ଜନ୍ମବେଦୀରୁ ବାହୁଡ଼ିଲେ ମହାବାହୁ; ସିଂହଦ୍ଵାର ସମ୍ମୁଖରେ ପହଞ୍ଚିଲା ତିନି ରଥ, ଆସନ୍ତାକାଲି ସୁନାବେଶ

ପୁରୀ: ନବଦିନାତ୍ମକ ଯାତ୍ରା ସାରି ଜନ୍ମବେଦୀରୁ ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ିଲେ ଚତୁର୍ଦ୍ଧାମୂର୍ତ୍ତି । ସଂଧ୍ୟାରେ ନିର୍ଦ୍ଧାରିତ ସମୟ ପୂର୍ବରୁ ସିଂହଦ୍ଵାର ସାମ୍ନାରେ ଲାଗିଲା ତିନି ରଥ । ପ୍ରଥମେ ତାଳଧ୍ଵଜ ରଥ ଏବଂ ପରେ ଦର୍ପଦଳନ ଏବଂ ଶେଷରେ ନନ୍ଦିଘୋଷ ରଥ ସିଂହଦ୍ଵାର ସମ୍ମୁଖରେ ପହଞ୍ଚିଥିଲା। ଆଜି ପ୍ରଶାସନ କରିଥିବା ନୀତି ନିର୍ଘଣ୍ଟର ଯଥେଷ୍ଟ ପୂର୍ବରୁ ଅର୍ଥାତ୍ ୪ଘଣ୍ଟା ପୂର୍ବରୁ ଆରମ୍ଭ ହୋଇଥିଲା ପହଣ୍ଡି । ସଅଳ ସଅଳ ନୀତିକାନ୍ତି କରିଥିଲେ ସେବାୟତମାନେ। ଏବେ ସିଂହଦ୍ବାର ସାମ୍ନାରେ ରଥାରୁଢ଼ ଶ୍ରୀଜିଉମାନଙ୍କୁ ଦର୍ଶନ କରୁଛନ୍ତି ଭକ୍ତ । ଆସନ୍ତାକାଲି ରଥ ଉପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ସୁନାବେଶ, ୩୦ରେ ଅଧରପଣା ନୀତି ଅନୁଷ୍ଠିତ ହେବ । ଜୁଲାଇ ୧ ତାରିଖ ଶନିବାର ନିଳାଦ୍ରୀବିଜେ କରିବେ ମହାପ୍ରଭୁ ।

ଜନ୍ମବେଦୀରେ ସରିଲା ଲୀଳାଖେଳା । ବାହୁଡ଼ା ଯାତ୍ରାରେ ବାହୁଡ଼ିଲେ ମହାବାହୁ । ସିଂହଦ୍ବାର ସାମ୍ନାରେ ଲାଗିଲା ତିନି ରଥ । ଆଜି ବାହୁଡ଼ାରେ ନିର୍ଦ୍ଧାରିତ ନିର୍ଘଣ୍ଟର ୪ଘଣ୍ଟା ପୂର୍ବରୁ ଆରମ୍ଭ ହୋଇଥିଲା ମହାପ୍ରଭୁଙ୍କ ନୀତିକାନ୍ତି । ଦିନ ୧୨ ବଦଳରେ ସକାଳ ୮ଟାରୁ ଆରମ୍ଭ ହୋଇଯାଇଥିଲା ଶ୍ରୀବିଗ୍ରହମାନଙ୍କ ପହଣ୍ଡି । ଶ୍ରୀଗୁଣ୍ଡିଚା ମନ୍ଦିରର ନାକଚଣା ଦ୍ବାର ସାମ୍ନାରେ ମହାପ୍ରଭୁଙ୍କ ଆଗମନକୁ ଅପେକ୍ଷା କରି ରହିଥିଲେ ତିନି ରଥ । ପ୍ରଥମେ ଚକ୍ରରାଜ ସୁଦର୍ଶନଙ୍କ ପହଣ୍ଡି କରିଥିଲେ ସେବାୟତ । ହରିବୋଲ ହୁଳହୁଳି, ଘଣ୍ଟଘଣ୍ଟା ନାଦରେ କମ୍ପୁଥିଲା ଶରଧାବାଲି । ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥରେ ବିଜେ ହୋଇଥିଲେ ପ୍ରଭୁ ସୁଦର୍ଶନ। ଏହା ପରେ ଆରମ୍ଭ ହୋଇଥିଲା ବଡ଼ ଠାକୁର ଶ୍ରୀବଳଭଦ୍ରଙ୍କ ପହଣ୍ଡି ।

ଆଡ଼ପ ମଣ୍ଡପରୁ ଓହ୍ଲାଇ ଟାହିଆ ହଲାଇ ଭକ୍ତଙ୍କ ଗହଣକୁ ଆସିଥିଲେ ବଡ଼ ଠାକୁର । ତାଳଧ୍ବଜ ରଥରେ ବିରାଜମାନ କରିଥିଲେ ବଡ଼ ଭାଇ ବଳଭଦ୍ର ମହାପ୍ରଭୁ । ପରେ ପରେ କାମ୍ପିଲ୍ୟବାସିନୀ ଦେବୀ ସୁଭଦ୍ରଙ୍କ ପହଣ୍ଡି ହୋଇଥିଲା । ଆଉ ଶେଷରେ ନାକଚଣା ଦ୍ବାର ଦେଇ ଝୁଲି ଝୁଲି ବାହାରିଥିଲେ କାଳିଆ ଠାକୁର । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପହଣ୍ଡି ବେଳେ ଜୟ ଜଗନ୍ନାଥ ଧ୍ବନୀରେ ପ୍ରକମ୍ପିତ ହୋଇଥିଲା ଗଗନ ପବନ । ଚାଲିଥିଲା ଆଲଟ ଚାମର ସେବା । ଶରଧାବାଲିରେ ମହାପ୍ରଭୁଙ୍କ ଉଦେଶ୍ୟରେ ଜଣାଣ ଜଣାଇ ନୃତ୍ୟ କରୁଥିଲେ ନୃତ୍ୟ ଶିଳ୍ପୀ । ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରାରେ ସାମିଲ ହୋଇଥିଲେ ବିଭିନ୍ନ ବେଶଧାରୀ ।

ତାଳଧ୍ବଜ ରଥ

ଲୋକରଣ୍ୟ ହୋଇଉଠିଥିଲା ଶରଧାବାଲି । ଏହାର କିଛି ସମୟ ପରେ ବାଜିଥିଲେ ବିଜେ କାହାଳି । ଆଉ ରଥରେ ଛେରା ପହଁରା ପାଇଁ ତାମଜାନ୍‌ରେ ବସି ଆସିଥିଲେ ଜଗନ୍ନାଥଙ୍କ ଆଦ୍ୟ ସେବକ ଗଜପତି ମହାରାଜ । ପର୍ଯ୍ୟାୟ କ୍ରମେ ତିନି ରଥରେ ଛେରାପହଁରା ସେବା କରିଥିଲେ ଠାକୁର ରାଜା । ଏହା ପରେ ଚାରମାଳ ଫିଟାଯାଇଥିଲା । ଘୋଡ଼ା ଯୋଚା ଯାଇଥିଲା । ଆଉ ଅପରାହ୍ଣ ଗୋଟାଏ ୧୦ରେ ଆରମ୍ଭ ହୋଇଥିଲା ରଥ ଟଣା । ପ୍ରଥମେ ବଡ଼ଦାଣ୍ଡରେ ଗଡ଼ିଥିଲା ବଡ଼ ଠାକୁର ବଳଭଦ୍ରଙ୍କ ତାଳଧ୍ବଜ ରଥ । ସୁରକ୍ଷା ବଳୟ ଭିତରେ ରହିଥିଲା ବଡ଼ଦାଣ୍ଡ । ରଥର ଇନର କର୍ଡ଼ନ ଓ ଆଉଟର କର୍ଡ଼ନରେ ମୁତୟନ ଥିଲେ ସୁରକ୍ଷାକର୍ମୀ ।

ପରେ ପରେ ଗଡ଼ିଥିଲା ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ । ମହାଆନନ୍ଦରେ ବଡ଼ ଠାକୁରଙ୍କୁ ଟାଣି ନେଇଥିଲେ ଭକ୍ତ । ଆଗେ ଆଗେ ବଳଭଦ୍ର ପଛେ ପଛେ ଚାନ୍ଦମୁହିଁ ସୁଭଦ୍ରାଙ୍କ ରଥ ଗଡ଼ି ଚାଲିଥିଲା ବଡ଼ଦାଣ୍ଡରେ । ଆଉ ଏପଟେ ଡାହୁକ ଡାକିଲା, ଘଣ୍ଟ ବାଜିଲା, ପଡ଼ିଲା ହରିବୋଲ ହୁଳହୁଳି ଆଉ ବଡ଼ଦାଣ୍ଡରେ ଗଡ଼ିଥିଲା କାଳିଆ ଠାକୁରଙ୍କ ନନ୍ଦିଘୋଷ ରଥ । ଉପରକୁ ହାତଟେକି ଭକ୍ତ କେତେ କ’ଣ ଅଳି କରୁଥିଲା । ଆଖିରେ ତା’ର ଥିଲା ଆନନ୍ଦର ଅଶ୍ରୁ । ପୁଣି ଜୀବଦଶା ଭିତରେ ଆଉଥରେ ଏହି ଅପୂର୍ବ ଦୃଶ୍ୟକୁ ଦେଖି ପାରିବ କି ନାହିଁ ତାକୁ ନେଇ ଭକ୍ତ ମନରେ ଥିଲା ସଂଦେହ । ରଥାରୁଢ଼ ଠାକୁରଙ୍କୁ ଦର୍ଶନ କରି କୃତ୍ୟ କୃତ୍ୟ ହୋଇଯାଉଥିଲା ଭକ୍ତର ମନ । ସମସ୍ତଙ୍କ ହୃଦୟରେ ଥିଲେ ଜଗନ୍ନାଥ, କେବଳ ଜଗନ୍ନାଥ । ବିଶ୍ବ ନିୟନ୍ତାଙ୍କ ମାନବୀୟ ଲୀଳାଖେଳା ସତରେ ଅଦ୍ଭୁତ ।

ଏହାରି ଭିତରେ ପୋଡ଼ପିଠା ଖାଇବାକୁ ମାଉସୀ ମା’ ମନ୍ଦିରରେ ଅଟକିଥିଲେ ଜଗନ୍ନାଥ ମହାପ୍ରଭୁ । ଶ୍ରଦ୍ଧା, ଭକ୍ତିର ଏହି ପୋଡ଼ପିଠାରେ କାଳିଆର ଭାରି ମନ। ଯେତେ ଯାହା ହେଇଯାଉପଛେ ପୋଡ଼ପିଠା ନଖାଇଲେ ତା’ର ନନ୍ଦିଘୋଷକୁ ସେ ଇଞ୍ଚେ ବି ଗଡ଼ାଇ ଦେବନି । ପୋଡ଼ପିଠା ଖାଇସାରିବା ପରେ ପ୍ରସନ୍ନଚିତ୍ତରେ ରଥ ଗଡ଼ାଇବାକୁ ଇଶାରା ଦେଇଥିଲେ ବିଶ୍ବବିହାରୀ । ଆଉ ଆଗକୁ ଆଗକୁ ଗଡ଼ିଥିଲା ନନ୍ଦିଘୋଷ । ବଡ଼ ଦାଣ୍ଡରେ ଜନସମୁଦ୍ର ଭିତରେ ଆଗପଛ ହୋଇ ଗଡ଼ୁଥିଲା ତିନି ରଥ । ଅପରାହ୍ଣ ୪ଟା ୧୫ ବେଳକୁ ଶ୍ରୀମନ୍ଦିର ସିଂହଦ୍ବାର ସମ୍ନାରେ ପହଞ୍ଚିଥିଲେ ବଡ଼ ଠାକୁରଙ୍କ ତାଳଧ୍ବଜ ରଥ । ସେହିଭଳି ସିଂହଦ୍ବାର ପାଖାପାଖି ହୋଇଯାଇଥିଲେ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥ । କିନ୍ତୁ ଶ୍ରୀନଅର ନିକଟରେ ଅଟକିଥିଲା ମହାବାହୁଙ୍କ ନନ୍ଦିଘୋଷ ରଥ ।

ନନ୍ଦିଘୋଷ ରଥ

ପରମ୍ପରା ମୁତାବକ ଗଜପତି ମହାରାଜ ଦିବ୍ୟସିଂହ ଦେବ ସେଠାରେ ଲକ୍ଷ୍ମୀନାରାୟଣ ଭେଟ କରାଇଥିଲେ । ଏହି ନୀତି ସରିବା ପରେ ପୁଣି ଆଗକୁ ବଢ଼ିଥିଲେ ନନ୍ଦିଘୋଷ । ସଂଧ୍ୟା ପୂର୍ବରୁ ତିନି ରଥ ସିଂହଦ୍ବାର ସମ୍ମୁଖରେ ପହଞ୍ଚି ଯାଇଥିଲେ । ଭକ୍ତମାନେ ରଥାରୁଢ଼ ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି । ଆସନ୍ତାକାଲି ଏକାଦଶୀ ତିଥିରେ ରଥ ଉପରେ ଶ୍ରୀଜିଉମାନଙ୍କ ସୁନାବେଶ ଅନୁଷ୍ଠିତ ହେବ । ପରଦିନ ଅର୍ଥାତ୍ ୩୦ ତାରିଖରେ ଅଧରପଣା ନୀତି ହେବ । ଆଉ ଜୁଲାଇ ୧ ତାରିଖ ଶନିବାର ଦିନ ନିଳାଦ୍ରୀବିଜେରେ ନୀଳକନ୍ଦରକୁ ଅର୍ଥାତ୍ ଶ୍ରୀମନ୍ଦିର ରତ୍ନସିଂହାସନକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି ।

Leave A Reply

Your email address will not be published.