୨୦୨୪ରେ ଅବସର ନେବେ ନାଦାଲ

ନୂଆଦିଲ୍ଲୀ: ସ୍ପେନ୍‌ ଟେନିସ୍‌ ତାରକା ରାଫେଲ୍‌ ନାଦାଲ୍‌ ୨୦୨୪ରେ ଅବସର ନେବେ। ବାରମ୍ବାର ଆହତ ସମସ୍ୟା ଭିତରେ ଗତି କରୁଥିବାରୁ ଆସନ୍ତା ବର୍ଷ ସେ ଟେନିସ୍‌ ଦୁନିଆକୁ ଅଲ୍‌ବିଦା ଜଣାଇବେ ବୋଲି ସ୍ପଷ୍ଟ କରିଛନ୍ତି। କିନ୍ତୁ କେଉଁ ପ୍ରତିଯୋଗିତାରେ ତାଙ୍କର ଶେଷ ମ୍ୟାଚ୍‌ ଖେଳିବେ ତାହା କହିନାହାନ୍ତି। ଗୁରୁବାର ସ୍ପେନ୍‌ର ମଲୋର୍କାସ୍ଥିତ ତାଙ୍କର ଏକାଡେମିରେ ଏକ ସାମ୍ବାଦିକ ସମ୍ମିଳନୀ କରି ନାଦାଲ ତାଙ୍କ ଭବିଷ୍ୟତ ଉପରେ ଉକ୍ତ ସୂଚନା ଦେଇଛନ୍ତି। ଚଳିତ ବର୍ଷର ଫ୍ରେଞ୍ଚ ଓପନ୍‌ରୁ ନାଦାଲ ଓହରି ଯାଇଛନ୍ତି। ଆହତ ଯୋଗୁଁ ସେ ଆଗକୁ ବଢିପାରୁନଥିବା ସ୍ବୀକାର କରିଛନ୍ତି। ଯେଉଁଥିପାଇଁ ରୋଲାଁ-ଗାରୋସ୍‌ରେ ସେ ଖେଳିବା ଅସମ୍ଭବ ବୋଲି କହିଛନ୍ତି। କେବଳ ରୋଲାଁ-ଗାରୋସ୍‌ ନୁହେଁ, ପରବର୍ତ୍ତୀ ମାସଗୁଡ଼ିକରେ ସେ ଖେଳିବାକୁ ପ୍ରସ୍ତୁତ ନଥିବା କହିଛନ୍ତି। ତାଙ୍କ ଶରୀରର ଅବସ୍ଥା ପାଇଁ ଖେଳଜୀବନରେ ପୁନଃଛେଦ ପକାଇବାକୁ ସେ ଚିନ୍ତା କରିଛନ୍ତି। ତେଣୁ କିଛି ସମୟ ବିରତି ନେଇ ଶରୀରକୁ ପୁଣି ଥରେ ପ୍ରସ୍ତୁତ କରିବି ଓ ଯେତେବେଳେ ସଂପୂର୍ଣ୍ଣ ପ୍ରସ୍ତୁତ ହେବି, ସେତେବେଳେ ପୁଣି ଥରେ ଖେଳିବା ଆରମ୍ଭ କରିବି ବୋଲି ସେ କହିଛନ୍ତି। ତଥାପି ଡେଭିସ୍‌ କପ୍‌ରେ ସେ‌ ଖେଳିବାକୁ ଆଗ୍ରହ ରଖିଛନ୍ତି ଏବଂ ଏହାଦ୍ବାରା ୨୦୨୪ ପାଇଁ ସେ ପ୍ରସ୍ତୁତ ହୋଇପାରିବେ। ଯଦି ସୁଯୋଗ ମିଳେ ତାହେଲେ ପ୍ରତ୍ୟେକ ପ୍ରତିଯୋଗିତାଗୁଡ଼ିକୁ ସେ ଉପଭୋଗ କରିବାକୁ ଚାହୁଁଥିବା କହିଛନ୍ତି।

ସୂଚନାଯୋଗ୍ୟ, ନାଦାଲ ରୋଲାଁ-ଗାରୋସ୍‌ ଟାଇଟଲ୍‌କୁ ସବୁଠୁ ଅଧିକ ୧୪ଥର ଜିତିଛନ୍ତି। କିନ୍ତୁ ୨୦୦୫ରେ ପଦାର୍ପଣ କରିବା ପରଠୁ ସେ ପ୍ରଥମ ଥର ପ୍ୟାରିସ୍‌ ପ୍ରତିଯୋଗିତାରୁ ଓହରିଯାଇଛନ୍ତି। ଚଳିତ ବ‌ର୍ଷ ‌ଅଷ୍ଟ୍ରେଲିଆନ୍‌ ଓପନ୍‌ରେ ଆମେରିକାର ମାକେଞ୍ଜି ମ୍ୟାକଡୋନାଲ୍ଡଙ୍କଠୁ ଦ୍ବିତୀୟ ରାଉଣ୍ଡରେ ପରାସ୍ତ ହେବା ପରେ ଜଙ୍ଘରେ ଆଘାତ ଲାଗିଥିଲା। ଏହାପରଠୁ ବର୍ତ୍ତମାନ ସୁଦ୍ଧା ସେ ଗୋଟିଏ ବି ମ୍ୟାଚ୍‌ ଖେଳିନାହାନ୍ତି। କିନ୍ତୁ ପ୍ୟାରିସ୍‌ ଅଲିମ୍ପିକ୍ସରେ ସେ ଭାଗ ନେବେ କି ନାହିଁ ତାହା ତାଙ୍କ ଶାରୀରିକ ସ୍ଥିତି ଉପରେ ନିର୍ଭର କରେ ବୋଲି ସେ ପ୍ରକାଶ କରିଛନ୍ତି।

Leave A Reply

Your email address will not be published.