ଭୁବନେଶ୍ବର: କ୍ରିକେଟ୍ରେ ଭାଇ ଭାଇଙ୍କ ସଫଳତା କିଛି ପୁରୁଣା ନୁହେଁ। ବିଶେଷ କରି ଭାରତରେ ପ୍ରସିଦ୍ଧ ଭାଇ-ଭାଇ କ୍ରିକେଟର୍ଙ୍କ ମଧ୍ୟରେ ମହିନ୍ଦର ଅମରନାଥ-ସୁରିନ୍ଦର ଅମରନାଥ, ମାଧବ ଅପ୍ତେ-ଅରବିନ୍ଦ ଆପ୍ତେ, ସୁଭାଷ ଗୁପ୍ତେ-ବାଲୁ ଗୁପ୍ତେ, ୟୁସୁଫ ପଠାନ-ଇର୍ଫାନ୍ ପଠାନ୍, କୃନାଲ ପାଣ୍ଡ୍ୟା-ହାର୍ଦିକ ପାଣ୍ଡ୍ୟାଙ୍କ ଚର୍ଚ୍ଚା ଢେର ହୋଇଛି। ଅନ୍ତର୍ଜାତୀୟ କ୍ରିକେଟ୍ରେ ମଧ୍ୟ ଷ୍ଟିଭ୍ ୱ-ମାର୍କ ୱ, ଆଣ୍ଡି ଫ୍ଲାୱାର-ଗ୍ରାଣ୍ଟ୍ ଫ୍ଲାୱାର, ଆଲବି ମର୍କେଲ-ମର୍ଣ୍ଣି ମର୍କେଲ, କାମ୍ରାନ-ଉମର-ଆଦନାନ ଆକମଲ, ମାଇକ ହସି-ଡେଭିଡ୍ ହସି, ହମିସ ମାର୍ଶାଲ-ଜେମ୍ସ ମାର୍ଶାଲ, ସନ୍ ମାର୍ସ-ମିଚେଲ୍ ମାର୍ସ, ବ୍ରେଣ୍ଡନ୍ ମ୍ୟାକଲମ୍-ନାଥନ୍ ମ୍ୟାକଲମ, କେଭିନ୍ ଓ’ ବ୍ରାଏନ୍-ନିଆଲ୍ ଓ’ ବ୍ରାଏନ୍ଙ୍କ ନାମ ଆଲୋଚନା ହୋଇଛି ଅନେକ ଥର। ଓଡ଼ିଶା କ୍ରିକେଟ୍ରେ ଶାନ୍ତନୁ ଶତପଥୀ-ଡକ୍ଟର ସଂଜୟ ଶତପଥୀ, ଚିରଂଜୀବ ବିଶ୍ବାଳ-ରଂଜୀବ ବିଶ୍ବାଳ, ଅବିନାଶ ଖଟୁଆ-ଅବକାଶ ଖଟୁଆ, ସୁଜିତ-ଅସିତ-ବିଶ୍ବଜିତ ମହାନ୍ତି, ଦୀପକ ମଙ୍ଗରାଜ-ଆଲୋକ ମଙ୍ଗରାଜ ମଧ୍ୟ ଭାଇ-ଭାଇଙ୍କ ପରମ୍ପରାକୁ ଆଗକୁ ନେଇଛନ୍ତି।
ତଥାପି ଓଡ଼ିଶା କ୍ରିକେଟ୍ରେ ଏଭଳି ଏକ ଅନାଲୋଚିତ ଫର୍ଦ ରହିଛି ଯାହା ଅନେକଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେବ। ଜେନା ବ୍ରଦର୍ସ ଭାବେ ଓଡ଼ିଶା ପାଇଁ ରଣଜୀ ଟ୍ରଫି ତଥା ପ୍ରଥମ ଶ୍ରେଣୀ କ୍ରିକେଟ୍ ଖେଳିଥିଲେ ୫ ଭାଇ। ଯାହା ବିରଳ କୃତିତ୍ବ ହୋଇ ରହିଛି। ଏହି ୫ ଭାଇ ବିରଳ ରେକର୍ଡର ମଧ୍ୟ ଅଧିକାରୀ ଅଛନ୍ତି। ଗୋଟିଏ ପିତାମାତାଙ୍କଠୁ ଜନ୍ମିତ ୫ ଭାଇ ପ୍ରଥମ ଶ୍ରେଣୀ କ୍ରିକେଟ୍ ଖେଳିବାରେ ଏହା ଏକ ବିଶ୍ବ ରେକର୍ଡ। ଇଂଲଣ୍ଡର ୭ ଲିଟଲଟନ୍ ଭ୍ରାତା ଏବଂ ପାକିସ୍ତାନର ୫ ମହମ୍ମଦ ଭ୍ରାତା ପ୍ରଥମ ଶ୍ରେଣୀ କ୍ରିକେଟ୍ ଖେଳିବାର ନଜିର ଥିଲେ ବି ସେମାନେ ସଭିଏଁ ଭିନ୍ନ ମା’ଙ୍କଠାରୁ ଜନ୍ମିତ ହୋଇଥିବାରୁ ଜେନା ବ୍ରଦର୍ସ ବିଶ୍ବ କୀର୍ତ୍ତିମାନର ହକ୍ଦାର ହୁଅନ୍ତି। ଏ ସମ୍ପର୍କରେ କୌଣସି ଆନୁଷ୍ଠାନିକ ରେକର୍ଡ ନଥିଲେ ମଧ୍ୟ ଏହି ୫ ଭାଇଙ୍କ କାହାଣୀ ଓଡ଼ିଶା କ୍ରିକେଟ୍ ପ୍ରତି ଥିବା ଗୋଟିଏ ପରିବାରର ରୋମାଞ୍ଚଭରା କାହାଣୀ କହୁଛି। ଏହି ସୌଭାଗ୍ୟବନ୍ତ ୫ ଭାଇ ହେଲେ-ବିବେକାନନ୍ଦ ଜେନା, ବିଶୁଦ୍ଧାନନ୍ଦ ଜେନା, ଆଲୋକାନନ୍ଦ ଜେନା, ଅଶୋକାନନ୍ଦ ଜେନା, ଚିନ୍ମୟାନନ୍ଦ ଜେନା। ଆସନ୍ତୁ ଏହି ୫ କ୍ରିକେଟର୍ ଭ୍ରାତାଙ୍କ କାହାଣୀ ଏବଂ ସେମାନଙ୍କ କ୍ରିକେଟ୍ ଜୀବନକୁ ନେଇ ପ୍ରସ୍ତୁତ ବିଶେଷ ପ୍ରତିବେଦନ ଉପରେ ନଜର ପକାଇବା।
ବିବେକାନନ୍ଦ ଜେନା
୧୯୩୭ ମସିହାରେ ଜନ୍ମିତ ବିବେକାନନ୍ଦ (ଗୁଡୁମ) ଓଡ଼ିଶା ପାଇଁ ୧୯୬୧-୬୨ରୁ ୧୯୬୬-୬୭ ଋତୁ ମଧ୍ୟରେ ଖେଳିଥିଲେ ୨ ମ୍ୟାଚ୍। ଜଣେ ଡାହାଣହାତୀ ବ୍ୟାଟର୍ ଓ ସାମୟିକ ୱିକେଟରକ୍ଷକ ଭାବେ ଖେଳିଥିଲେ। ସର୍ବୋଚ୍ଚ ବ୍ୟକ୍ତିଗତ ସ୍କୋର୍ ଥିଲା ୧୫ ରନ୍। ବିହାର ବିପକ୍ଷ ଉଭୟ ରଣଜୀ ଟ୍ରଫି ମ୍ୟାଚ୍ରେ ସେ ବିଶେଷ ସଫଳ ହୋଇନଥିଲେ। ଏହା ପୂର୍ବରୁ ସେ ମଧ୍ୟ ଉତ୍କଳ ବିଶ୍ବବିଦ୍ୟାଳୟ ପାଇଁ ରୋହିଙ୍ଗଟନ୍ ବାରିଆ ଟ୍ରଫିରେ ପ୍ରତିନିଧିତ୍ବ କରିଥିଲେ। ଓଡ଼ିଶା ଏଜିରେ କାର୍ଯ୍ୟରତ ଥାଇ ସେ ଅବସର ନେଇଥିଲେ ଏବଂ ଏକାଧିକ ଖେଳାଳିଙ୍କୁ ଓଡ଼ିଶା ଏଜିରେ ନିଯୁକ୍ତି ଦେବାକୁ ସାଙ୍ଗମାନଙ୍କୁ ପ୍ରୋତ୍ସାହିତ କରିଥିଲେ।
ବିଶୁଦ୍ଧାନନ୍ଦ ଜେନା
୧୯୩୯ ମସିହାରେ ଜନ୍ମିତ ବିଶୁଦ୍ଧାନନ୍ଦ ୫ କ୍ରିକେଟ୍ର ଭାଇଙ୍କ ମଧ୍ୟରୁ ସର୍ବପ୍ରଥମେ ରଣଜୀ ଟ୍ରଫି ଖେଳିଥିଲେ। ଡାହାଣହାତୀ ବ୍ୟାଟର୍, ମଧ୍ୟମଗତି ବୋଲର ଏବଂ ସାମୟିକ ୱିକେଟରକ୍ଷକ ଭାବେ ୧୯୫୭-୫୮ ମଧ୍ୟରୁ ୧୯୬୯-୭୦ ଋତୁ ମଧ୍ୟରେ ୫ ଭାଇଙ୍କ ମଧ୍ୟରେ ସର୍ବାଧିକ ୩୩ ମ୍ୟାଚ୍ ଖେଳିଥିଲେ। ୬୩ ପାଳିରୁ ୧୩୬୧ ରନ୍ ସଂଗ୍ରହ କରିଥିଲେ। ଯାହା ମଧ୍ୟରେ ଗୋଟିଏ ଶତକ (୧୧୦*) ଏବଂ ୬ ଅର୍ଦ୍ଧଶତକ ସାମିଲ ଥିଲା। ୧୮ କ୍ୟାଚ୍ ସହ ୨ଟି ଷ୍ଟମ୍ପିଂ ମଧ୍ୟ କରିଥିଲେ। ଗୋଟିଏ ୱିକେଟ୍ ଦଖଲ ମଧ୍ୟ କରିଥିଲେ। ଓଡ଼ିଶା ପାଇଁ ୨ଟି ମ୍ୟାଚ୍ରେ ଅଧିନାୟକତ୍ବ କରିଥିଲେ।
ଆଲୋକାନନ୍ଦ ଜେନା
ଭାନୁ ଭାଇ ଭାବେ ପରିଚିତ ଆଲୋକାନନ୍ଦ ଥିଲେ ଜଣେ ମଧ୍ୟଭାଗ ବ୍ୟାଟର୍ ଏବଂ ଅଫସ୍ପିନର୍। ଓଡ଼ିଶା ପାଇଁ ୧୯୬୨-୬୩ରୁ ୧୯୭୦-୭୧ ମସିହା ମଧ୍ୟରେ ୨ଟି ରଣଜୀ ଟ୍ରଫି ମ୍ୟାଚ୍ ଏବଂ ୫ଟି କୁଚ୍ବେହାର ଟ୍ରଫି ମ୍ୟାଚ୍ ଖେଳିଥିଲେ। ରଣଜୀ ଟ୍ରଫିରେ ବିଶେଷ ଛାପ ଛାଡ଼ିପାରିନଥିଲେ। ଆସାମ ଓ ବିହାର ବିପକ୍ଷରେ ଖେଳିଥିବା ୨ ମ୍ୟାଚ୍ର ୪ ପାଳିରୁ ୪.୫ ହାରରେ ୯ ରନ୍ କରିବା ସହ ଗୋଟିଏ ୱିକେଟ୍ ମଧ୍ୟ ନେଇଥିଲେ। ପୂର୍ବାଞ୍ଚଳ ସ୍କୁଲ୍ ଦଳ ପାଇଁ କିନ୍ତୁ ସେ ଖେଳିଥିବା ୫ଟି ଯାକ କୁଚବେହାର ଟ୍ରଫି ମ୍ୟାଚ୍ରେ ୨୧ ୱିକେଟ୍ ନେବା ଏବଂ ୪୯ ରନ୍ କରିଥିଲେ। ହାଇଦ୍ରାବାଦରେ ଦକ୍ଷିଣାଞ୍ଚଳ ସ୍କୁଲ୍ ବିପକ୍ଷ ସେମିଫାଇନାଲ୍ ମ୍ୟାଚ୍ରେ ୯ ୱିକେଟ୍ ଦଖଲ କରିବା (୫/୫୪ ଏବଂ ୪/୫୯) ଥିଲା ସବୁଠାରୁ ଉଲ୍ଲେଖନୀୟ। ଲଗାତାର ଦୁଇ ବର୍ଷ (୧୯୬୨ ଓ ୧୯୬୩) କୁଚବେହାର ଟ୍ରଫିର ଫାଇନାଲ୍ ଖେଳି ଯଥାକ୍ରମେ ୬ ଓ ୪ ୱିକେଟ୍ ନେବା ମଧ୍ୟ ଥିଲା ଶ୍ରେଷ୍ଠ ସଫଳତା। ଉଭୟ ଥର ପୂର୍ବାଞ୍ଚଳକୁ ବିଜେତା କରାଇବାରେ ପ୍ରମୁଖ ଭୂମିକା ତୁଲାଇଥିଲେ।
ଅଶୋକାନନ୍ଦ ଜେନା
ଓଡ଼ିଶା କ୍ରିକେଟ୍ର ଅନ୍ୟତମ ସଫଳତମ ଭାଇ ହେଲେ ଅଶୋକାନନ୍ଦ ଜେନା। ଡାହାଣହାତୀ ବ୍ୟାଟର୍ ଏବଂ ବାମହାତୀ ସ୍ପିନର୍ ଭାବେ ଓଡ଼ିଶା ପାଇଁ ୧୯୬୧-୬୨ରୁ ୧୯୭୩-୭୪ ମଧ୍ୟରେ ୨୬ ରଣଜୀ ଟ୍ରଫି ମ୍ୟାଚ୍ ଖେଳିଥିଲେ। ୫୨ ପାଳିରୁ ୨୧.୨୫ ହାରରେ ୭ ଅର୍ଦ୍ଧଶତକ ସହିତ ୧୦୨୦ ରନ୍ ସଂଗ୍ରହ କରିଥିଲେ। ଏହା ମଧ୍ୟରେ ବେଙ୍ଗଲ୍ ବିପକ୍ଷ (ଇଡେନ୍ ଗାର୍ଡେନ୍ସ, ୧୯୬୪)ରେ ଗୋଟିଏ ମ୍ୟାଚ୍ର ଦୁଇଟିଯାକ ପାଳିରେ ଅର୍ଦ୍ଧଶତକ (୬୨ ଓ ୯୫* ରନ୍) ସବୁଠାରୁ ଉଲ୍ଲେଖନୀୟ ଥିଲା। ୧୨ଟି ପ୍ରଥମ ଶ୍ରେଣୀ ୱିକେଟ୍ ମଧ୍ୟ ତାଙ୍କ ନାମରେ ରହିଛି। କୁଚବେହାର ଟ୍ରଫିରେ ଓଡ଼ିଶା ସ୍କୁଲ୍ସ ପାଇଁ ୪ ମ୍ୟାଚ୍ ଏବଂ ରୋହିଙ୍ଗଟନ୍ ବାରିଆ ଟ୍ରଫିରେ ଉତ୍କଳ ବିଶ୍ବବିଦ୍ୟାଳୟ ପାଇଁ ୫ଟି ମ୍ୟାଚ୍ ମଧ୍ୟ ଖେଳିଥିଲେ। ୧୯୬୭ରୁ ୧୯୭୩ ମସିହା ମଧ୍ୟରେ ୭ଟି ରଣଜୀ ଟ୍ରଫି ମ୍ୟାଚ୍ରେ ଓଡ଼ିଶାର ନେତୃତ୍ବ ମଧ୍ୟ ନେଇଥିଲେ। ଭେଟେରାନ୍ କ୍ରିକେଟ୍ ଆସୋସିଏସନ୍ ଅଫ୍ ଓଡ଼ିଶା (ଭିସିଏଓ)ର ସଭାପତି ଦାୟିତ୍ବ ତୁଲାଇଥିବା ଅଶୋକାନନ୍ଦ ଷ୍ଟେଟ୍ ବ୍ୟାଙ୍କରୁ ଅବସର ନେଇଛନ୍ତି। ୨୦୧୯ ମସିହାରେ ତାଙ୍କୁ ସହିଦ ସ୍ପୋର୍ଟିଂ କ୍ଲବ୍ ପକ୍ଷରୁ କମଲ ଗାଙ୍ଗୁଲି ସ୍ମାରକୀ ଲାଇଫ୍ ଟାଇମ୍ ଆଚିଭ୍ମେଣ୍ଟ୍ ପୁରସ୍କାର ପ୍ରଦାନ କରାଯାଇଥିଲା।
ଚିନ୍ମୟାନନ୍ଦ ଜେନା
ସବୁଠୁ ସାନ ଭାଇ ଚିନ୍ମୟାନନ୍ଦ ଜେନା ବାମହାତୀ ବ୍ୟାଟର୍ ଭାବେ ୧୯୭୩-୭୪ ଗୋଟିଏ ମାତ୍ର ଋତୁରେ ଖେଳିଥିଲେ। ସେ ୫ ମ୍ୟାଚ୍ ଖେଳିଥିଲେ ମଧ୍ୟ କ୍ରିକେଟ୍ ରେକର୍ଡରେ ଏହା ଅନ୍ୟ ଜଣେ ଭାଇଙ୍କ ନାମରେ ଚଢ଼ିଯାଇଥିବାରୁ ଏହା ଗୋଟିଏରେ ସୀମିତ ରହିଛି। ରେଭେନସା ବିଶ୍ବବିଦ୍ୟାଳୟରୁ ଇଂରାଜୀ ପ୍ରଫେସର ଭାବେ ଅବସର ନେବାର ଢେର ପୂର୍ବରୁ ସେ ଓଡ଼ିଶା କ୍ରିକେଟ୍ ସହିତ ଜଡ଼ିତ ରହି ଆସିଛନ୍ତି। କ୍ରିକେଟ୍ ଜୀବନ ସଂକ୍ଷିପ୍ତ ଥିଲେ ମଧ୍ୟ ଓଡ଼ିଶା କ୍ରିକେଟ୍ ପ୍ରତି ଚିନ୍ମୟାନନ୍ଦଙ୍କ ଅବଦାନ ଢେର ଲମ୍ବା। ୨୦୦୩ ମସିହାରୁ ଅଦ୍ୟାବଧି ଓଡ଼ିଶା କ୍ରିକେଟ୍ ସଂଘ (ଓସିଏ)ର ବିଭିନ୍ନ ଦାୟିତ୍ବ ନିରଂତର ଭାବେ ତୁଲାଇ ଆସିଛନ୍ତି ଦୀର୍ଘ ୨୦ବର୍ଷ। ଓସିଏର ଉପସଭାପତି, ଚୟନ ସମିତି ଅଧ୍ୟକ୍ଷ, ଓସିଏ ନିଉଜଲେଟର୍ର ମୁଖ୍ୟ ସମ୍ପାଦକ ଦାୟିତ୍ବ ସହିତ ସମ୍ପ୍ରତି ସେ ସଂଘର କ୍ରିକେଟ୍ ପରାମର୍ଶଦାତା ସମିତି (ସିଏସି)ର ବରିଷ୍ଠତମ ସଦସ୍ୟ ଅଛନ୍ତି।
କଲ୍ୟାଣୀରୁ ଛତ୍ରପୁର ଜନ୍ମପୀଠ
ତତ୍କାଳୀନ ବାଲେଶ୍ବର ଜିଲା ଏବଂ ବର୍ତମାନର ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ୍ରେ ଥିବା ଏକ ଆଭ୍ୟନ୍ତରୀଣ ଗାଁ ହେଉଛି କଲ୍ୟାଣୀ। ସେହି ଗାଁର ମୂଳଅଧିବାସୀ ମୁରଲୀଧର ଜେନା ଏବଂ ବସନ୍ତ ମଞ୍ଜରୀ ଜେନା ଥିଲେ ୭ ପୁଅ ଓ ୫ ଝିଅଙ୍କ ସ୍ରଷ୍ଠା। ମୁରଲୀଧର ବୃତ୍ତିରେ ଥିଲେ ଅବକାରୀ ଅଧୀକ୍ଷକ। ରାଜ୍ୟର ବିଭିନ୍ନ ପ୍ରାନ୍ତରେ ନିଯୁକ୍ତି ଓ ଅବସ୍ଥାନ କାରଣରୁ ପିଲାମାନଙ୍କ ଜନ୍ମ ମଧ୍ୟ ସ୍ବାଭାବିକ ଭାବେ ଥିଲା ଅଲଗା ଅଲଗା ସହରରେ। କ୍ରିକେଟ୍ ଖେଳିଥିବା ୫ ଭାଇଙ୍କ ମଧ୍ୟରୁ ପ୍ରଥମ ଦୁଇ ଭାଇ ବିବେକାନନ୍ଦ ଓ ବିଶୁଦ୍ଧାନନ୍ଦ ଜନ୍ମଗ୍ରହଣ କରିଥିଲେ ଭିଟାମାଟି ଗାଁ କଲ୍ୟାଣୀରେ। ପରବର୍ତୀ ୩ କ୍ରିକେଟର୍ ଭାଇ ମଧ୍ୟରୁ ଆଲୋକାନନ୍ଦ କୋରାପୁଟରେ, ଅଶୋକାନନ୍ଦ ପୁରୀରେ ଏବଂ ଚିନ୍ମୟାନନ୍ଦ ଛତ୍ରପୁରରେ ଜନ୍ମିତ। ଏହି ୫ ଭାଇଙ୍କ ବ୍ୟତୀତ ଅନ୍ୟ ଦୁଇ ଭାଇଥିଲେ ସଚିଦାନନ୍ଦ ଜେନା (ସବୁଠୁ ବଡ଼) ଏବଂ ମଝିଆ ଭାଇ ସ୍ବରୂପାନନ୍ଦ ଜେନା। ସ୍ବରୂପ ଜେନା ଥିଲେ ଜଣେ ବିଶିଷ୍ଟ ସାମ୍ବାଦିକ ଏବଂ ରାଜ୍ୟ ପାଇଁ ଅନେକ ବର୍ଷ ଟିଟି ଖେଳିଥିଲେ। ୭ ଭାଇଙ୍କ ମଧ୍ୟରୁ ଏବେ କେବଳ ଦୁଇ ସାନ ଭାଇ ଅଶୋକାନନ୍ଦ ଏବଂ ଚିନ୍ମୟାନନ୍ଦ ବଞ୍ଚିଥିବା ବେଳେ ଅନ୍ୟ ଭାଇମାନେ ସ୍ବର୍ଗାରୋହଣ କରି ସାରିଛନ୍ତି।