ଜିଲ୍ଲା ପରିଷଦର ୭୧ ତମ ବୈଠକ ଅନୁଷ୍ଠିତ

ମାଲକାନଗିରି, ୦୪/୦୭/୨୩: ଆଜି ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ୭୧ ତମ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତି ସମାରି ତାଙ୍ଗୁଲୁଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ନବରଙ୍ଗପୁର ସାଂସଦ ଶ୍ରୀ ରମେଶ ଚନ୍ଦ୍ର ମାଝୀ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ, ଶ୍ରୀ ପତିତ ପାବନ ବୈଦ୍ୟ, ବିଧାୟକ ଚିତ୍ରକୋଣ୍ଡା ଶ୍ରୀ ପୂର୍ଣ୍ଣଚନ୍ଦ୍ର ବାକା, ବିଧାୟକ, ମାଲକାନଗିରି, ଶ୍ରୀ ଆଦିତ୍ୟ ମାଢି, ଜିଲ୍ଲାପାଳ, ଶ୍ରୀ ବିଶାଲ ସିଂ ଏବଂ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଶ୍ରୀ ରତ୍ନାକର ସାହୁ ମଞ୍ଚାସୀନ ଥିଲେ । ଆଜିର ବୈଠକରେ ଜିଲ୍ଲାରେ ପାନୀୟ ଜଳ ଯୋଗାଣ, ଗମନାଗମନ, କୃଷି, ସେଚ ଜଳସେଚନ, ଶିକ୍ଷା ଓ ସ୍ବାସ୍ଥ୍ୟ ସେବାକୁ ନେଇ ସମୀକ୍ଷା କରାଯାଇଥିଲା। ଏଠାରେ କିଭଳି ଭାବେ ଜନ ସାଧାରଣ ସୁରୁଖୁରୁରେ ପାନୀୟ ଜଳ ପାଇ ପାରିବେ ସେଥି ପ୍ରତି ଗୁରୁତ୍ଵ ପ୍ରଦାନ କରିବା ପାଇଁ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ତା ସହିତ ପାନୀୟ ଜଳର ବିଶୁଦ୍ଧିକରଣ ଉପରେ ମଧ୍ୟ ଧ୍ୟାନ ଦେବାକୁ କୁହାଯାଇଛି। ସ୍ୱାସ୍ଥ୍ୟ ସେବା ନେଇ ସ୍ଵାଭିମାନ ଅଞ୍ଚଳରେ ଦକ୍ଷ ଡ଼ାକ୍ତର ନିଯୁକ୍ତି, ପପୁଲର ପଞ୍ଚାୟତରେ ଦେୟମୁକ୍ତ ଆମ୍ବୁଲାନ୍ସ ସେବା, ଏବଂ ଚିତ୍ରକୋଣ୍ଡା ଓ ଖଇରପୁଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ନିକଟରେ ଆହାର କେନ୍ଦ୍ର ବ୍ୟବସ୍ଥା ପାଇଁ ପ୍ରସ୍ତାବ ଦିଆଯାଇଛି।

ସେହିପରି ନିର୍ମାଣାଧିନ ଅସମ୍ପୂର୍ଣ୍ଣ ଡାକ୍ତରଖାନାକୁ ଅଗ୍ରାଧିକାର ଭିତ୍ତିରେ କାର୍ଯ୍ୟ ସଂପୂର୍ଣ୍ଣ କରିବା ପାଇଁ କୁହାଯାଇଛି। ଏହି ଅବସରରେ ନୂତନ ବ୍ଲଡ ବ୍ୟାଙ୍କ ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ହୋଇସାରିଛି ବୋଲି ସୂଚନା ମିଳିଛି। ଜିଲ୍ଲାପାଳ ଯଥା ଶୀଘ୍ର ରୋଗୀଙ୍କ ପାଇଁ ଏହାକୁ କାର୍ଯ୍ୟକ୍ଷମ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଶିକ୍ଷା ବିଭାଗରେ କାର୍ଯ୍ୟରତ ଶିକ୍ଷକ ମାନଙ୍କର ବଦଳି ନେଇ ଏକ ମାନଦଣ୍ଡ ପ୍ରସ୍ତୁତ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଅଧିକ ବର୍ଷର କାର୍ଯ୍ୟକାଳ ଏବଂ ବଦଳି ନିମନ୍ତେ ଯଥାର୍ଥ କାରଣ ତା ସହିତ କର୍ତ୍ତବ୍ୟରେ ଉତ୍ତମ ପ୍ରଦର୍ଶନ ରହିଥିଲେ ସେହି ଭିତ୍ତିରେ ବଦଳି ତାଲିକା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ବୈଠକରେ ଜିଲ୍ଲାର ଅନାଥ ଶିଶୁଙ୍କ ଥଇଥାନ ନିମନ୍ତେ ସାଂସଦ ଗୁରୁତ୍ଵାରୋପ କରିଛନ୍ତି। ଜିଲ୍ଲା ଶିକ୍ଷାଧିକାରୀ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ସହ ଯୋଗାଯୋଗ ରକ୍ଷା କରି ସେମାନଙ୍କ ନିମନ୍ତେ ହଷ୍ଟେଲ ବ୍ୟବସ୍ଥା କରିଛନ୍ତି ବୋଲି ଜଣାଇଥିଲେ । ବିଶେଷ କରି ଅନୁସୂଚିତ ଜାତି ଓ ଜନଜାତି ଶିଶୁଙ୍କ ରହିବା ନିମନ୍ତେ ଉତ୍ତମ ବ୍ୟବସ୍ଥା ପାଇଁ ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ଅବସରରେ ଚିତ୍ରକୋଣ୍ଡା ବିଧାୟକ ଉପସ୍ଥିତ ସମସ୍ତ ଜନ ପ୍ରତିନିଧିଙ୍କୁ ନିଜ ନିଜ ଅଞ୍ଚଳ ଗସ୍ତ କରି ଶିକ୍ଷା କ୍ଷେତ୍ରରେ ରହିଥିବା ଅସୁବିଧାକୁ ଦୂର କରିବା ପାଇଁ ଶପଥ ନେଇ ଶିକ୍ଷାର ବିକାଶ ନିମନ୍ତେ କାମ କରିବାକୁ ଆହ୍ଵାନ କରିଥିଲେ । ସେହିପରି ପ୍ରତ୍ୟେକ ବ୍ଲକରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରହିବାର ଆବଶ୍ୟକତା ରହିଛି । ଏଥି ନିମନ୍ତେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଜିଲ୍ଲାର ଶିକ୍ଷାର ବିକାଶ ପାଇଁ ଏକ ତାଲିକା ପ୍ରସ୍ତୁତ କରିବାକୁ କୁହାଯାଇଛି। ଯାହାକୁ ଆଗାମୀ ଦିନରେ ହେବାକୁ ଥିବା ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ଶିକ୍ଷା କମିଟିରେ ଉତ୍ଥାପନ କରିବେ ବୋଲି ବିଧାୟକ ଶ୍ରୀ ବାକା କହିଛନ୍ତି। ସେହିପରି ଅଗ୍ରାଧିକାର ଭିତ୍ତିରେ ଅଧପନ୍ତରିଆ ଅଙ୍ଗନୱାଡି ଗୃହର ନିର୍ମାଣ ପାଇଁ କୁହାଯାଇଛି ଏବଂ ଅଙ୍ଗନୱାଡି ନଥିବା ସ୍ଥାନରେ ଅବ୍ୟବହୃତ ବିଦ୍ୟାଳୟ ଗୃହକୁ ମଧ୍ୟ ବ୍ୟବହାର କରାଯାଇପାରିବ ବୋଲି ବୈଠକରେ ସୂଚନା ଦିଆଯାଇଛି। ସେହିପରି କୃଷକମାନେ ଯେଉଁଭଳି ରିହାତି ଦରରେ ସାର ଏବଂ ବିହନ ପାଇବେ ସେଥି ନିମନ୍ତେ ଧ୍ୟାନ ଦେବାକୁ କୃଷି ବିଭାଗକୁ କୁହାଯାଇଛି। ଜାତୀୟ ଖାଦ୍ୟ ସୁରକ୍ଷା ମିଶନ ଅଧିନରେ ଚାଷୀ ଯେ ଯେଉଁଭଳି ଭାବେ ଉପକୃତ ହେବେ ସେଥିପ୍ରତି ସଜାଗ ରହିବାକୁ କୁହାଯାଇଛି। ବିଶେଷ କରି ରାଜ୍ୟ ସରକାର ମିଲେଟ ମିଶନକୁ ଗୁରୁତ୍ଵ ଦେଉଛନ୍ତି। ତେଣୁ ପ୍ରତ୍ୟେକ ପଞ୍ଚାୟତ ସ୍ତରରେ ଏହି ମିଶନ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ସାଂସଦ କହିଥିଲେ। ନିକଟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଜିଲ୍ଲା ପାଇଁ ୧୭୨ କିଲୋମିଟରର ୨୧ଗୋଟି ରାସ୍ତା ନିର୍ମାଣ ପାଇଁ ୧୫୮ କୋଟି ଟଙ୍କା ମଞ୍ଜୁର କରିଛନ୍ତି ଏବଂ ଜିଲ୍ଲାର ବିକାଶ ପାଇଁ ସବୁବେଳେ ପ୍ରାଥମିକତା ଦେଇ ଆସିଛନ୍ତି ବୋଲି ସାଂସଦ ପ୍ରକାଶ କରିଥିଲେ । ଏଥି ନିମନ୍ତେ ଗୃହରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜ୍ଞାପନ କରାଯାଇଛି।

ଜିଲ୍ଲାରେ ମସଲା ମିଶନ ଆରମ୍ଭ କରାଯାଇଛି । ଏହି ପରିପ୍ରେକ୍ଷୀରେ ଉଦ୍ୟାନ ଚାଷୀଙ୍କୁ ହଳଦି, ଅଦା, ଲଙ୍କା ଓ ଧନିଆ ଚାଷ କରିବାକୁ ପ୍ରୋତ୍ସାହନ କରାଯାଉଅଛି ବୋଲି ଉଦ୍ୟାନ କୃଷି ଅଧିକାରୀ କହିଥିଲେ। ଜିଲ୍ଲାରେ ହଳଦୀ ଚାଷ ନିମନ୍ତେ ୪୦୭ ହେକ୍ଟର ଜମି ଚିହ୍ନଟ କରାଯାଇଥିଲା। ସେଥି ମଧ୍ୟରୁ ୨୦୦ ହେକ୍ଟର ଜମିରେ ଚାରା ରପଣ କରାଯାଇଛି। ଅଦା ଚାଷ ନିମନ୍ତେ ୨୫ ହେକ୍ଟର ଜମିରୁ ୧୩ ହେକ୍ଟର ଜମିରେ ଚାରା ରପଣ ସରିଛି। ଉତ୍ତମ ଗୁଣବତ୍ତା ସମ୍ପନ୍ନ ବିହନ ପ୍ରଦାନ ପାଇଁ ଜିଲ୍ଲପାଳ ଗୁରୁତ୍ଵାରୋପ କରିଛନ୍ତି।

ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଏହି ବୈଠକରେ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଏହି ବୈଠକରେ ସାତଟି ବ୍ଲକର ଅଧ୍ୟକ୍ଷ ଓ ଅଧ୍ୟକ୍ଷା, ଜିଲ୍ଲା ପରିଷଦର ସମସ୍ତ ସଦସ୍ୟ ସଦସ୍ୟା, ସମସ୍ତ ଜିଲ୍ଲା ସ୍ତରୀୟ କ୍ଷେତ୍ର ଅଧିକାରୀ ଉପସ୍ଥିତ ଥିଲେ।

Leave A Reply

Your email address will not be published.