୬ ଜିଲ୍ଲାରେ ନୂଆ ବିଜେଡି ମୁଖିଆ: ବବିଙ୍କ ପତିଆରା ହ୍ରାସ, ରବି ଜେନା ଆଉଟ୍‌

ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି, ଶାସକ ବିଜେଡି ନିଜର ପୁରୁଖା ଓ କୋଣଠେସା ହୋଇ ରହିଥିବା ନେତାମାନଙ୍କୁ ସେତିକି ଗୁରୁତ୍ୱ ଦେବା ଆରମ୍ଭ କରିଛି ।

ଭୁବନେଶ୍ୱର: ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି, ଶାସକ ବିଜେଡି ନିଜର ପୁରୁଖା ଓ କୋଣଠେସା ହୋଇ ରହିଥିବା ନେତାମାନଙ୍କୁ ସେତିକି ଗୁରୁତ୍ୱ ଦେବା ଆରମ୍ଭ କରିଛି । ଦୀର୍ଘଦିନ ଧରି ଖାଲି ପଡ଼ିଥିବା ୬ଟି ସାଂଗଠନିକ ଜିଲ୍ଲାରେ ନୂଆ ଦଳୀୟ ସଭାପତିଙ୍କୁ ନିଯୁକ୍ତି ମିଳିଛି । ଦଳୀୟ ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଥିବା ନେତାମାନଙ୍କୁ ଜିଲ୍ଲା ସଭାପତି ପଦବୀରୁ ହଟାଇଥିବା ବିଜେଡିର ଆଜିର ତାଲିକା ଗୋଟିଏ ଗୁଳିରେ ଅନେକ ଶିକାର ପାଇଁ ଉଦ୍ୟମ ହୋଇଛି । ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ପତିଆରା ହ୍ରାସ ଓ ବାଲେଶ୍ୱର ରାଜନୀତିରୁ ରବୀନ୍ଦ୍ର ଜେନାଙ୍କୁ ଆଉଟ୍ କରାଯିବାର ସନ୍ଦେଶ ଦଳ ପକ୍ଷରୁ ଦିଆଯାଇଥିବା ବିଜେଡି ମହଲରେ ଚର୍ଚ୍ଚା ।

ବିଜେଡି ପକ୍ଷରୁ ଜାରି ପ୍ରେସ୍ ରିଲିଜ୍ ଅନୁସାରେ ଢେଙ୍କାନାଳ ଜିଲ୍ଲା ବିଜେଡି ସଭାପତି ଭାବେ ପୂର୍ବତନ ମନ୍ତ୍ରୀ ନୃସିଂହ ଚରଣ ସାହୁ ଓ କାର୍ଯ୍ୟକାରୀ ସଭାପତି ଦେବୀପ୍ରସାଦ ଭୂତିଆଙ୍କୁ ନିଯୁକ୍ତି ମିଳିଥିବା ବେଳେ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ରଙ୍କୁ ବାଲେଶ୍ୱର ଜିଲ୍ଲା ସଭାପତି, ପୂର୍ବତନ ସାଂସଦ ଝିନ ହିକକାଙ୍କୁ କୋରାପୁଟ ଜିଲ୍ଲା ସଭାପତି ଓ ପ୍ରଶାନ୍ତ ଗୁପ୍ତାଙ୍କୁ କାର୍ଯ୍ୟକାରୀ ସଭାପତି, ପୂର୍ବତନ ସାଂସଦ ପ୍ରଭାସ କୁମାର ସିଂଙ୍କୁ ବରଗଡ଼ ଜିଲ୍ଲା ସଭାପତି ଓ ସୁଶାନ୍ତ ମହାପାତ୍ର(ଜାପାନୀ)ଙ୍କୁ କାର୍ଯ୍ୟକାରୀ ସଭାପତି,  ହାଲୁ ମୁଣ୍ଡାରୀଙ୍କୁ ରାଉରକେଲା ସାଂଗଠନିକ ଜିଲ୍ଲା ସଭାପତି ଓ ରବି ସିଂଙ୍କୁ ଝାରସୁଗୁଡ଼ା ଜିଲ୍ଲା ସଭାପତି ଭାବେ ନିଯୁକ୍ତି ମିଳିଛି । ଦଳୀୟ ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଥିବା ଯୋଗୁ ଢେଙ୍କାନାଳ, ବାଲେଶ୍ୱର, ଜଗତସିଂହପୁର, ରାଉରକେଲା ଓ କୋରାପୁଟ ଜିଲ୍ଲା ସଭାପତି ପଦରୁ ଯଥାକ୍ରମେ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ରବୀନ୍ଦ୍ର ଜେନା, ପ୍ରଶାନ୍ତ କୁମାର ମୁଦୁଲି, ଶାରଦା ନାୟକ ଓ ଈଶ୍ୱର ପାଣିଗ୍ରାହୀଙ୍କୁ କାଢ଼ି ଦିଆଯାଇଥିଲା । ବରଗଡ଼ରେ ବିଜୟରଞ୍ଜନ ସିଂ ବରିହା ଓ ଝାରସୁଗୁଡ଼ାରେ କିଶୋର ମହାନ୍ତିଙ୍କ ମୃତ୍ୟୁ ଯୋଗୁ ଏହି ଦୁଇ ଜିଲ୍ଲାର ସଭାପତି ପଦ ଖାଲି ପଡ଼ିଥିଲା । ଗତ ମାସରେ ଜଗତସିଂହପୁର ଜିଲ୍ଲା ସଭାପତି ଭାବେ ପୁରୁଖା ନେତା ରବିନାରାୟଣ ଜେନାଙ୍କୁ ନିଯୁକ୍ତି ମିଳିଥିଲା ।

ବିଜେଡି ସୂତ୍ରରୁ ଜଣାପଡ଼ିଛି ଯେ, ଆଜି ଯେଉଁ ୬ଟି ସାଂଗଠନିକ ଜିଲ୍ଲା ପାଇଁ ସଭାପତି ଘୋଷଣା ହୋଇଛି ସେଥିରେ ଦଳ ନିଜର ପୁରୁଖା ନେତାମାନଙ୍କୁ ପୁଣିଥରେ ଗୁରୁତ୍ୱ ଦେଇଛି । ବାଲେଶ୍ୱର ରାଜନୀତିରେ ଦବଦବା ରଖୁଥିବା ରବୀନ୍ଦ୍ର ଜେନାଙ୍କୁ ସମ୍ପୂର୍ଣ୍ଣ ଭାବେ ଜିଲ୍ଲା ରାଜନୀତିରୁ ଦୂରେଇ ରଖାଯାଇଛି । ଏପରିକି ପୂର୍ବତନ ମନ୍ତ୍ରୀ ଜ୍ୟୋତିରଞ୍ଜନ ପାଣିଗ୍ରାହୀ ଓ ଅନନ୍ତ ଦାସଙ୍କ ଗୋଷ୍ଠୀକୁ ମଧ୍ୟ ବିଶେଷ ଗୁରୁତ୍ୱ ନଦେଇ ମନ୍ତ୍ରୀ ଅଶ୍ୱିନୀ ପାତ୍ରଙ୍କୁ ଜିଲ୍ଲା ସଭାପତି ଦାୟିତ୍ୱ ମିଳିଛି । ରବୀନ୍ଦ୍ରଙ୍କ ପତ୍ନୀ ସୁବାସିନୀଙ୍କୁ ବିଜେଡି ଆଗାମୀ ନିର୍ବାଚନରେ ବସ୍ତା କିମ୍ବା ବାଲେଶ୍ୱର ବିଧାନସଭା ଆସନରୁ ପ୍ରାର୍ଥୀ କରିବ ବୋଲି ସଙ୍କେତ ଦେଇଛି ଏବଂ ରବୀନ୍ଦ୍ରଙ୍କ ନିର୍ବାଚନ ଲଢ଼ିବା ଆଶା ଉପରେ ବ୍ରେକ୍ ଦେଇଛି । ତାଙ୍କୁ ବାଲେଶ୍ୱର ପରିବର୍ତ୍ତେ ଖୋର୍ଦ୍ଧା ଜିଲ୍ଲା ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ତୁଲାଇବାକୁ ତାଗିଦ୍ କରିଥିବା ଜଣାପଡ଼ିଛି । ଯଦିଓ ବାଲେଶ୍ୱର ଜିଲ୍ଲା ସଭାପତି ପଦ ଛାଡ଼ିବାକୁ ନେଇ ରବୀନ୍ଦ୍ର ଅସନ୍ତୁଷ୍ଟ ଥିବା ଓ ଖାସ୍ ଏହି କାରଣରୁ ଖୋର୍ଦ୍ଧା ଜିଲ୍ଲା ପର୍ଯ୍ୟବେକ୍ଷକ ହୋଇ ମଧ୍ୟ ଏପର୍ଯ୍ୟନ୍ତ ଖୋର୍ଦ୍ଧା ଜିଲ୍ଲାର ନେତାମାନଙ୍କୁ ଥରେବି ଭେଟିନଥିବା ସୂଚନା ମିଳିଛି । ସଂଗଠନ ସମ୍ପାଦକ ପ୍ରଣବପ୍ରକାଶଙ୍କ ସମ୍ପର୍କୀୟ ରବୀନ୍ଦ୍ର ଦଳର ଏଭଳି ନିଷ୍ପତ୍ତିକୁ ନେଇ ଅସନ୍ତୁଷ୍ଟ ଥିବା ଚର୍ଚ୍ଚା ହେଉଛି ।

ସେହିପରି ବରଗଡ଼ ଜିଲ୍ଲାରେ ପ୍ରଣବପ୍ରକାଶଙ୍କ ଖାସ୍ ଅନୁଗତ ସୁଶାନ୍ତ ସିଂ ନିଜର ପତିଆରା ଦେଖାଉଥିବା ବେଳେ ଆଚାର୍ଯ୍ୟ ପରିବାର (ପ୍ରସନ୍ନ ଆଚାର୍ଯ୍ୟ, ଦେବେଶ ଆଚାର୍ଯ୍ୟ) ଏବଂ ମନ୍ତ୍ରୀ ରୀତା ସାହୁ ସମାନ୍ତରାଳ ସଂଗଠନ ଜାରି ରଖିଛନ୍ତି । ଯାହାକୁ ଦୃଷ୍ଟିରେ ରଖି ଦୀର୍ଘ ଦିନ ଧରି କୋଣଠେସା ହୋଇ ରହିଥିବା ପୂର୍ବତନ ସାଂସଦ ପ୍ରଭାସ କୁମାର ସିଂଙ୍କୁ ଜିଲ୍ଲା ସଭାପତି ପଦ ଦିଆଯାଇଛି । ଆଚାର୍ଯ୍ୟ ପରିବାରର ଅନୁଗତ ସୁଶାନ୍ତ ମହାପାତ୍ରଙ୍କୁ କାର୍ଯ୍ୟକାରୀ ସଭାପତି ପଦ ଦେଇ ଦଳ ଜିଲ୍ଲାରେ ସଂଗଠନରେ ସନ୍ତୁଳନ ରକ୍ଷା ପାଇଁ ଉଦ୍ୟମ କରିଛି ।

ସେହିପରି ଢେଙ୍କାନାଳ ଜିଲ୍ଲାରେ ପୁରୁଖା ନେତା ନୃସିଂହ ସାହୁଙ୍କୁ ଜିଲ୍ଲା ସଭାପତି ଓ ଦ୍ୱିତୀୟ ଧାଡ଼ିର ନେତା ଦେବୀପ୍ରସାଦ ଭୂତିଆଙ୍କୁ କାର୍ଯ୍ୟକାରୀ ସଭାପତି ପଦ ଦେଇ ବିଜେଡି ନେତୃତ୍ୱ ଜିଲ୍ଲାରେ ରାଜନୀତିକ ଛକାପଞ୍ଝା ଓ ଗୋଷ୍ଠୀକନ୍ଦଳକୁ ପ୍ରଶମିତ ପାଇଁ ଉଦ୍ୟମ ହୋଇଛି । ଏପରିକି ଢେଙ୍କାନାଳ ଜିଲ୍ଲାର ପର୍ଯ୍ୟବେକ୍ଷକ ଭାବେ ପ୍ରଣବପ୍ରକାଶ ଦାସ କାର୍ଯ୍ୟ କରୁଥିଲେ ମଧ୍ୟ ନିଜର ଅନୁଗତଙ୍କୁ ଜିଲ୍ଲା ସଭାପତି କରିବାରେ ବିଫଳ ହୋଇଛନ୍ତି ଓ ବିଜେଡି ନେତୃତ୍ୱ ଜିଲ୍ଲାରେ ପୁରୁଖା ନେତାଙ୍କୁ ଗୁରୁତ୍ୱ ଦେଇଛନ୍ତି ।

ମନ୍ତ୍ରୀ ଶାରଦା ନାୟକ ଏବେ ଝାରସୁଗୁଡ଼ାର ପର୍ଯ୍ୟବେକ୍ଷକ ଥିବା ବେଳେ ସେ ନିଜର ସହଯୋଗୀ ତଥା ପୁରୁଖା ନେତା ହାଲୁ ମୁଣ୍ଡାରୀଙ୍କୁ ରାଉରକେଲା ଜିଲ୍ଲା ଏବଂ ରବି ସିଂହଙ୍କୁ ଝାରସୁଗୁଡ଼ା ଜିଲ୍ଲା ସଭାପତି ଭାବେ ଅବସ୍ଥାପିତ କରାଇବାରେ ସକ୍ଷମ ହୋଇଛନ୍ତି । ରବି ସିଂହ ବିଜେଡିର ପୁରୁଖା ନେତା ଓ ସେ ଉଭୟ କିଶୋର ମହାନ୍ତି ଏବଂ ନବ ଦାସ ଗୋଷ୍ଠୀଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିପାରିବେ ବୋଲି ଦଳ ସୂତ୍ରରୁ ସୂଚନା ମିଳିଛି ।

ସେହିପରି କୋରାପୁଟ ଜିଲ୍ଲା ରାଜନୀତିରେ ଦୀର୍ଘଦିନ ଧରି କୋଣଠେସା ହୋଇ ରହିଥିବା ପୂର୍ବତନ ସାଂସଦ ଝିନ ହିକକାଙ୍କୁ ଜିଲ୍ଲା ସଭାପତି ଭାବେ ନିଯୁକ୍ତି ମିଳିଛି । ଝିନଙ୍କ ପତ୍ନୀ କୌଶଲ୍ୟା ୨୦୧୯ ମସିହାରେ ଦଳୀୟ ସାଂସଦ ପ୍ରାର୍ଥୀ ଭାବେ ପରାଜିତ ହୋଇଥିଲେ । ସେବେଠୁ ଝିନଙ୍କୁ ଦଳୀୟ ସଂଗଠନରେ ବିଶେଷ ଗୁରୁତ୍ୱ ମିଳୁନଥିଲା ଓ  ପ୍ରଣବପ୍ରକାଶଙ୍କ ଅନୁଗତ ଭାବେ ଈଶ୍ୱର ପାଣିଗ୍ରାହୀ ନିଜର ଆଧିପତ୍ୟ ବିସ୍ତାର କରିବାରେ ଲାଗିଥିଲେ । ଏପରିକି କୋରାପୁଟ ଜିଲ୍ଲା ପର୍ଯ୍ୟବେକ୍ଷକ ଥିବା ପ୍ରଣବପ୍ରକାଶଙ୍କ ଅନୁଗତ ଦିବ୍ୟଶଙ୍କର ମିଶ୍ରଙ୍କ ବିନା ପରାମର୍ଶରେ ଝିନ ହିକକାଙ୍କୁ ଦଳୀୟ ନେତୃତ୍ୱ ଜିଲ୍ଲା ସଭାପତି ପଦରେ ଅବସ୍ଥାପିତ କରିଥିବା ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.