେ ବୁଝି ମଧ୍ୟ, ଜାଣିଶୁଣି ବିଭ୍ରାନ୍ତି କରୁଛନ୍ତି ।

ସେହିଭଳି ଟୁରିଷ୍ଟ ନେତା ଯେଉଁମାନଙ୍କର ଓଡିଶା ବାବଦରେ ସାମାନ୍ୟତମ ଧାରଣା ନାହିଁ, ସେମାନଙ୍କୁ ଓଡିଶା ବିଜେପି ନେତା ଯାହା ଲେଖିକି ଦେଲେ, ତାକୁ ଗାଇ ଯାଉଛନ୍ତି । ଓଡିଶାବାସୀଙ୍କୁ ଲଜ୍ଜିତ କରିବାକୁ ବି ପଛାଉନାହାନ୍ତି । ଯେମିତି ଶୀତ ଦିନେ ସାଇବେରିଆନ ପକ୍ଷୀ ଚିଲିକାକୁ ଆସନ୍ତି. ସେହିଭଳି ଟୁରିଷ୍ଟ ନେତା ନିର୍ବାଚନ ବେଳେ ଓଡିଶା ଆସନ୍ତି । ଆଉ ୧୫ ଦିନ ପରେ ଏମାନଙ୍କର ଦେଖା ମିଳିବନି, ପୁଣି ଯାଇ ୨୦୨୯ରେ ଏମାନେ ଆସିବେ । ଆଉ ସମାନ ଢଙ୍ଗରେ ଘୋଷା ଶୁଆ ଭଳି ଗାଇବେ । ବୋଲି ଶ୍ରୀ ଭୃଗୁ ବକ୍ସିପାତ୍ର କହିଛନ୍ତି ।

ରତ୍ନଭଣ୍ଡାର ଖୋଲିବା ନେଇ ମଧ୍ୟ ମିଛ କହି ବିଭ୍ରାନ୍ତି ସୃଷ୍ଟି କରୁଛନ୍ତି । ସତ କଥା ହେଲା, ଆସନ୍ତା ଜୁଲାଇରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲୁଛି । ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତିଙ୍କ ନେତୃତ୍ୱରେ କମିଟି ଗଠିତ ହୋଇଛି । ଏହି କମିଟି ତାର ପ୍ରାରମ୍ଭିକ ବୈଠକ ଗତ ମେ ମାସରେ କରିଛନ୍ତି । ବିଜେପି ନେତାଙ୍କ ହାତରେ ୨୦୨୪ ନିର୍ବାଚନ ପାଇଁ ଯେତେବେଳେ କୈାଣସି ପ୍ରସଙ୍ଗ ନାହିଁ, ସେଥିପାଇଁ ନୂଆ ନୂଆ ଡ୍ରାମା କରିଚାଲିଛନ୍ତି । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛୁ, ସୁପର ମିଛୁଆ, ତାଙ୍କ ଫେକ୍ ନ୍ୟୁଜ ଫ୍ୟାକ୍ଟ୍ରୀର ସଦସ୍ୟ ଯେଉଁମାନେ ମିଛ କହି ମହାପାପ କରୁଛନ୍ତି ଓ କାଳିଆ ଠାକୁରଙ୍କୁ ନେଇ ରାଜନୀତି କରୁଛନ୍ତି ସେମାନେ ମହାପ୍ରଭୁଙ୍କ ସାମ୍ନାକୁ ଯାଇ କ୍ଷମା ପ୍ରାର୍ଥନା କରନ୍ତୁ । ମହାପ୍ରଭୁ ଆପଣଙ୍କୁ କ୍ଷମା କରିଦେବେ ବୋଲି ଶ୍ରୀ ଭୃଗୁ ବକ୍ସିପାତ୍ର କହିଛନ୍ତି ।

Leave A Reply

Your email address will not be published.