mobile header

ଘାରିଛି ଆଲୋକ, ପାଣି, ରାସ୍ତା ଓ ପରିମଳ ସମସ୍ୟା

ଘାଣ୍ଟି ହେଉଛନ୍ତି ସିଡିଏ ସେକ୍ଟର୍‌-୧୩ ବାସିନ୍ଦା

କଟକ: ସିଡ଼ିଏ ସେକ୍ଟର-୧୩ର ବାସିନ୍ଦାଙ୍କ ନିକଟରେ ଏବେ ସୁଦ୍ଧା ବିଦ୍ୟୁତ୍‌, ସ୍ବେରେଜ ଲାଇନ୍‌, ଡ୍ରେନ ଓ ରାସ୍ତା ପରି ମୌଳିକ ସୁବିଧା ପହଞ୍ଚି ପାରିଲା ନାହିଁ। ଅନ୍ୟପଟେ ସିଡ଼ିଏ ସେକ୍ଟରର କାମ ସଂପୂର୍ଣ୍ଣ କରି ପୌର ନିଗମକୁ ହସ୍ତାନ୍ତର କରୁ ନ ଥିବାରୁ ନିଗମ ତରଫରୁ ଏଠାରେ ସଫେଇ କାମ ମଧ୍ୟ ଆରମ୍ଭ ହୋଇ ପାରୁନାହିଁ। ୧୯୯୫ରେ ଟଙ୍କା ଜମା କରି ୨୦୦୪ରେ ଜାଗା ପାଇଥିବା ସେକ୍ଟର ବାସିନ୍ଦାଙ୍କୁ ଏବେ ସୁଦ୍ଧା ପ୍ରଶାସନ ପକ୍ଷରୁ ମୌଳିକ ସୁବିଧା ମିଳି ପାରିଲା ନାହିଁ। ୯ ଶହରୁ ଅଧିକ ପରିବାର ଏଠାରେ ରହୁଥିବା ବେଳେ ରାସ୍ତା, ବିଦ୍ୟୁତ୍‌, ପାଣି, ‌ସ୍ବେରେଜ ଓ ପରିମଳ ପରି ସମସ୍ୟା ମଧ୍ୟରେ ୫ ହଜାରରୁ ଅଧିକ ସ୍ଥାନୀୟ ବାସିନ୍ଦା ଘାଣ୍ଟି ହେଉଛନ୍ତି। ସେକ୍ଟର ବାସିନ୍ଦା ସେମାନଙ୍କ ସମସ୍ୟାର ସାମାଧାନ ପାଇଁ ସିଡ଼ିଏ, ସିଏମ୍‌ସିରୁ ଆରମ୍ଭ କରି ବିଦ୍ୟୁତ ବିଭାଗକୁ ବାରମ୍ବାର ଦୌଡୁଥିବା ବେଳେ ଆଜି ସୁଦ୍ଧା ସୁଫଳ ପାଇ ନଥିବା ଅଭିଯୋଗ କରିଛନ୍ତି। ସିଡ଼ିଏ ସେକ୍ଟର-୧୩‌ରେ ଘର କରି ରହୁଥିବା ଲୋକଙ୍କ ସମସ୍ୟାର ତାଲିକା ବଢି ଚାଲିଛି। ବିଦ୍ୟୁତ୍‌, ପାଣି, ରାସ୍ତା, ସ୍ବେରେଜ ଓ ପରିମଳ ପରି ବିଭିନ୍ନ ସମସ୍ୟା ମଧ୍ୟରେ ସେମାନେ ଘାଣ୍ଟି ହେଉଥିବା ବେଳେ ଏହାର ସମାଧାନ ପାଇଁ ସିଡ଼ିଏ, ବିଦ୍ୟୁତ ଓ ପୌର ନିଗମ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଉଦ୍ୟମ କରାଯାଉ ନଥିବା ଅଭିଯୋଗ ହୋଇଛି। ସେକ୍ଟର-୧୩ର ବିଦ୍ୟୁତ୍‌ ଯୋଗାଣ ପାଇଁ ୨୦୧୮ ଅଗଷ୍ଟରେ ସିଡ଼ିଏ କର୍ତ୍ତୃପକ୍ଷ ସେସୁ ନିକଟରେ ୬ କୋଟି ୮ ଲକ୍ଷ ଟଙ୍କା ଦାଖଲ କରିଥିଲେ। ମାତ୍ର ଏହା ମଧ୍ୟରେ ୫ ବର୍ଷ ବିତି ଯାଇଥିଲେ ବି ଅନେକ ଅଞ୍ଚଳକୁ ତାର ଟଣା ଯାଇନାହିଁ କି ୨ଶହରୁ ଅଧିକ ବିଦ୍ୟୁତ ଖୁଣ୍ଟି ଏବେ ଯାଏ ବସିନାହିଁ। ସେପଟେ ୯ଟି ଟ୍ରାନ୍ସଫର୍ମର ବସିବାକୁ ଥିବା ବେଳେ ମାତ୍ର ୩ଟିରେ ବିଦ୍ୟୁତ ଯୋଗାଯାଉଛି।

ଏବେ ସୁଦ୍ଧା ମାତ୍ର ଗୋଟିଏ ଓଳି ପିଇବା ପାଣି ଆସୁଥିବା ବେଳେ ସ୍ଥାନୀୟ ବାସିନ୍ଦା ସେମାନଙ୍କ ଉଦ୍ୟମରେ ଘରର ଆବଶ୍ୟକତା ପାଇଁ ପାଣିର ବ୍ୟବସ୍ଥା କରିଛନ୍ତି। ଲୋକଙ୍କ ଘରୁ ବର୍ଜ୍ୟପାଣି ନିଷ୍କାସନ ପାଇଁ ‌ସ୍ବେରେଜର ବ୍ୟବସ୍ଥା ରହିଛି। ହେଲେ ୧୮ ବର୍ଷ ତଳେ ତିଆରି ହୋଇଥିବା ସ୍ବେରେଜ ଲାଇନ୍‌ ଓ ଚାମ୍ବରଗୁଡିକ ରକ୍ଷଣାବେକ୍ଷଣ ଅଭାବରୁ ଭାଙ୍ଗି ରୁଜି ଗଲାଣି। ଏପରି ସ୍ଥିତିରେ ଭଙ୍ଗା ‌ସ୍ବେରେଜ ପାଇଁ ରାସ୍ତା ଉପରେ ନର୍ଦମା ପାଣି ଲହଡି ଭାଙ୍ଗୁଛି। ରେଭେନ୍ସା ଦ୍ବିତୀୟ କ୍ୟାମ୍ପସ ନିର୍ମାଣରେ ଖରସୁଆ ନାଳ ପୋତି ହୋଇଯାଇ ଥିବାରୁ ସ୍ଥାନୀୟ ଅଞ୍ଚଳର ବର୍ଷା ପାଣି ନିଷ୍କାସନରେ ସମସ୍ୟା ହେଉଛି। ଏଥିରେ ଟିକିଏ ବର୍ଷାରେ ସେକ୍ଟର ବିଭିନ୍ନ ସ୍ଥାନରେ ଜଳବନ୍ଦିର ସ୍ଥିତି ଦେଖିବାକୁ ମିଳୁଛି। ପୌର ନିଗମ ପକ୍ଷରୁ ସେକ୍ଟରରେ ପରିମଳ ପାଇଁ କୌଣସି ବ୍ୟବସ୍ଥା କରାଯାଇ ନାହିଁ। ନିଗମ ନିକଟରେ ସିଡ଼ିଏ ସେକ୍ଟର-୧୩କୁ ହସ୍ତାନ୍ତର କରିନଥିବାରୁ ଏଠାରେ ସଫେଇ କାମଠୁ ଆରମ୍ଭ କରି ଅନ୍ୟ କାମ ହୋଇ ପାରୁନାହିଁ। ସେହିପରି ଗମନାଗମନର ସୁବିଧା ପାଇଁ ୫ ବର୍ଷ ପୂର୍ବେ ବିଜୁ ପଟ୍ଟନାୟକ ପାର୍କ ପାର୍ଶ୍ବ ଦେଇ ସେକ୍ଟର-୧୦ ଓ ୧୧ ପର୍ଯ୍ୟନ୍ତ ଏକ ରାସ୍ତା ନିର୍ମାଣ କରିବାକୁ ଯୋଜନା ହୋଇଥିଲା। ମାତ୍ର ଏହା ଏବେ ସୁଦ୍ଧା କାର୍ଯ୍ୟକାରୀ ହୋଇ ପାରିଲା ନାହିଁ। ସିଡ଼ିଏର ବିଭିନ୍ନ ସେକ୍ଟରକୁ ମୋ ବସ୍‌ ଆସୁଥିବା ବେଳେ ସେକ୍ଟର-୧୩ର ବାସିନ୍ଦାଙ୍କ ପାଇଁ ଏବେ ସୁଦ୍ଧା ଏହି ସେବା ଅପହଞ୍ଚ ହୋଇ ରହିଛି। ସେକ୍ଟର ବହୁ ସମସ୍ୟା ଥିବା ବେଳେ ଏହାର ସମାଧାନ ପାଇଁ ସିଡ଼ିଏ, ସିଏମ୍‌ସି କିମ୍ବା ବିଦ୍ୟୁତ ବିଭାଗ ପକ୍ଷରୁ କୌଣସି ଉଦ୍ୟମ କରାଯାଉ ନାହିଁ‌ ବୋଲି ସିଡ଼ିଏ ସେକ୍ଟର-୧୩ ଆବାସିକ ସଂଘର ଯୁଗ୍ମ ସଂପାଦକ ପ୍ରିୟରଂଜନ ସାମନ୍ତରାୟ ଅଭିଯୋଗ କରିଛନ୍ତି।

Leave A Reply

Your email address will not be published.