ଲାଲ୍‌ଗଡ ବିକାଶର ଫର୍ଦ୍ଦରେ ଯୋଡିହେଲା ଆଉ ଏକ ଅଧ୍ୟାୟ: ମାଓବାଦୀଙ୍କ ୱାର ରୁମରେ କମ୍ପ୍ୟୁଟର ପାଠଶାଳା

ଚିତ୍ରକୋଣ୍ଡା ୩୦/୦୭: ବିକାଶ ମୂଳକ କାର୍ଯ୍ୟରେ ସାମିଲ ହେଲା ଲାଲ ଗଡ । ଦକ୍ଷିଣାଞ୍ଚଳ ଡି.ଆଇ.ଜି ଙ୍କ ନେତୃତ୍ୱରେ ଆରମ୍ଭ ହେଲା କମ୍ପୁଟର ତାଲିମ କେନ୍ଦ୍ର । ଶିକ୍ଷା ଦ୍ଵାରା ଅଞ୍ଚଳରେ ବିକାଶ କରାଯିବ ବୋଲି ଡି.ଆଇ.ଜି ସନ୍ଦେଶ ଦେଲେ ନକ୍ସଲଙ୍କୁ । ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳର ଯୋଡାଆମ୍ଭ ଠାରେ ଥିବା ନକ୍ସଲ ପନ୍ଥୀଙ୍କ ଆଶ୍ରୟ ସ୍ଥାନକୁ କିଛି ବର୍ଷ ତଳେ କବଜା କରିଥିଲେ ସୁରକ୍ଷା ବାହିନୀଙ୍କ ସମେତ ଜିଲ୍ଲା ପୋଲିସ ।

ଏହି ନାଲି ଘରେ ରହି ମାଓ ନେତାଏ କରୁଥିଲେ ରାଜୁତି । ଅଞ୍ଚଳରେ ରହୁଥିବା ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦେବା ବଦଳରେ ମାଓ ସଙ୍ଗଠନରେ ସାମିଲ କରିବାକୁ ବାଧ୍ୟ କରୁଥିଲେ ନକ୍ସଲ ପନ୍ଥୀ । ଗୋଟିଏ ପଟେ ଅର୍ଥ ଅଭାବ ସହ ଅନ୍ୟପଟେ ରହୁଥିଲା ମାଓ ଭୟ । ଭୟରେ ଶିକ୍ଷାରୁ ଦୂରେଇ ରହୁଥିଲେ ଅନେକ ଛାତ୍ରଛାତ୍ରୀ ।

ଏହି ଘରେ ଏକେ ୪୭ ଠାରୁ ଆରମ୍ଭ କରି ଅନେକ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ରହିଥିଲା । ଯେଉଁ ଘରେ ଦିନେ ଲାଗୁଥିଲା ମାଓବାଦୀଙ୍କ ଫଟୋ, ସେହି ଘରେ ଚାଲିଛି କମ୍ପ୍ୟୁଟର୍ ତାଲିମ୍ କେନ୍ଦ୍ର । ଲାଲ ପତାକା ବଦଳରେ ଲାଗିଛି ରଙ୍ଗବେରଙ୍ଗର ବେଲୁନ । ଏହି ଘରକୁ କବଜା କରିବା ପରେ ଏହାକୁ ଆଦିବାସୀ ଛାତ୍ରଛାତ୍ରୀ ଲାଗି କମ୍ପ୍ୟୁଟର୍ ତାଲିମ୍ କେନ୍ଦ୍ର ଖୋଲିଲେ ମାଲକାନଗିରି ଜିଲ୍ଲା ପୋଲିସ ।

ଦକ୍ଷିଣାଞ୍ଚଳ ଡି.ଆଇ.ଜି ରାଜେଶ ପଣ୍ଡିତ ମାଲକାନଗିରି ଏସ୍ ପି ଓ ଚିତ୍ରକୋଣ୍ଡା ଏସ୍.ଡି.ପି.ଓ ଙ୍କ ଉପସ୍ଥିତିରେ କରିଛନ୍ତି ଉଦଘାଟନ । ମାଓ ସଂଘଠନ କୁ ମଧ୍ୟ ସନ୍ଦେଶ ଦେଇଛନ୍ତି ଶିକ୍ଷା ଦ୍ଵାରା କରିବେ ଅଞ୍ଚଳର ବିକାଶ । ସ୍ୱାସ୍ଥ୍ୟ, ଶିକ୍ଷା, ଗମନାଗମନ ଭଳି ମୌଳିକ ସୁବିଧାରେ ନିଜକୁ ସାମିଲ କରିପାରିଲେ ଅଞ୍ଚଳର ଆଦିବାସୀ । ପୋଲିସ ପକ୍ଷରୁ ଛାତ୍ରଛାତ୍ରୀ ଙ୍କୁ ପାଠ୍ୟ ଉପକରଣ ବାଣ୍ଟିବା ସହ ସ୍ଥାନୀୟ ଲୋକେ ଲୁଙ୍ଗୀ, ଚଦର ପାଇ ବେଶ ଉତ୍ସାହିତ ହେଇଛନ୍ତି ଅଞ୍ଚଳର ଛାତ୍ରଛାତ୍ରୀଙ୍କ ସମେତ ଅଭିଭାବକ ମାନେ । ସ୍ଵାଭିମାନ ଅଞ୍ଚଳରେ ବିକାଶ ମୂଳକ କାର୍ଯ୍ୟ ଆହୁରି ତ୍ୱରାନ୍ୱିତ କରିବା ପାଇଁ ସହଯୋଗର ହାତ ବଢେଇଛନ୍ତି ଅଞ୍ଚଳ ବାସିନ୍ଦା ।

Leave A Reply

Your email address will not be published.