କଂଗ୍ରେସରୁ ବିଧାୟକ ମହମ୍ମଦ ମୋକିମ୍ ଓ ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳ ସସ୍‌ପେଣ୍ଡ

ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଅଭିଯୋଗ ଆଧାରରେ ସସ୍‌ପେଣ୍ଡ କଲା ଏଆଇସିସି।

ଭୁବନେଶ୍ବର: କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ୍ ଓ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ଚିରଞ୍ଜିବୀ ବିଶ୍ୱାଳଙ୍କୁ ଦଳବିରୋଧୀ କାର୍ଯ୍ୟ ପାଇଁ ଆଜି କଂଗ୍ରେସରୁ ନିଲମ୍ବନ କରାଯାଇଛି । ଏଆଇସିସି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ କମିଟିର ସଦସ୍ୟ ସଚିବ ତାରିକ୍ ଅନୱାର ଏକ ପ୍ରେସ୍ ରିଲିଜ୍ ଜାରି କରି ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି । ୨୦୧୯ ସାଧାରଣ ନିର୍ବାଚନ ପରଠୁ ଚିରଞ୍ଜିବୀ ନିଜକୁ ଦଳୀୟ ସାଂଗଠନିକ କାର୍ଯ୍ୟରୁ ସମ୍ପୂର୍ଣ୍ଣ ଦୂରେଇ ରଖିଥିବାବେଳେ ମୋକିମ୍ ବିଭିନ୍ନ ସମୟରେ ଦଳୀୟ ନିଷ୍ପତ୍ତିକୁ ପାଳନ କରୁନଥିଲେ । ଏହି ଦୁଇ ପ୍ରଭାବଶାଳୀ ନେତାଙ୍କ ନିଲମ୍ବନ ରାଜ୍ୟ କଂଗ୍ରେସରେ ଚର୍ଚ୍ଚା ଓ ଆଲୋଡ଼ନର ବିଷୟ ହୋଇଛି । ତେବେ ଏହି ଦୁଇ ନେତା ବିଜେଡିରେ ମିଶିବେ ବୋଲି ଦୀର୍ଘଦିନ ଧରି ଚର୍ଚ୍ଚା ହେଉଥିଲେ ମଧ୍ୟ ଏବେ ଉକ୍ତ ଦୁଇ ନେତାଙ୍କୁ ନିଲମ୍ବିତ ଅବସ୍ଥାରେ ବିଜେଡି ନିଜ ସହ ସାମିଲ କରିବା ସମ୍ଭାବନା କ୍ଷୀଣ । ଏଭଳି କଠୋର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ କଂଗ୍ରେସର ସଂଗଠନକୁ ଓଡ଼ିଶାରେ ଅଧିକ ଶୃଙ୍ଖଳିତ ଓ ବ୍ୟବସ୍ଥିତ କରିବ ବୋଲି ଚର୍ଚ୍ଚା ।

ଏଆଇସିସି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ କମିଟି ସଦସ୍ୟ ସଚିବ ତାରିକ୍ ଅନୱାର କହିଛନ୍ତି ଯେ, ଚିରଞ୍ଜିବୀ ଓ ମୋକିମ୍ ଦଳବିରୋଧୀ ଗତିବିଧିରେ ଲିପ୍ତ ଥିବା ନେଇ ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କ ଅଭିଯୋଗ କରିଥିଲେ । ତାଙ୍କର ଏହି ଅଭିଯୋଗ ଉପରେ ଶୃଙ୍ଖଳାଗତ କମିଟିରେ ଆଲୋଚନା ହୋଇଥିଲା ଓ ଉଭୟ ନେତାଙ୍କୁ କାରଣଦର୍ଶାଅ ନୋଟିସ୍ ଜାରି କରାଯାଇଥିଲା । ଉଭୟ ନେତାଙ୍କଠୁ ଯେଉଁ ଉତ୍ତର ମିଳିଥିଲା ତାହା ସନ୍ତୋଷଜନକ ନଥିଲା । ତେଣୁ ଉଭୟ ନେତାଙ୍କୁ ଦଳ ବିରୋଧୀ କାର୍ଯ୍ୟକ୍ରମରେ ଲିପ୍ତ ରହିବା କାରଣରୁ ତତ୍କାଳ ପ୍ରଭାବରୁ କଂଗ୍ରେସ ଦଳରୁ ନିଲମ୍ବନ କରାଗଲା ବୋଲି ଅନୱାର ସୂଚନା ଦେଇଛନ୍ତି ।

ରାଷ୍ଟ୍ରପତି ନିର୍ବାଚନ ସମୟରେ ଦଳୀୟ ହୁଇପକୁ ଅମାନ୍ୟ କରି ବିଧାୟକ ମୋକିମ୍ ସେତେବେଳେ ଏନଡିଏ ପ୍ରାର୍ଥୀଙ୍କୁ ଭୋଟ୍ ଦେଇଥିଲେ । ଏହାସହିତ ସେ ପିସିସି ସଭାପତି ଆଶାୟୀ ଥିଲେ ମଧ୍ୟ ତାହା ସମ୍ଭବପର ହୋଇପାରିନଥିଲା ଓ ସଂଗଠନର ପରିଚାଳନାକୁ ନେଇ ସେ ଗଣମାଧ୍ୟମ ଆଗରେ ନିଜର କ୍ଷୋଭ ବ୍ୟକ୍ତ କରିଥିଲେ ।

ସେହିପରି ଚିରଞ୍ଜିବୀ ୨୦୧୯ ବିଧାନସଭା ନିର୍ବାଚନରେ ଜଗତସିଂହପୁରରୁ ପରାଜିତ ହେବା ପରଠୁ ସେ ସାଂଗଠନିକ କାର୍ଯ୍ୟକ୍ରମରୁ ଦୂରେଇ ରହିଥିଲେ । ଏପରିକି ପିସିସି କାର୍ଯ୍ୟକାରୀ ସଭାପତି ଥାଇ ମଧ୍ୟ ସେ କଂଗ୍ରେସ ଭବନ କିମ୍ବା ଦଳୀୟ କାର୍ଯ୍ୟକ୍ରମରେ ସାମିଲ ହୋଇନଥିଲେ । ଗତ କିଛିମାସ ତଳେ ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ମତଦାନର ମାତ୍ର ୩ଦିନ ପୂର୍ବରୁ ମୋକିମଙ୍କ ଦ୍ୱାରା  ଭୁବନେଶ୍ୱରରେ ‘ଜାନକୀ-ବସନ୍ତ ଯୋଡ଼ି, ଓଡ଼ିଶାରେ ସୁବର୍ଣ୍ଣ ଯୁଗ’ ଶୀର୍ଷକ ଏକ କାର୍ଯ୍ୟକ୍ରମରେ ଚିରଞ୍ଜିବୀ ବର୍ତ୍ତମାନର କଂଗ୍ରେସର ସାଂଗଠନିକ ସ୍ଥିତିକୁ କଡ଼ା ଭାଷାରେ ସମାଲୋଚନା କରିଥିଲେ ।  ମୋକିମ୍ ଓ ଚିରଞ୍ଜିବୀ କଂଗ୍ରେସ ଛାଡ଼ି ବିଜେଡିରେ ମିଶିବେ ବୋଲି ଦୀର୍ଘଦିନ ଧରି ଚର୍ଚ୍ଚା ଲାଗି ରହିଛି ।

ମାତ୍ର ଦୁଇ ନେତାଙ୍କୁ ତାଙ୍କ ଦଳ ନିଲମ୍ବନ କରିବା ପରେ ବିଜେଡି ସେମାନଙ୍କୁ ନିଜ ଦଳରେ ସାମିଲ କରିବ କି ନାହିଁ ତାହା ଏବେ ସବୁଠୁ ବଡ଼ ପ୍ରଶ୍ନବାଚୀ ହୋଇଛି । କାରଣ ମୋକିମ୍ କଟକ ସହରରରୁ ଓ ଚିରଞ୍ଜିବୀ ଜଗତସିଂହପୁରରୁ ପ୍ରତିନିଧିତ୍ୱ କରୁଥିଲାବେଳେ ଉଭୟ ଜିଲ୍ଲା ବିଜେଡିର ଗଡ଼ ଭାବେ ପରିଚିତ । ତେଣୁ ଏହି ଦୁଇ ନିଲମ୍ବିତ ନେତା ଆଗାମୀ ଦିନରେ ବିଜେଡି ପାଇଁ ସହାୟକ ହେବା ବଦଳରେ ବୋଝ ହେବାର ସମ୍ଭାବନା ବେଶୀ ବୋଲି ଚର୍ଚ୍ଚା ହେଉଛି ।

ସୂଚନାଯୋଗ୍ୟ, ବିଧାନସଭାରେ ଏବେ ମୋକିମଙ୍କୁ ମିଶାଇ ୯ଜଣ ବିଧାୟକ ଅଛନ୍ତି ।

Leave A Reply

Your email address will not be published.