ବୟନ ଓ ପୋଷାକ କ୍ଷେତ୍ରରେ ବଡ଼ ପୁଞ୍ଜିନିବେଶ ହେବ
ଭୁବନେଶ୍ବର: ବାଂଲାଦେଶଠାରୁ କମ୍ ଦାମ୍ରେ ଓଡ଼ିଶାରେ ଉତ୍ପାଦନ ସମ୍ଭବ। ରାଜ୍ୟରେ ପୁଞ୍ଜିନିବେଶ କରିଥିବା ନିବେଶକମାନଙ୍କ ମୁହଁରୁ ଏକଥା ଶୁଣିବା ପରେ ବୟନ ଓ ପୋଷାକ କ୍ଷେତ୍ରର ବହୁ ନିବେଶକ ଓଡ଼ିଶାରେ ପୁଞ୍ଜିନିବେଶ ଲାଗି ଆଗ୍ରହ ପ୍ରକାଶ କରିଛନ୍ତି। ବେଙ୍ଗାଲୁରୁରେ ଅନୁଷ୍ଠିତ ଦୁଇଦିନିଆ ନିବେଶକ ସମ୍ମିଳନୀରେ ୧୧,୫୦୦ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ଆସିଛି। ଏହା କାର୍ଯ୍ୟକାରୀ ହେଲେ ୩୧,୫୦୦ରୁ ଅଧିକ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନାଙ୍କ ନେତୃତ୍ବରେ ଅନୁଷ୍ଠିତ ଏହି ସମ୍ମିଳନୀରେ ୪୬ ନିବେଶକଙ୍କ ସହ ଆଲୋଚନା ହୋଇଥିଲା। ସେମାନଙ୍କ ମଧ୍ୟରୁ ଅଧିକାଂଶ ବୟନ, ପୋଷାକ, ଟେକ୍ନିକାଲ୍ ଟେକ୍ସଟାଇଲ୍, ଗ୍ରିନ୍ ହାଇଡ୍ରୋଜେନ୍ ଆଦି କ୍ଷେତ୍ରରେ ନିବେଶ କରିବାକୁ ଚାହୁଛନ୍ତି।
ଆଗ୍ରହୀ ନିବେଶକମାନେ ଆସନ୍ତା ମାସରୁ ଓଡ଼ିଶା ଆସି ଏଠାରେ ରହିଥିବା ସୁଯୋଗକୁ ଜାଣିବା ଲାଗି ଉଦ୍ୟମ କରିବେ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି। ଓଡ଼ିଶାକୁ ଭାରତର ବୟନ ହବ୍ରେ ପରିଣତ କରିବା ଲକ୍ଷ୍ୟ ନେଇ ଆୟୋଜନ କରାଯାଇଥିବା ଏହି ସମ୍ମିଳନୀରେ ୧୦୦ରୁ ଅଧିକ ପ୍ରତିନିଧି ଅଂଶଗ୍ରହଣ କରିଥିଲେ। ସମ୍ମିଳନୀର ପ୍ରଥମ ଦିନରେ ୨୨ ନିବେଶକ ଏବଂ ଗୁରୁବାର ଆଉ ୨୪ ନିବେଶକଙ୍କ ସହ ଆଲୋଚନା ହୋଇଥିଲା। ଏହି ଅବସରରେ ଏକ ରୋଡ୍ ସୋ’ ମଧ୍ୟ ଆୟୋଜନ କରାଯାଇଥିଲା। ମୁଖ୍ୟ ସଚିବ ଶ୍ରୀ ଜେନାଙ୍କ ନେତୃତ୍ବାଧୀନ ପ୍ରତିନିଧି ଦଳ ବୟନ ଓ ପୋଷାକ, ଟେକ୍ନିକାଲ୍ ଟେକ୍ସଟାଇଲ୍, ଓୟାରରେବଲ୍, ଧାତବ ଓ ଆନୁଷଙ୍ଗିକ, କୃଷି ଉପକରଣ ନିର୍ମାଣ, ଲଜିଷ୍ଟିକ୍ସ, ଗ୍ରିନ୍ ଏନର୍ଜି ଓ ଗ୍ରିନ୍ ହାଇଡ୍ରୋେଜନ୍ରେ ରହିଥିବା ନିବେଶ ସୁଯୋଗ ବିଷୟରେ ସମ୍ଭାବ୍ୟ ନିବେଶକମାନଙ୍କୁ ବୁଝାଇଥିଲେ।
ଏହି ଅବସରରେ ମୁଖ୍ୟ ସଚିବ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ଓଡ଼ିଶା ସାରା ଦେଶରେ ନିବେଶକମାନଙ୍କ ପସନ୍ଦର ସ୍ଥାନରେ ପରିଣତ ହୋଇଛି। ମାନୁଫାକଚରିଂ ପୁଞ୍ଜିନିବେଶ ହାସଲ କରିବାରେ ଓଡ଼ିଶା ଅଗ୍ରଣୀ ସ୍ଥାନରେ ରହିଛି। ଏଠାରେ ଥିବା ନିବେଶ ସୁଯୋଗକୁ ସନ୍ଧାନ କରି କାରଖାନା ସ୍ଥାପନ ଲାଗି ଆଗେଇ ଆସିବାକୁ ସେ ନିବେଶକ ଓ ଶିଳ୍ପ ସଂଘର ପ୍ରତିନିଧିମାନଙ୍କୁ ଆହ୍ବାନ ଦେଇଛନ୍ତି। ଓଡ଼ିଶାରେ ନିବେଶ କରିଥିବା ସାହି ଏକ୍ସପୋର୍ଟସ୍ ଓ ଏବିଏଫ୍ଆର୍ଏଲ୍ର ଅଧିକାରୀମାନେ ସମ୍ମିଳନୀରେ ଯୋଗ ଦେଇ ସେମାନଙ୍କ ଅନୁଭୂତି ବଖାଣିଥିଲେ। ଏବିଏଫ୍ଆରଏଲ୍ର ଓଡ଼ିଶା ପରିଚାଳନା ମୁଖ୍ୟ ରାହୁଲ ଜିନ୍ଦଲ କହିଛନ୍ତି ଯେ ଓଡ଼ିଶାରେ ଥିବା ତାଙ୍କ କାରଖାନାରେ ବାଂଲାଦେଶଠାରୁ କମ୍ ଦାମ୍ରେ ପୋଷାକ ତିଆରି ସମ୍ଭବ ହେଉଛି।
ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା, ବୟନ ବିଭାଗର ପ୍ରମୁଖ ସଚିବ ଡ. ଅରବିନ୍ଦ ପାଢ଼ୀ, ବୟନ ନିର୍ଦ୍ଦେଶକ ଶୋଭନ କ୍ରିଷ୍ଣ ସାହୁ ପ୍ରମୁଖ ଏହି ନିବେଶକ ସମ୍ମିଳନୀ ଓ ରୋଡ୍ ସୋ’ରେ ଯୋଗ ଦେଇଥିଲେ। ଇପିକଲ୍ର କାର୍ଯ୍ୟନିର୍ବାହୀ ନିର୍ଦେଶକ କଲ୍ୟାଣ ସି ମହାନ୍ତି ମଧ୍ୟ ଉପସ୍ଥିତ ଥିଲେ।