ନଳ କୂପ ମରାମତି ତିନି ମାସ ପରେ ବି ଶୁଣିଲା ନାହିଁ ବ୍ଲକ ପ୍ରଶାସନ: ଜିଲ୍ଲାପାଳଙ୍କ ଆଗରେ ଦ୍ବାରସ୍ଥ ହେଲେ ପଞ୍ଚାୟତବାସୀ
ମାଲକାନଗିରି: ମାଲକାନଗିରି ଜିଲ୍ଲା ଏକ ଗ୍ରୀଷ୍ମ ପ୍ରବାହ ଅଞ୍ଚଳ, ଗ୍ରୀଷ୍ମର ପ୍ରାରମ୍ଭରେ ହିଁ ପ୍ରଚଣ୍ଡ ଗରମ ହେଉଛି। ସରକାର ସଦା ସର୍ବଦା ଜିଲ୍ଲା ପ୍ରଶାସନକୁ ସତର୍କତା ଅବଲମ୍ବନ କରିବା ପାଇଁ ପ୍ରତ୍ୟେକ ଗାଁରେ ବିଭିନ୍ନ ଯୋଜନା ମାଧ୍ୟମରେ ପାନୀୟ ଜଳ ଯୋଗାଣ, ନଳ କୂପ ଖନନ, ନଳ କୂପ ମରାମତି ଆଦି ଗ୍ରୀଷ୍ମ ଋତୁର ଆରମ୍ଭରୁ ହିଁ ଲୋକେ ଯେପରି ହଇରାଣ ନହେବେ ସେତି ପ୍ରତି ସତର୍କ ରହିବା ପାଇଁ ନିର୍ଦ୍ଦେଶ ରହିଛି ।ମାଲକାନଗିରି ବ୍ଲକରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳୁଛି। ଘଟଣା ଟି ହେଉଛି ମାଲକାନଗିରି ବ୍ଲକର ତମସା ପଞ୍ଚାୟତ ଗତ ନଭେମ୍ବର ମାସରେ ତମସା ପଞ୍ଚାୟତ ସରପଞ୍ଚ ଗୀତା ପୋଡ଼ିଆମି ଏବଂ ତାଙ୍କ ସ୍ଵାମୀ ପୂର୍ବତନ ସରପଞ୍ଚ ଉଙ୍ଗା ପୋଡିଆମି ଏବଂ ସମସ୍ତ ୱାର୍ଡ ମେମ୍ବର ନିଜ ଅଞ୍ଚଳର ୨୧ଟି ୱାର୍ଡରେ ନଳ କୂପ ମରାମତି ନିମନ୍ତେ ଏକ ଲିଖିତ ପତ୍ର ବିଡିଓଙ୍କୁ ପ୍ରଦାନ କରିଥିଲେ । ପିଇବା ପାଣି ପାଇଁ ଦୂର ଦୁରାନ୍ତକୁ ଯାଇ ଲମ୍ବା ଲାଇନ୍ କରି ବହୁ କଷ୍ଟରେ ପାଣି ଆଣିବା ପାଇଁ ପଡୁଅଛି। ତେଣୁ ଭଙ୍ଗା ନଳ କୂପ ତୁରନ୍ତ ମରାମତିର ଆବଶ୍ୟକୀୟତା ବିଡିଓଙ୍କୁ ବାରମ୍ବାର ଅବଗତ କରିଥିଲେ ବୋଲି ପୂର୍ବତନ ତମସା ପଞ୍ଚାୟତ ସରପଞ୍ଚ ଉଙ୍ଗା ପୋଡିଆମି ପ୍ରକାଶ କରିଛନ୍ତି। କିନ୍ତୁ ଦୀର୍ଘ ତିନି ମାସ ବିତି ଗଲେ ମଧ୍ୟ ବ୍ଲକ ପ୍ରଶାସନ କୁମ୍ଭ କର୍ଣ୍ଣ ନିଦ୍ରାରେ ଶୋଇଅଛି ବୋଲି ଅଭିଯୋଗ ହେଉଛି। ତେଣୁ ଉଙ୍ଗା ପୋଡିଆମିଙ୍କ ନେତୃତ୍ୱରେ ପଞ୍ଚାୟତବାସୀ ଓ ଆଦିବାସୀ ମହିଳା ମାନେ ଖାଲି ହାଣ୍ଡି ଧରି ଜିଲ୍ଲାପାଳଙ୍କ ଆଗରେ ଦ୍ବାରସ୍ଥ ହୋଇ ଭଙ୍ଗା ନଳ କୂପ ଗୁଡ଼ିକର ଶୀଘ୍ର ମରାମତି କରିବା ପାଇଁ ଅନୁରୋଧ କରିଥିଲେ ।