ଟିକେଟ ନମିଳିବାରୁ ବିଜେଡି ଛାଡ଼ିଲେ ଅନୁଭବ ପଟ୍ଟନାୟକ

୨୦୧୪ ସାଧାରଣ ନିର୍ବାଚନରେ ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଜେଡିରୁ ପ୍ରାର୍ଥୀ ହୋଇଥିଲେ ଅନୁଭବ ପଟ୍ଟନାୟକ। ଆଉ ସେହି ନିର୍ବାଚନରେ ସେ ବିଜୟୀ ହୋଇ ଓଡ଼ିଶା ବିଧାନସଭାକୁ ଯାଇଥିଲେ।

ଭୁବନେଶ୍ୱର: ବିଜେଡି ଛାଡ଼ିଲେ ଅନୁଭବ ପଟ୍ଟନାୟକ। ଆଜି ସେ ବିଜେଡି ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସେ ନିଜର ଇସ୍ତଫା ପତ୍ର ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇ ଦେଇଛନ୍ତି। ଟିକେଟ ନମିଳିବାରୁ ସେ ବିଜେଡିରୁ ଇସ୍ତଫା ଦେଇଥିବା ଜଣାପଡ଼ିଛି। ହେଲେ ଆଗାମୀ ରଣନୀତି ନେଇ ସେ ମୁହଁ ଖୋଲିନାହାନ୍ତି।

୨୦୧୪ ସାଧାରଣ ନିର୍ବାଚନରେ ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଜେଡିରୁ ପ୍ରାର୍ଥୀ ହୋଇଥିଲେ ଅନୁଭବ ପଟ୍ଟନାୟକ। ଆଉ ସେହି ନିର୍ବାଚନରେ ସେ ବିଜୟୀ ହୋଇ ଓଡ଼ିଶା ବିଧାନସଭାକୁ ଯାଇଥିଲେ। ହେଲେ ୨୦୧୯ରେ ତାଙ୍କୁ ବିଜେଡି ପ୍ରାର୍ଥୀ କରିନଥିଲା। ତାଙ୍କ ସ୍ଥାନରେ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ବିଜେଡି ପ୍ରାର୍ଥୀ କରିଥିଲା। ଏହା ସତ୍ତ୍ୱେ ଅନୁଭବ ଦଳରେ ଥିଲେ ଓ ସଙ୍ଗଠନକୁ ସମ୍ଭାଳି ଥିଲେ।

ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଖଣ୍ଡପଡ଼ାରେ ବିଜେଡିର ଦବ୍‌ଦବା ଦେଖିବାକୁ ମିଳିଥିଲା। କୁହାଯାଉଥିଲା ଏଥିରେ ଅନୁଭବ ପଟ୍ଟନାୟକଙ୍କର ପ୍ରମୁଖ ଭୂମିକା ରହିଥିଲା। ଅନୁଭବଙ୍କ ରଣ କୌଶଳ ଯୋଗ ଖଣ୍ଡପଡ଼ାରେ ବିଜେଡି ବିଜୟ ହାସଲ କରିଥିଲା। ତେଣୁ ଅନୁଭବ ପଟ୍ଟନାୟକ ଆଶା ରଖିଥିଲେ ୨୦୨୪ ସାଧାରଣ ନିର୍ବାଚନରେ ବିଜେଡି ତାଙ୍କୁ ପ୍ରାର୍ଥୀ କରିଥିଲେ। ହେଲେ ଏଥର ତାଙ୍କୁ ନିରାଶ କରିଛି ଦଳ। ୨୦୧୯ ପରି ଏଥର ତାଙ୍କ ସ୍ଥାନରେ ସାବିତ୍ରୀ ପ୍ରଧାନଙ୍କୁ ବିଜେଡି ପ୍ରାର୍ଥୀ କରିଛି।

ଟିକଟ ନମିଳିବାରୁ ଆଜି ଅନୁଭବ ବିଜେଡିରୁ ଇସ୍ତଫା ଦେଇଛନ୍ତି। ନିଜର ଇସ୍ତଫା ପତ୍ରରେ, ସେ ଲେଖିଛନ୍ତି, ମୁଁ ଅତ୍ୟନ୍ତ ଦୁଃଖ ଓ ମର୍ମାହତ ସହିତ ଜଣାଇବାକୁ ଚାହୁଁଛି ଯେ, ମୋର ପରିବାର – ମୋର ପିତା ସ୍ବର୍ଗତ ଅରୁଣ ପଟ୍ଟନାୟକ, ୧୯୮୫ରୁ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ନେତୃତ୍ୱରେ, ଏବଂ ମୋ ମା’ ଶ୍ରୀମତୀ ବିଜୟଲକ୍ଷ୍ମୀ ପଟ୍ଟନାୟକ, ତଥା ମୁଁ ବିଜୁ ଜନତା ଦଳର ଆରମ୍ଭରୁ ଦଳ ସହିତ ଜଡ଼ିତ ଅଛୁ । ଦୀର୍ଘ ୪୦ ବର୍ଷ ଧରି ଖଣ୍ଡପଡ଼ାରେ ଦଳର ସଙ୍ଗଠନକୁ ସୁଦୃଢ଼ କରିବା ପାଇଁ ଆମ ପରିବାର ସର୍ବଦା ଚେଷ୍ଟିତ ରହିଛୁ । ପ୍ରତି ନିର୍ବାଚନରେ ଦଳକୁ ଜିତାଇବା ପାଇଁ ଆମେ ଅହରହ କାର୍ଯ୍ୟ କରି ଆସିଛୁ । ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ମୁଁ ବିଧାୟକ ଥିବା ସମୟରେ ଖଣ୍ଡପଡ଼ାର ସର୍ବାଙ୍ଗୀନ ଉନ୍ନତି କରିବା ସହିତ ବିଜୁ ଜନତା ଜଳକୁ ସୁଦୃଢ଼ କରିଛି ।

କିନ୍ତୁ ଏହିସବୁ ପ୍ରଚେଷ୍ଟା ପରେ ମଧ୍ୟ ୨୦୧୯ ସାଧାରଣ ନିର୍ବାଚନରେ, ଜଣେ ବହିରାଗତଙ୍କୁ ଆଣି ଖଣ୍ଡପଡ଼ାରେ ନିରୀହ ଜନସାଧାରଣଙ୍କ ଉପରେ ଲଦି ଦିଆଗଲା। ସେହି ବହିରାଗତ ବିଧାୟକ ହେଲା ପରେ କୌଣସି ମୁହୂର୍ତ୍ତରେ ମଧ୍ୟ ଲୋକମାନଙ୍କ ପାଖରେ ନ ଥିଲେ । ଏହି ଖବର ବିଜୁ ଜନତା ଦଳର ଶୀର୍ଷ ନେତୃତ୍ୱଙ୍କ ପାଖରେ ମଧ୍ୟ ଅଛି। ଯେତେବେଳେ ସେହି ଲୋକ ଦଳର ଶୀର୍ଷ ନେତୃତ୍ୱଙ୍କ ବିରୋଧରେ ଅପପ୍ରଚାର କଲେ, ଶୀର୍ଷ ନେତୃତ୍ୱଙ୍କ ନିର୍ଦ୍ଦେଶ କ୍ରମେ ମୁଁ ଦଳର ସ୍ବାର୍ଥ ଓ ସ୍ବାଭିମାନ ପାଇଁ ଟିଭି, ମିଡିଆ ଓ ସାମାଜିକ ଗଣମାଧ୍ୟରେ ମୋତେ ଦିଆଯାଇଥିବା ଦଳମତ ଅନୁସାରେ ପକ୍ଷ ରଖଥିଲି। ପ୍ରତ୍ୟେକ ସ୍ଥାନରେ ଶୀର୍ଷ ନେତୃତ୍ୱଙ୍କ ନିର୍ଦ୍ଦେଶ ଅନୁସାରେ ଯାହା ବିଜୁ ଜନତା ଦଳ ପାଇଁ ଆବଶ୍ୟକ, ମୁଁ ପାଳନ କରି ଆସିଛି।

ବିଧାୟକ ନ ଥାଇ ମଧ୍ୟ ବିଜୁ ଜନତା ଦଳର ସଙ୍ଗଠନକୁ ଦୃଢ଼ କରିବା ସହିତ, ଦଳର ମୁଖପାତ୍ର ଭାବରେ ଦଳୀୟ କାର୍ଯ୍ୟକ୍ରମରେ ମୁଁ ଅଂଶଗ୍ରହଣ କରିଛି। ବିଧାୟକଙ୍କ ଅନୁପସ୍ଥିତିରେ ମଧ୍ୟ ଦଳର ନିର୍ଦ୍ଦେଶ ଅନୁସାରେ ଖଣ୍ଡପଡ଼ାବାସୀଙ୍କ ସମସ୍ୟାକୁ ସମାଧାନ କରିବା ପାଇଁ ଉଦ୍ୟମ ଜାରି ରଖିଥିଲି I ଶୀର୍ଷ ନେତୃତ୍ୱଙ୍କ ନିର୍ଦେଶ ଅନୁସାରେ ଗୃହ ଟ୍ୟାଗି ଓ ଘରେ ଘରେ ଶଙ୍ଖ ଅଭିଯାନକୁ ସୂଚାରୁ ରୂପେ ଚଳାଇ ଆସିଛି।

ଏହା ସତ୍ତ୍ୱେ ୨୦୨୪ରେ ମଧ୍ୟ ମୋ ସହିତ ପୁଣି ଥରେ ଅନ୍ୟାୟ କରାଗଲା ଏବଂ ମତେ ଖଣ୍ଡପଡ଼ାରୁ ଦଳୀୟ ପ୍ରାର୍ଥୀ ଭାବେ ଲଢ଼ିବାରୁ ବଞ୍ଚିତ କରାଯାଇଛି। ବିଜୁ ଜନତା ଦଳର ଶୀର୍ଷ ନେତୃତ୍ୱ ସଦାସର୍ବଦା ମତେ ଅସ୍ତ୍ର କରି ନିଜର ସ୍ବାର୍ଥ ସାଧନ କରି ଆସିଛନ୍ତି । ବର୍ଷ ବର୍ଷ ଧରି ବିଜୁ ଜନତା ଦଳରେ ରହି ବିନା ସ୍ବାର୍ଥରେ ଦଳକୁ ସୁଦୃଢ଼ କଲା ପରେ ମଧ୍ୟ, ଦଳର ଏହି ପ୍ରକାର ପକ୍ଷପାତିତା ମୋ ଭଳି ଅନେକ ବିଜୁ ଜନତା ଦଳ ପ୍ରତି ଆସନ୍ତ ଥିବା କର୍ମୀମାନଙ୍କ ପ୍ରତି ଅନ୍ୟାୟ କରୁଛି। ଏହା ଆଗକୁ ଦଳକୁ ସୁଦୃଢ଼ କରିବା ପରିବର୍ତ୍ତେ ଦଳକୁ ଖଣ୍ଡପଡ଼ାରେ ଦୁର୍ବଳ କରିବା ହିଁ ଏକମାତ୍ର ସାର ।

ଖଣ୍ଡପଡ଼ା ମାଟିର ସନ୍ତାନ ଭାବରେ ଖଣ୍ଡପଡ଼ାର ବିକାଶ ମୋର ମୂଳ ଲକ୍ଷ୍ୟ। ମୋର କର୍ତ୍ତବ୍ୟନିଷ୍ଠା, ଆତ୍ମସମ୍ମାନ ଓ ଖଣ୍ଡପତା ବାସୀଙ୍କର ମୋ ପ୍ରତି ଥିବା ଭରସା ଓ ବିଶ୍ୱାସକୁ ବଜାୟ ରଖିବା ପାଇଁ, ମୁଁ ମୋ ସମର୍ଥକଙ୍କ ମତ ଅନୁସାରେ ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ପ୍ରଦାନ କରୁଛି ବୋଲି ଲେଖିଛନ୍ତି।

Leave A Reply

Your email address will not be published.