‘ମନ୍‌ କୀ ବାତ୍‌’ ହେଉଛି ଦେବତୁଲ୍ୟ ଜନତା ଜନାର୍ଦ୍ଦନଙ୍କ ପାଦତଳେ ଥାଳିଏ ପ୍ରସାଦ ପରି: ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ମୋ ପାଇଁ ‘ମନ୍‌ କୀ ବାତ୍‌’ ଗୋଟାଏ କାର୍ଯ୍ୟକ୍ରମ ନୁହେଁ, ମୋ ପାଇଁ ଏହା ଗୋଟାଏ ବିଶ୍ବାସ, ଉପାସନା ଓ ଉପବାସ। ‘ମନ୍‌ କୀ ବାତ୍‌’ ହେଉଛି ଦେବତୁଲ୍ୟ ଜନତା ଜନାର୍ଦ୍ଦନଙ୍କ ପାଦତଳେ ଥାଳିଏ ପ୍ରସାଦ ପରି ବୋଲି ଆଜି ଏହାର ୧୦୦ତମ ସଂସ୍କରଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମ‌ୋଦୀ କହିଛନ୍ତି।

କାର୍ଯ୍ୟକ୍ରମ ପ୍ରାରମ୍ଭରେ ପ୍ରଧାନମନ୍ତ୍ରୀ କହିଲେ, ‘ମନ୍‌ କୀ ବାତ୍‌’ ଆରମ୍ଭ ହେବାଠାରୁ ଏତେ ବର୍ଷ ବିତି ଗଲାଣି ବୋଲି ମୋର ବିଶ୍ବାସ ହେଉନାହିଁ। ଏହାର ପ୍ରତି ସଂସ୍କରଣର ସ୍ବତନ୍ତ୍ରତା ରହିଛି। ସକାରାତ୍ମକତା ପ୍ରସାରଣ ଏବଂ ସମାଜର ମୂଳସ୍ତରରେ ପରିବର୍ତ୍ତନକାରୀଙ୍କୁ ସ୍ବୀକୃତି ଦେବାରେ ଏହା ଗୋଟାଏ ଚମତ୍କାର ପ୍ଲାଟ୍‌ଫର୍ମ। ପ୍ରକୃତରେ, ‘ମନ୍‌ କୀ ବାତ୍‌’ର ଶ୍ରୋତାଗଣ ଆମ ଦେଶବାସୀ, ଆପଣମାନେ ସମସ୍ତେ ଅଭିନନ୍ଦନର ପାତ୍ର ବୋଲି ମୁଁ ଆନ୍ତରିକତାର ସହିତ କହୁଛି।

‘ମନ୍‌ କୀ ବାତ୍‌’ ହେଉଛି କୋଟି କୋଟି ଭାରତୀୟଙ୍କ ‘ହୃଦୟର କଥା’, ଏହା ସେମାନଙ୍କର ଅନୁଭୂତିର ପରିପ୍ରକାଶ। ଏହା ହେଉଛି ମୋ ମଧ୍ୟରୁ ଆମ୍ଭମାନଙ୍କ ମଧ୍ୟକୁ ଗୋଟାଏ ଯାତ୍ରା। ଏଥି‌ରେ ଆମେ ଉଲ୍ଲେଖ କରିଥିବା ବ୍ୟକ୍ତିମାନେ ହେଲେ ଆମ୍ଭମାନଙ୍କର ନାୟକ ଯେଉଁମାନେ ଏ କାର୍ଯ୍ୟକ୍ରମକୁ ଜୀବନ୍ୟାସ ଦେଇଛନ୍ତି। ଭାରତର ଜନସାଧାରଣଙ୍କ ସହିତ ଯୋଗସୂତ୍ର ରକ୍ଷା କରିବାକୁ ଏହା ମତେ ପ୍ଲାଟ୍‌ଫର୍ମ ଦେଇଛି। ମୋ ପାଇଁ ‘ମନ୍‌ କୀ ବାତ୍‌’ ହେଉଛି ଅନ୍ୟମାନଙ୍କ ଗୁଣାବଳିର ଉପାସନା। ଏହାର ପ୍ରତ୍ୟେକ ସଂସ୍କରଣ ଏକ ଏକ ବିଶେଷ ସଂସ୍କରଣ। ଏହା ସକାରତ୍ମକତା, ଜନତାଙ୍କ ଅଂଶଗ୍ରହଣକୁ ସ୍ବୀକୃତି ଦେଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି, ‘ବେଟି ବଚାଓ, ବେଟି ପଢ଼ାଅ’ (କନ୍ୟାକୁ ବଞ୍ଚାଅ, କନ୍ୟାକୁ ଶିକ୍ଷିତ କର) ଅଭିଯାନ ହରିୟାଣାରେ ଲିଙ୍ଗ ଅନୁପାତ ହ୍ରାସ କରିଛି। ହରିୟାଣାରୁ ଏହି ଅଭିଯାନ ଆରମ୍ଭ ହୋଇଥିଲା। ‘କନ୍ୟା ସହିତ ସେଲ୍‌ଫି’ ଅଭିଯାନ ମତେ ଖୁବ୍‌ ପ୍ରଭାବିତ କରିଥିଲା ଏବଂ ‘ମନ୍‌ କୀ ବାତ୍‌’ର କୌଣସି ଏକ ସଂସ୍କରଣରେ ମୁଁ ଏକଥା କହିଥିଲି। ଅବିଳମ୍ବେ ‘କନ୍ୟା ସହିତ ସେଲ୍‌ଫି’ ବିଶ୍ବପ୍ରସାରୀ ହୋଇଗଲା। ଜୀବନରେ ଝିଅର ଭୂମିକାର ଗୁରତ୍ବ ହୃଦୟଙ୍ଗମ କରାଇବା ହେଉଛି ଏହି ଅଭିଯାନର ଉଦ୍ଦେଶ୍ୟ।

‘ମନ୍‌ କୀ ବାତ୍‌’ର ଆଉ ଏକ ବିଶେଷତ୍ବ ରହିଛି। ଏହାଦ୍ବାରା ଅନେକ ଗଣଆନ୍ଦୋଳନ ଉଦ୍ଭବ ହୋଇ ଗତିଶୀଳ ହୋଇଛି। ସେ ‘ସ୍ବଚ୍ଛ ଭାରତ’ ହେଉ, ‘ଖଦି’ ଅଥବା ‘ସ୍ବାଧୀନତାର ଅମୃତ ମହୋତ୍ସବ’ ହେଉ, ଏସବୁ ପ୍ରଥମେ ‘ମନ୍‌ କୀ ବାତ୍‌’ରୁ ଆରମ୍ଭ ହୋଇ ଗଣଆନ୍ଦୋଳନ ହୋଇପାରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ପ୍ରଧାନ ମନ୍ତ୍ରୀ ପୁଣି କହିଛନ୍ତି, ଆଜି ଦେଶରେ ପର୍ଯ୍ୟଟନର ଦ୍ରୁତ ସମୃଦ୍ଧି ହେଉଛି। ଆମର ପ୍ରାକୃତିକ ସମ୍ବଳ ହେଉ, ନଦନଦୀ, ପାହାଡ଼ପର୍ବତ, ଜଳାଶୟ ହେଉ ଅଥବା ତୀର୍ଥସ୍ଥଳୀ ହେଉ, ସେସବୁକୁ ପରିଚ୍ଛନ ରଖିବା ଗୁରୁତ୍ବପୂର୍ଣ୍ଣ କଥା। ଶିକ୍ଷା ଅଥବା ସଂସ୍କୃତି ବିଷୟରେ ହେଉ, ସଂରକ୍ଷଣ ଅବା ପ୍ରସାର ପ୍ରସଙ୍ଗ ହେଉ, ଏସବୁ ଭାରତର ପ୍ରାଚୀନ ପରମ୍ପରା। ଏ କ୍ଷେତ୍ରରେ ଆଜି ଦେଶ ଯେଭଳି କାମ କରୁଛି ତାହା ବାସ୍ତବିକ ପ୍ରଶଂସାଯୋଗ୍ୟ।

ମୁଁ ଆନନ୍ଦିତ ଯେ, ‘ମନ୍‌ କୀ ବାତ୍‌’ଦ୍ବାରା ଯାହା ଆରମ୍ଭ ହେଉଛି ଆଜି ଦେଶରେ ତାହା ନୂଆ ପରମ୍ପରା ହୋଇଯାଉଛି। ଏହି ପରମ୍ପରାରେ ସମସ୍ତଙ୍କ ଉଦ୍ୟମର ଉଚ୍ଛ୍ବାସ ଆମେ ଦେଖୁଛନ୍ତି। ଏହି କାର୍ଯ୍ୟକ୍ରମରେ ଦେଶର ପ୍ରତ୍ୟେକ ଲୋକ ଦେଶର ଅନ୍ୟ ଜଣେ ଲୋକଙ୍କର ପ୍ରେରଣା ହେଉଛନ୍ତି। ଗୋଟାଏ ଆଡୁ ଦେଖିଲେ, ‘ମନ୍‌ କୀ ବାତ୍‌’ର ଗୋଟିଏ ସଂସ୍କରଣ ପରବର୍ତ୍ତୀ ସଂସ୍କରଣ ପାଇଁ ‌‌କ୍ଷେତ୍ର ପ୍ରସ୍ତୁତି କରୁଛି। ‘ମନ୍‌ କୀ ବାତ୍‌’ ହେଉଛି ଗୋଟାଏ ମାଳା ଯାହା ପ୍ରତି ମାଳିକୁ ଏକତ୍ର ବାନ୍ଧି ରଖିଛି।

ସୂଚନାଯୋଗ୍ୟ, ଓଡ଼ିଶାର ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ସମୁଦ୍ର ବେଳାରେ ‘ମନ୍‌ କୀ ବାତ୍‌’ର ୧୦୦ତମ ସଂସ୍କରଣ ଉପରେ ଆଧାରିତ ବାଲୁକା କଳା ନିର୍ମାଣ କରିଛନ୍ତି।

Leave A Reply

Your email address will not be published.