mobile header

ଓଡିଆ ପୁଅ ମୃତ୍ୟୁଞ୍ଜୟ ମହାପାତ୍ରଙ୍କୁ ବଡ ଦାୟିତ୍ୱ: ବିଶ୍ୱ ପାଣିପାଗ ସଙ୍ଗଠନର ଉପାଧ୍ୟକ୍ଷ ଭାବେ ହେଲେ ନିର୍ବାଚିତ

ନୂଆଦିଲ୍ଲୀ: ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ଡ.ମୃତ୍ୟୁଞ୍ଜୟ ମହାପାତ୍ର ବିଶ୍ବ ପାଣିପାଗ ସଂଗଠନର ୩ୟ ଉପ-ସଭାପତି ନିର୍ବାଚିତ ହୋଇଛନ୍ତି । ସେ ୧୪୮ଟି ଭୋଟରୁ ୧୧୩ଟି ଭୋଟ ପାଇ ନିର୍ବାଚିତ ହୋଇଛନ୍ତି ।  ସେହିପରି ଆୟର୍ଲାଣ୍ଡର ପାଣିପାଗ ବିଭାଗ ନିର୍ଦ୍ଦେଶକ ଇଅନ୍ ମୋରାନ ବିଶ୍ବ ପାଣିପାଗ ସଂଗଠନର ୨ୟ ସଭାପତି ଓ ଆଫ୍ରିକୀୟ ଦେଶ ଆଇଭରି କୋଷ୍ଟର ପାଣିପାଗ ବିଭାଗ ମୁଖ୍ୟ ଡାଉଡା କୋନାଟେଙ୍କୁ ପ୍ରଥମ ଉପସଭାପତି ନିର୍ବାଚିତ ହୋଇଛନ୍ତି ।

ଏନେଇ ବିଶ୍ୱ ପାଣିପାଗ ସଙ୍ଗଠନ ତରଫରୁ ଟୁଇଟ୍ କରି ସୂଚନା ଦିଆଯାଇଛି । ଏଥିସହ ପୂରା ଭାରତ ପାଇଁ ଏହା ଗର୍ବର ବିଷୟ ଓ ଏଥିପାଇଁ ସମସ୍ତଙ୍କୁ ଶୁଭେଚ୍ଛା ବୋଲି ବିଭାଗ କହିଛି।

ପ୍ରଥମ ଓଡ଼ିଆ ଭାବେ ଡ. ମୃତ୍ୟୁଞ୍ଜୟ ମହାପାତ୍ର ୨୦୧୯ରେ ଆଇଏମ୍‌ଡି ମୁଖ୍ୟ ପଦରେ ନିଯୁକ୍ତି ପାଇଥିଲେ। ଏହି ପଦ ଗ୍ରହଣ କରିବା ପୂର୍ବରୁ ସେ ଆଇଏମ୍‌ଡି ଏଡିଜି ସହ ସାଇକ୍ଲୋନ୍‌ ଓ୍ୱାର୍ଣ୍ଣିଂ ବିଭାଗର ମୁଖ୍ୟ ଥିଲେ। 

ବୈଜ୍ଞାନିକ ମୃତ୍ୟୁଞ୍ଜୟ ମହାପାତ୍ର ଫାଇଲିନ୍, ହୁଡହୁଡ୍, ତିତଲି ଓ ଫୋନି ଭଳି ବାତ୍ୟାର ଲ୍ୟାଣ୍ଡଫଲ ଓ ବେଗ ସମ୍ପର୍କରେ ସଠିକ୍‌ ଆକଳନ କରି ସମସ୍ତର ବିଶ୍ୱାସଭାଜନ ହୋଇପାରିଥିଲେ।

ଓଡ଼ିଶାର ଭଦ୍ରକ ଜିଲ୍ଲା ଘଣ୍ଟେଶ୍ୱରରେ ଜନ୍ମିତ ଶ୍ରୀ ମହାପାତ୍ର ଆଇଆଇଟି ଦିଲ୍ଲୀର ଛାତ୍ର। ସେ ଘଣ୍ଟେଶ୍ୱର ସ୍ଥିତ ଏସି ହାଇସ୍କୁଲରେ ପାଠ ପଢ଼ିଥିଲେ।

ଅନ୍ୟପକ୍ଷରେ ଆର୍ଜେଣ୍ଟିନାର ପ୍ରଫେସର ସେଲେଷ୍ଟୋ ସାଉଲୋ ବିଶ୍ବ ପାଣିପାଗ ସଂଗଠନର ମହାସଚିବ ନିର୍ବାଚିତ ହୋଇଛନ୍ତି । ସେ ବିଶ୍ବ ପାଣିପାଗ ସଂଗଠନର ପ୍ରଥମ ମହିଳା ମହାସଚିବ ହୋଇଛନ୍ତି ।  ୟୁନାଇଟେଡ୍ ଆରବ ଏମିରେଟ୍ସର ପାଣିପାଗ ବିଭାଗ ମୁଖ୍ୟ ଡ. ଅବଦୁଲ୍ଲା ମାଣ୍ଡୋସ୍ ଆସନ୍ତା ୪ ବର୍ଷ ପାଇଁ ସଂଗଠନର ସଭାପତି ନିର୍ବାଚିତ ହୋଇଛନ୍ତି ।

ସୂଚନାଯୋଗ୍ୟ ଯେ ବିଶ୍ବ ପାଣିପାଗ ସଂଗଠନ ହେଉଛି ମିଳିତ ଜାତିସଂଘର ପାଣିପାଗ, ଜଳବାୟୁ ଓ ଜଳ ସଂପର୍କିତ ସଂଗଠନ । ଜେନିଭାଠାରେ ଚାଲିଥିବା ବିଶ୍ବ ପାଣିପାଗ କଂଗ୍ରେସ ଅବସରରେ ସଂଗଠନର ନୂଆ କର୍ମକର୍ତ୍ତାମାନଙ୍କ ନିର୍ବାଚନ ହୋଇଥିଲା । ଏହି କଂଗ୍ରେସ ଗତ ମେ ୨୨ରୁ ଆରମ୍ଭ ହୋଇଥିବାବେଳେ ଜୁନ ୨ରେ ଶେଷ ହେବ ।

Leave A Reply

Your email address will not be published.