mobile header

ବାହାନଗା ଟ୍ରେନ୍‌ ଦୁର୍ଘଟଣାର ସିବିଆଇ ତଦନ୍ତ ପାଇଁ ରେଳବାଇ ବୋର୍ଡ ସୁପାରିସ କରିଛି: ରେଳମନ୍ତ୍ରୀ

ଭୁବନେଶ୍ବର: ବାଲେଶ୍ବର ଜିଲ୍ଲା ବାହାନଗା ଷ୍ଟେସନ ନିକଟରେ ଗତ ୨ ତାରିଖ ଦିନ ଘଟିଥିବା ଭୟଙ୍କର ଟ୍ରେନ୍‌ ଦୁର୍ଘଟଣା ନେଇ ସିବିଆଇ ତଦନ୍ତ ହୋଇପାରେ। ଏଥି ନେଇ ଭାରତୀୟ ରେଳବାଇ ବୋର୍ଡ ସିବିଆଇକୁ ସୁପାରିସ କରିଛନ୍ତି। କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ରବିବାର ସନ୍ଧ୍ୟାରେ ଗଣମାଧ୍ୟମର ପ୍ରତିନିଧିଙ୍କୁ କହିଛନ୍ତି। କେଉଁ ପରିସ୍ଥିତିରେ ଏହି ଘଟଣା ଘଟିଲା? ଏଥି ପାଇଁ କେଉଁମାନେ ଦାୟୀ ? ଏହାର ବିସ୍ତୁତ ତଦନ୍ତ ହେବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି।

ଶ୍ରୀ ବୈଷ୍ଣବ କହିଛନ୍ତି ଯେ, ବାହାନଗା ଟ୍ରେନ୍‌ ଦୁର୍ଘଟଣା ପରେ ବାଲେଶ୍ବର, ଭଦ୍ରକ, ସୋରର ସାଧାରଣ ଜନତାଙ୍କ ସମେତ ରେଳବାଇ ଓ ଜିଲ୍ଲାପ୍ରଶାସନ ମିଶି ଉଦ୍ଧାର କାର୍ଯ୍ୟ କରିଛନ୍ତି। ଏପର୍ଯ୍ୟନ୍ତ ମୁଖ୍ୟ ଲାଇନ୍‌ ସମେତ ୨ଟି ଲାଇନ୍‌ କାମ ଶେଷ ହୋଇଛି। ବିଦ୍ୟୁତ କାମ ଜାରି ରହିଛି। କଟକ, ବାଲେଶ୍ବର ଓ ଭଦ୍ରକ ଡାକ୍ତରଖkନାରେ ଚିକିତ୍ସିତ ହେଉଥିବା ଯାତ୍ରୀମାନଙ୍କୁ ଭେଟିଛି। ଆହତଙ୍କୁ ଭଲ ଚିକିତ୍ସା ଦିଆଯାଉଛି। ଦେଶବ୍ୟାପି ଯେଉଁଠାରୁ ଯାତ୍ରୀମାନେ ଆସିଥିଲେ, ସେମାନଙ୍କର ପରିବାର ସହିତ ରେଳବାଇ ଓ ସରକାର ସଂପର୍କରେ ଅଛନ୍ତି।

ଏହା ପୂର୍ବରୁ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ, ବାହାନଗାରେ ଏକ୍ସପ୍ରେସ୍‌ ଟ୍ରେନ୍‌ ଦୁର୍ଘଟଣାରେ ଆମେ ଯେଉଁମାନଙ୍କୁ ହରାଇଛେ, ସେମାନଙ୍କୁ ଆଉ ପାଇପାରିବା ନାହିଁ। ସରକାରଙ୍କ ପାଇଁ ଏହି ଘଟଣା ଗମ୍ଭୀର ତଥା ସମ୍ବେଦନଶୀଳ। ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଏହି ଭୟଙ୍କର ଦୁର୍ଘଟଣା ପାଇଁ ଯେଉଁମାନେ ଦୋଷୀ ପ୍ରମାଣିତ ହେବେ, ସମୋନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ବାହାନଗାରେ ଦୁର୍ଘଟଣାସ୍ଥଳ ଏବଂ ବାଲେଶ୍ବର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ରୋଗୀଙ୍କୁ ଭେଟିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହା କହିଥିଲେ।

ସୂଚନା ଥାଉକି, ଏହି ଦୁର୍ଘଟଣାକୁ ଦୁଇଦିନ ବିତିଥିଲେ ହେଁ ଏପର୍ଯ୍ୟନ୍ତ କାହାର ଭୁଲ ଏଥିପାଇଁ ଦାୟୀ ସ୍ପଷ୍ଟ କରାଗଲାନି କିମ୍ବା ଦୃଢ଼ କାର୍ଯ୍ୟାନୁଷ୍ଠାନ ହୋଇନି। ଯେତେବେଳେ କି ପ୍ରଧାନମନ୍ତ୍ରୀ ଘଟଣାସ୍ଥଳ ଯାଞ୍ଚ କରିବା ପରେ ଭୁଲ କରିଥିବା ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଥିଲେ। ଅନ୍ୟପଟେ ଘଟଣାର ତଦନ୍ତ କରୁଥିଲା ରେଲୱେ ସୁରକ୍ଷା ବୋର୍ଡ। ବୋର୍ଡ ଚାହିଁଥିଲେ ବିଭାଗୀୟ ଯାଞ୍ଚ ରିପୋର୍ଟରୁ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇପାରିଥାଆନ୍ତା। ହେଲେ ଏପରି ନ କରି ଘଟଣାକୁ ସିବିଆଇ ତଦନ୍ତ ନିମନ୍ତେ ଦିଆଯିବା ଆଲୋଚନାର ବିଷୟ ହୋଇଛି।

ବାଲେଶ୍ୱର ଜିଲ୍ଲା ବାହାନଗାରେ ଶୁକ୍ରବାର ଘଟିଥିବା ଟ୍ରେନ ଦୁର୍ଘଟଣାରେ ୨୭୫ ଜଣଙ୍କ ମୃତ୍ୟୁ ଘଟିଛି। ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ରବିବାର ଏହି ସୂଚନା ଦେଇଛନ୍ତି। ୨୭୫ଟି ମୃତଦେହ ମଧ୍ୟରୁ ୮୮ଟିକୁ ଚିହ୍ନଟ କରାଯାଇଛି। ସେହି ୮୮ଟି ମୃତଦେହ ମଧ୍ୟରୁ ୭୮ଟିକୁ ସଂପୃକ୍ତ ପରିବାରଗୁଡ଼ିକୁ ହସ୍ତାନ୍ତର କରାଯାଇଛି। ଆଉ ୧୦ଟି ମୃତଦେହକୁ ହସ୍ତାନ୍ତର କରିବା ପ୍ରକ୍ରିୟା ଜାରି ରହିଛି। ୧୮୭ଟି ମୃତଦେହ ଚିହ୍ନଟ ହୋଇପାରିନି। ସେହି ୧୮୭ଟି ମୃତଦେହ ମଧ୍ୟରୁ ୧୭୦ଟିକୁ ଭୁବନେଶ୍ୱର ଅଣାଯାଇଛି। ସେଗୁଡ଼ିକୁ ଏମ୍‌ସ ଓ ଅନ୍ୟ ହସ୍‌ପିଟାଲରେ ରଖାଯାଇଛି।

Leave A Reply

Your email address will not be published.