ବିଜେଡିରେ କ୍ଷମତା କନ୍ଦଳ, ବାଜିଲା ବିଦ୍ରୋହର ବିଗୁଲ୍‌ !

ଭୁବନେଶ୍ୱର: ସାଧାରଣ ନିର୍ବାଚନ ପାଇଁ ଜୋରଦାର ପ୍ରସ୍ତୁତି କରୁଥିବା ଶାସକ ବିଜେଡିରେ କ୍ଷମତାକନ୍ଦଳର ଶୀତଳ ଯୁଦ୍ଧ ଆରମ୍ଭ ହୋଇଛି । ଦଳ ଉପରେ ନିୟନ୍ତ୍ରଣ ପାଇଁ ଗତ କିଛିମାସ ଧରି ଚାଲିଥିବା କନ୍ଦଳ ଏବେ ବିଦ୍ରୋହର ରୂପ ନେଇଛି ଓ ଆଜି ତା’ର ମୂଳଦୁଆ ପଡ଼ିଥିବାର ଆଶଙ୍କା କରାଯାଉଛି । ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ପଦରୁ ଶ୍ୟାମାପ୍ରସାଦ ବେହେରା ଆଜି ଇସ୍ତଫା ଦେବା ସହ ଦଳ ଏବେ ଅମଲାତନ୍ତ୍ରର ଦଖଲକୁ ଚାଲିଯାଇଛି କହି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନଙ୍କୁ ସିଧାସଳଖ ସମାଲୋଚନା କରିବା ହିଁ ବିଜେଡିର ଅନ୍ତଃକନ୍ଦଳକୁ ପଦାରେ ପକାଇଛି । ବାଲେଶ୍ୱରର ପୂର୍ବତନ ସାଂସଦ ତଥା ଖୋର୍ଦ୍ଧା ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ରବୀନ୍ଦ୍ର କୁମାର ଜେନାଙ୍କ ଖାସ୍ ସହଯୋଗୀ ଭାବେ ପରିଚିତ ଶ୍ରୀ ବେହେରାଙ୍କ ଦ୍ୱାରା ଶ୍ରୀ ପାଣ୍ଡିଆନଙ୍କୁ ଏଭଳି ସିଧାସଳଖ ଟାର୍ଗେଟ୍ କରାଯିବା ପଛରେ ବିଜେଡିର ଏକ ପ୍ରଭାବଶାଳୀ ଗୋଷ୍ଠୀର ଭୂମିକା ଅଛି ବୋଲି ରାଜନୀତିକ ମହଲରେ ଚର୍ଚ୍ଚା । ଆଉ ଏହା ହିଁ ଦଳରେ ବିଦ୍ରୋହର ଆଭାସ୍ ଦେଇଛି।

ସୂଚନା ଅନୁସାରେ ୨୦୧୯ ସାଧାରଣ ନିର୍ବାଚନ ବେଳେ ବିଜେପିର ବିଧାୟକ ପ୍ରାର୍ଥୀ(୨୦୧୪ରେ ବସ୍ତା ବିଧାନସଭାରୁୁ) ଶ୍ୟାମାପ୍ରସାଦ ବେହେରା ନିଜର ସମର୍ଥକଙ୍କ ସହ ଆନୁଷ୍ଠାନିକ ଭାବେ ବିଜେଡିରେ ସାମିଲ ହୋଇଥିଲେ । ବାଲେଶ୍ୱରର ପ୍ରଭାବଶାଳୀ ବିଜେଡି ନେତା ରବିନ୍ଦ୍ର ଜେନାଙ୍କ ଉଦ୍ୟମରେ ସେ ବିଜେଡିରେ ସାମିଲ ହୋଇ ତାଙ୍କର ସୁପାରିଶରେ ଦୁଇ ଦୁଇ ଥର ଦଳର ରାଜ୍ୟ ସାଧାରଣ ସମ୍ପାଦକ ଭାବେ କାର୍ଯ୍ୟ କରିଥିଲେ । ଶ୍ରୀ ଜେନାଙ୍କ ଘନିଷ୍ଠ ସହଯୋଗୀ ଭାବେ ଶ୍ରୀ ବେହେରା ଦଳୀୟ ସଂଗଠନ ପାଇଁ କାର୍ଯ୍ୟ କରିବା ସହ ବସ୍ତା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଟିକେଟ୍ ଦାବିଦାର ରହିଥିଲେ । ମାତ୍ର ବିଭିନ୍ନ ରାଜନୀତିକ କାରଣରୁ ବିଜେଡି ନେତୃତ୍ୱ ବାଲେଶ୍ୱର ଜିଲ୍ଲା ସଂଗଠନରେ ରବୀନ୍ଦ୍ରଙ୍କ ପ୍ରଭାବକୁ କାଂଟଛାଂଟ୍ କରିଛନ୍ତି। ଦଳ ତାଙ୍କୁ ଖୋର୍ଦ୍ଧା ଜିଲ୍ଲା ପର୍ଯ୍ୟବେକ୍ଷକ ଦାୟିତ୍ୱ ଦେଇ ବାଲେଶ୍ୱର ଜିଲ୍ଲା ସଭାପତି ପଦରୁ ହଟାଇ ଦେଇଛି ।

ଏପଟେ ଚର୍ଚ୍ଚା ହେଉଛି ଯେ, ଜିଲ୍ଲା ସଭାପତି ପଦ ବଜାୟ ରଖିବା ପାଇଁ ରବୀନ୍ଦ୍ର କରିଥିବା ସମସ୍ତ ପ୍ରୟାସ ବିଫଳ ହେବାପରେ ତାଙ୍କର ଖାସ୍ ସହଯୋଗୀ ଶ୍ରୀ ବେହେରା ଆଜି ବିଜେଡିରୁ ଇସ୍ତଫା ଦେବା ସହ ଦଳ ଏବେ ଶ୍ରୀ ପାଣ୍ଡିଆନଙ୍କ ଦଖଲ(ଅମଲାତନ୍ତ୍ରର)ରେ କହି ବିଜେଡି ରାଜନୀତିରେ ହଇଚଇ ସୃଷ୍ଟି କରିଛନ୍ତି । ଶ୍ରୀ ବେହେରା ଦଳ ଛାଡ଼ିବା ନେଇ ଗତ କିଛିଦିନ ଧରି ସଙ୍କେତ ମିଳୁଥିଲା । ଏପରିକି ସେ ସୋସିଆଲ ମିଡିଆରେ ଏନେଇ ଆଗୁଆ ସଙ୍କେତ ବି ଦେଇଥିଲେ । ମାତ୍ର ତାଙ୍କୁ ମନାଇବାକୁ କୌଣସିସ୍ତରରେ ପ୍ରୟାସ ହୋଇନଥିଲା । ଏପରିକି ଖୋର୍ଦ୍ଧା ଜିଲ୍ଲା ପର୍ଯ୍ୟବେକ୍ଷକ ପଦବୀ ମିଳିବା ଓ ବାଲେଶ୍ୱର ଜିଲ୍ଲା ସଭାପତି ପଦରୁ ଇସ୍ତଫା ଦେବା ପ୍ରସଙ୍ଗକୁ ନେଇ ଶ୍ରୀ ଜେନା ଅସନ୍ତୁଷ୍ଟ ଥିବା ଦଳୀୟ ମହଲରେ ଚର୍ଚ୍ଚା ହେଉଛି । ଯେଉଁଥିପାଇଁ ବାଲେଶ୍ୱରର ସାଂଗଠନିକ କାର୍ଯ୍ୟରେ ତାଙ୍କୁ ଆଉ ସକ୍ରିୟ ଭୂମିକାରେ ଦେଖିବାକୁ ମିଳୁନି । ଏପରିକି ଖୋର୍ଦ୍ଧା ଜିଲ୍ଲା ପର୍ଯ୍ୟବେକ୍ଷକ ଭାବେ ଦଳ ତାଙ୍କୁ ମାର୍ଚ୍ଚ ମାସରୁ ଦାୟିତ୍ୱ ଦେଇଥିଲେ ମଧ୍ୟ ସେ ବିଗତ ୩ମାସ ମଧ୍ୟରେ ଥରୁଟିଏ ବି ଖୋର୍ଦ୍ଧା ଜିଲ୍ଲା ସଂଗଠନ କାର୍ଯ୍ୟର ତଦାରଖ କିମ୍ବା ଦଳୀୟ ବିଧାୟକ ଓ ନେତାମାନଙ୍କ ସହ ବୈଠକ କରିନଥିବା ଜଣାପଡ଼ିଛି ।

ବିଜେଡି ସୂତ୍ର ଅନୁସାରେ ଶ୍ରୀ ଜେନା ବାଲେଶ୍ୱର ଜିଲ୍ଲା ସଭାପତି ପଦ ବଜାୟ ରଖିବା ପାଇଁ ନିଜର ଜ୍ୱାଇଁ(ଜ୍ୱାଇଁଙ୍କ ବଡ଼ଭାଇ) ତଥା ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ମାଧ୍ୟମରେ ପ୍ରୟାସ କରି ବିଫଳ ହୋଇଛନ୍ତି । ଶ୍ରୀ ଜେନାଙ୍କ ବିରୁଦ୍ଧରେ ଥିବା ଚିଟଫଣ୍ଡ ମାମଲା ଜାରି ରହିବ ବୋଲି ଗତ ଫେବୃୟାରୀ ମାସରେ ହାଇକୋର୍ଟ ରାୟ ଦେବା ପରେ ତାଙ୍କର ଅଡ଼ୁଆ ବଢ଼ିଛି । ଚିଟଫଣ୍ଡ ସଂସ୍ଥା ସିସୋର ଗ୍ରୁପ ଆକାଉଣ୍ଟରୁ ପ୍ରାୟ ୧.୮୦କୋଟି ଟଙ୍କା ତାଙ୍କ ଆକାଉଣ୍ଟକୁ ଯାଇଥିବାର ପ୍ରମାଣ ସିବିଆଇ ପାଖରେ ରହିଛି। ସିବିଆଇ ଏନେଇ ତାଙ୍କୁ ପୂର୍ବରୁ ଜେରା କରିବା ସହ ତାଙ୍କ ଘର ମଧ୍ୟ ରେଡ୍ କରିଥିଲା। ଆଗାମୀ ସାଧାରଣ ନିର୍ବାଚନରେ ବିଜେପିର ଫୋକସ ବାଲେଶ୍ୱରରେ ରହୁଥିବାରୁ ବିଜେଡି କୌଣସି ରିସ୍କ ନେବାକୁ ଚାହୁଁନି ତଥା ତାଙ୍କୁ ଦଳୀୟ ଟିକେଟରୁ ବଂଚିତ କରିବାର ଆଶଙ୍କା ରହିଛି ବୋଲି ଚର୍ଚ୍ଚା ହେଉଛି ।

ବିଜେଡି ସୂତ୍ର ଅନୁସାରେ, ରବୀନ୍ଦ୍ରଙ୍କୁ ଟିକେଟ୍ ଦେଇ ଅବା ବାଲେଶ୍ୱର ଜିଲ୍ଲା ସଂଗଠନରେ ତାଙ୍କର ଗୁରୁତ୍ୱ ବଢ଼ାଇ ଦଳ ଆଗାମୀ ସାଧାରଣ ନିର୍ବାଚନରେ ନିଜ ମୁଣ୍ଡବ୍ୟଥା ବଢ଼ାଇବାକୁ ଚାହୁଁନି । ଚିଟଫଣ୍ଡ ଦୁର୍ନୀତି ମାମଲାରେ ସିବିଆଇ ସ୍କାନରରେ ରବୀନ୍ଦ୍ର ରହିଛନ୍ତି । ଯେଉଁଥିପାଇଁ ଦଳ ୨୦୧୯ ସାଧାରଣ ନିର୍ବାଚନରେ ପରାଜିତ ହେବାପରେ ରବୀନ୍ଦ୍ରଙ୍କୁ କୌଣସି ପଦପଦବୀରେ ଥଇଥାନ କରିନଥିଲା । ବାଲେଶ୍ୱର ଉପନିର୍ବାଚନରେ ରବୀନ୍ଦ୍ରଙ୍କ ବିବାଦୀୟ ଭୂମିକା ଓ ଅନ୍ୟାନ୍ୟ କାର୍ଯ୍ୟ ଯୋଗୁ ଦଳ ତାଙ୍କୁ ଜିଲ୍ଲା ସଂଗଠନରୁ ଦୂରେଇ ରଖିବାକୁ ପ୍ରୟାସ କରିଛି । ଦଳର ସଂଗଠନ ସମ୍ପାଦକ ପ୍ରଣବପ୍ରକାଶ ଦାସ ବାରମ୍ବାର ପ୍ରୟାସ କରି ମଧ୍ୟ ନିଜ ଶ୍ୱଶୁର(ସାନଭାଇର) ଶ୍ରୀ ଜେନାଙ୍କୁ ଥଇଥାନ କରିବାରେ ସକ୍ଷମ ହେଉନାହାନ୍ତି । ଏବେ ଶ୍ରୀ ପାଣ୍ଡିଆନଙ୍କୁ ବିରୋଧୀ ବିଜେପି ଓ କଂଗ୍ରେସ ସିଧାସଳଖ ଟାର୍ଗେଟ୍ କରି ତାଙ୍କ ପାଇଁ ଅଡ଼ୁଆ ବଢ଼ାଉଥିବାବେଳେ ଏହି ଜ୍ୱାଇଁ ଓ ଶ୍ୱଶୁର ଯୋଡ଼ି ମଧ୍ୟ ନିଜର ଜଣେ ସହଯୋଗୀଙ୍କ ମାଧ୍ୟମରେ ଶ୍ରୀ ପାଣ୍ଡିଆନଙ୍କୁ କଡ଼ା ସମାଲୋଚନା କରି ଦଳରେ ବିଦ୍ରୋହର ମୂଳଦୁଆଁ ପକାଇଥିବା ଚର୍ଚ୍ଚା ।

Leave A Reply

Your email address will not be published.