ରୋହିତଙ୍କ ‘ଅବସର ନୀତି’ ପଛରେ ଡର ନା ଅନ୍ୟ କିଛି ?

ସମ୍ବଲପୁର: ଚାକିରି ଅବସର ବୟସ ଏବେ ୫୮ ବର୍ଷରୁ ବୃଦ୍ଧି ପାଇ ୬୦ ବର୍ଷରେ ପହଂଚିଛି। ଡାକ୍ତରମାନଙ୍କ ଅବସର ବୟସ ସୀମା ୬୫ ଥିବା ବେଳେ ସେମାନେ ଚାହିଲେ ଆହୁରି ୩ ବର୍ଷ ପର୍ଯ୍ୟନ୍ତ ଚୁକ୍ତି ଭିତ୍ତିରେ ଚାକିରି କରିପାରିବେ। ଅନ୍ୟ କେତେକ ବିଭାଗ ବି ଅବସର ବୟସ ୬୦ରୁ ଅଧିକ କରିବା ପାଇଁ ଦାବି କରି ବସିଲେଣି। ରାଜନୀତି କ୍ଷେତ୍ରରେ ଅବସର ନେବାର କୌଣସି ବୟସ ସୀମା ଏପର୍ଯ୍ୟନ୍ତ ସ୍ଥିର ହୋଇନଥିବା ବେଳେ ରେଢ଼ାଖୋଲ ବିଧାୟକ ତଥା ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ ୬୦ ବର୍ଷରୁ ଅଧିକ ବୟସର ବ୍ୟକ୍ତି ବିଧାନସଭା ନିର୍ବାଚନ ନଲଢ଼ିବା ଉଚିତ ବୋଲି ଯୁକ୍ତି ରଖିଛନ୍ତି। ତାଙ୍କ ଏହି ‘ଅବସର ନୀତି ପଛରେ ରେଢ଼ାଖୋଲ ଅଂଚଳରେ ସାଂଗଠନିକ ସ୍ଥିତି ପୂର୍ବାପେକ୍ଷା ଦୁର୍ବଳ ହେବା ଏବଂ ବରିଷ୍ଠ ନେତାଙ୍କ ସକ୍ରିୟତାକୁ ନେଇ ଏହି ବିଧାନସଭା ‌କ୍ଷେତ୍ର ହାତଛଡ଼ା ହେବା ଡର ନା ଅନ୍ୟ କିଛି ଆଦର୍ଶ ରହିଛି ବୋଲି ଅଂଚଳରେ ଚର୍ଚ୍ଚା ହେଉଛି।

ଶନିବାର ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ପୂଜାରୀ ନିଜ ବିଧାନସଭା କ୍ଷେତ୍ରରେ ମାରାଥନ ସାଂଗଠନିକ କାର୍ଯ୍ୟକ୍ରମ କରିଥିଲେ। ରେଢ଼ାଖୋଲ ବ୍ଲକ୍‌ ଅନ୍ତର୍ଗତ ମୋଚିବାହାଲ, ଗରଗଡ଼ବାହାଲ, ବଂଶାଜାଲ, ଭରତାପୁର, ତ୍ରିବଣପୁର ଓ ବୁର୍ଡାଠାରେ ଅନୁଷ୍ଠିତ ସାଂଗଠନିକ କାର୍ଯ୍ୟକ୍ରମରେ ସେ ଯୋଗ ଦେଇଥିବା ବେଳେ ତ୍ରିବଣପୁର ଏବଂ ଭରତାପୁର ବୈଠକରେ ମନ୍ତ୍ରୀ ଶ୍ରୀ ପୂଜାରୀ କହି‌ଥିଲେ, ରେଢ଼ାଖୋଲ ଏକ ବଡ଼ ନିବାର୍ଚନମଣ୍ଡଳୀ ଏବଂ ଦେଓଗାଁରୁ କୁଡ଼ାନାଳି ପର୍ଯ୍ୟନ୍ତ ପ୍ରାୟ ୨୦୦ କିମି ରହୁଥିବା ବେଳେ ଜଣେ ୬୦ ବର୍ଷରୁ ଅଧିକ ବୟସର ବ୍ୟକ୍ତି ବିଧାୟକ ହେଲେ ଏତେ ବଡ଼  ନିର୍ବାଚନମଣ୍ତଳୀ ବୁଲିବା ସମ୍ଭବ ନୁହେଁ। ଏହି ବୟସର ନେତା ଯଦି ବିଧାୟକ ହୁଅନ୍ତି, ସେମାନେ ନିର୍ବାଚନମଣ୍ଡଳୀ ନ ବୁଲି ଡାକବଙ୍ଗଳା ଓ ଭୁବନେଶ୍ବରରେ ରହି କାର୍ଯ୍ୟ ତୁଲାଇବେ। ସେମାନଙ୍କ ପକ୍ଷରେ ସେବା କରିବା ସମ୍ଭବ ନୁହେଁ। ତାଙ୍କ ବୟସ କମ୍‌ ଥିବାରୁ ସେ ନିର୍ବାଚନମଣ୍ତଳୀ ବୁଲି ପାରୁଛନ୍ତି। ବୟସ ଅଧିକ ହେଲେ ସେ ମଧ୍ୟ ଆଉ ନିର୍ବାଚନ ଲଢ଼ିବେ ‌ନାହିଁ ବୋଲି କହିଥିଲେ।

ରୋହିତଙ୍କ ଏହି ‘ଅବସର ନୀତିକୁ କାର୍ଯ୍ୟକାରୀ କରାଗଲେ ଅନେକ ଯୁବନେତାଙ୍କ ପାଇଁ ବାଟ ଫିଟି ଯିବ‌। କିନ୍ତୁ ବହୁ ବିଧାୟକ ତଥା ବରିଷ୍ଠ ନେତାଙ୍କୁ ନିର୍ବାଚନ ରାଜନୀତିରୁ ସନ୍ନ୍ୟାସ ନେବାକୁ ପଡ଼ିବ। ମୁଖ୍ୟମନ୍ତ୍ରୀଙ୍କ ସହିତ ଅନ୍ୟ କେତେକ ମନ୍ତ୍ରୀଙ୍କ ବୟସ ସୀମା ବି କେବେଠୁ ୬୦ ଅତିକ୍ରାନ୍ତ ହେଲାଣି। କେତେକ ନେତା ୭୦ ବର୍ଷ ବି ପାର କରିସାରିଲେଣି। ତଥାପି ସେମାନେ ରାଜନୀତିରେ ବେଶ୍‌ ସକ୍ରିୟ ରହିଛନ୍ତି ଏବଂ ଅନେକ ଯୁବନେତାଙ୍କଠାରୁ ବି ଅଧିକ ପରିଶ୍ରମ କରୁଥିବା ଦେଖିବାକୁ ମିଳୁଛି। ତେବେ, ମନ୍ତ୍ରୀ ଶ୍ରୀ ପୂଜାରୀ ବିଜେଡିର ବରିଷ୍ଠ ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟ ଏବଂ ଅବସରପ୍ରାପ୍ତ ଜିଲ୍ଲାପାଳ ପ୍ରମୋଦ ବେହେରାଙ୍କୁ ଲକ୍ଷ୍ୟ କରି ଏଭଳି କହିଥିବା କହାଯାଉଛି। ରେଢ଼ାଖୋଲରୁ ନିର୍ବାଚନ ଜିତି ସ୍ବାସ୍ଥ୍ୟ ଓ ଅର୍ଥ ବିଭାଗ ଭଳି ଗୁରୁତ୍ବପୂର୍ଣ୍ଣ ବିଭାଗର ମନ୍ତ୍ରୀ ପଦ ପାଇଥିବା ପ୍ରସନ୍ନ ଆଚାର୍ଯ୍ୟ ଗତ ଶୁକ୍ରବାର ଏକ ବିବାହ ଉତ୍ସବରେ ଯୋଗ ଦେବା ସହିତ ଦଳୀୟ କର୍ମୀମାନଙ୍କ ସହ ସାକ୍ଷାତ ଆଲୋଚନା କରିଥିଲେ। ଦଳୀୟ କର୍ମୀ ଏବଂ ଜନସାଧାରଣଙ୍କ ସହିତ ଶ୍ରୀ ଆଚାର୍ଯ୍ୟଙ୍କ ଭଲ ସଂପର୍କ ରହିଥିବା ବେଳେ ପ୍ରାୟତଃ ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ସେ ଏହି ଅଂଚଳକୁ ଆସୁଛନ୍ତି।

ଅନ୍ୟପକ୍ଷରେ ଚାକିରିରୁ ଅବସର ନେବା ପରେ ଅବସରପ୍ରାପ୍ତ ଜିଲ୍ଲାପାଳ ଶ୍ରୀ ବେହେରା ରେଢ଼ାଖୋଲ ଅଂଚଳରେ ବୁଲାବୁଲି ଆରମ୍ଭ କରିଥିବା ବେଳେ ଟିକଟ ପାଇଁ ଲବି କରୁଥିବା ଚର୍ଚ୍ଚା ହେଉଛି। ରେଢ଼ାଖୋଲ ବ୍ୟତୀତ ରୋହିତଙ୍କ ସମ୍ବଲପୁର ବିଧାନସଭା କ୍ଷେତ୍ର ଉପରେ ବି ଆଖି ରହିଛି। ଚାକିରିରୁ ଅବସର ନେବା ଅନେକ ବର୍ଷ ପରେ ରାଜନୀତିକୁ ଆସିଥିବା ସମ୍ବଲପୁରର ପୂର୍ବତନ ବିଧାୟିକା ଡାକ୍ତର ରାସେଶ୍ବରୀ ପାଣିଗ୍ରାହୀଙ୍କୁ ବି ଲକ୍ଷ୍ୟ କରି ଅର୍ଥାତ ‘ଗୋଟିଏ ଗୁଳିରେ ଦୁଇଟି ଶିକାର କରିବା ପାଇଁ ଏଭଳି କହିଥିବା ରାଜନୈତିକ ମହଲରେ ଆଲୋଚନା ହେଉଛି।

Leave A Reply

Your email address will not be published.