ଦକ୍ଷତା ଏବଂ ଜ୍ଞାନ ବୃଦ୍ଧି ନିମନ୍ତେ ସୋଆରେ ଆରମ୍ଭ ହେବ ମାଇକ୍ରୋ କ୍ରେଡେନ୍ସିଆଲ୍ ପାଠ୍ୟକ୍ରମ

ଭୁବନେଶ୍ୱର, ଜୁଲାଇ ୧୮ : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ୧୭ ବର୍ଷରେ ପାଦ ଥାପିଥିବା ବେଳେ ଦେଶର ଶ୍ରେଷ୍ଠ ୧୫ ତମ ବିଶ୍ୱବିଦ୍ୟାଳୟ ଭାବେ ନିଜକୁ ପ୍ରତିପାଦିତ କରିପାରିଛି । ଏହି ପରିପ୍ରେକ୍ଷୀରେ ଛାତ୍ରଛାତ୍ରୀମାନଙ୍କର ଦକ୍ଷତା ଓ ଜ୍ଞାନର ବୃଦ୍ଧି ନିମନ୍ତେ ମାଇକ୍ରୋ କ୍ରେଡେନ୍ସିଆଲ ପାଠ୍ୟକ୍ରମ ସୋଆରେ ଆରମ୍ଭ କରାଯିବାର ଯୋଜନା ରହିଛି ।

ସୋଆ ଫୋର୍ଟନାଇଟ୍‌ଲି ଏକାଡେମିକ ଲେକ୍‌ଚର (ସୋଫଲ)ରେ ପ୍ରଦତ ବକ୍ତୃତା ମାଳାକୁ ନେଇ ପ୍ରକାଶିତ “ସୋଫଲ ମାଳା”ର ଦ୍ୱିତୀୟ ସଂସ୍କରଣର ଉଦ୍‌ଘାଟନୀ ଅବସରରେ ଏହା କହିଛନ୍ତି ବିଶ୍ୱବିଦ୍ୟାଳୟର କୁଳାଧିପତି ପ୍ରଫେସର (ଡକ୍ଟର) ଅମିତ ବାନାର୍ଜୀ । ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ଦ୍ୱାରା ପ୍ରଦତ ୨୫ଟି ଅନ୍‌ଲାଇନ୍ ବକ୍ତୃତାର ବିଷୟବସ୍ତୁକୁ ନେଇ ଏହି ସଂସ୍କରଣ ପ୍ରକାଶ ପାଇଛି ।

‘ସୋଫଲ ମାଳା’ର ପ୍ରଥମ ସଂସ୍କରଣରେ ୨୫ଟି ବକ୍ତୃତା ପ୍ରକାଶ ପାଇଥିଲା । ଡାକ୍ତର, ବୈଜ୍ଞାନିକ, ଶିକ୍ଷାବିତ୍‌, ସମାଜସେବୀ, ଆଧ୍ୟାତ୍ମିକ ଗୁରୁ, କୁଟନୀତିଜ୍ଞ ଓ ପ୍ରଶାସକ ଇତ୍ୟାଦିଙ୍କୁ ନେଇ ବିଭିନ୍ନ ପ୍ରସଙ୍ଗରେ ସେମାନଙ୍କ ପ୍ରଦତ ଏହି ବକ୍ତୃତା ମାଳା ୨୦୨୧ ମସିହାରୁ ଆୟୋଜିତ ହୋଇଆସୁଛି ।

ସୋଆର ପ୍ରମୁଖ ଉପଦେଷ୍ଟା (ସ୍ୱାସ୍ଥ୍ୟ ବିଜ୍ଞାନ ) ପ୍ରଫେସର (ଡାକ୍ତର) ଅଶୋକ କୁମାର ମହାପାତ୍ର ସୋଆ କୁଳପତି ଥିବା ବେଳେ ଏହି ବକ୍ତୃତା ମାଳାର ଅୟମାରମ୍ଭ କରିଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଫେସର ମହାପାତ୍ରଙ୍କ ସମେତ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ, ୟୁନିଭର୍ସିଟି ଆଉଟ୍‌ରିଚ୍ ପ୍ରୋଗ୍ରାମର ନିର୍ଦ୍ଦେଶକ ପ୍ରଫେସର ନଚିକେତା କେ. ଶର୍ମା ଓ ବକ୍ତାମାନଙ୍କ ମଧ୍ୟରୁ ୪ ଜଣ ଉପସ୍ଥିତ ଥିଲେ ।

ନୂଆଦିଲ୍ଲୀ ସ୍ଥିତ ନ୍ୟାସ୍‌ନାଲ୍ ମାରିଟାଇମ୍ ଫାଉଣ୍ଡେସନ୍‌ର ପୂର୍ବତନ ନିର୍ଦ୍ଦେଶକ ପ୍ରଫେସର ବିଜୟ ସାଖୁଜା ଏହି ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ମାଇକ୍ରୋ କ୍ରେଡେନ୍ସିଆଲ୍ ସମ୍ପର୍କରେ ବିସ୍ତୃତ ଭାବେ ବୁଝାଇଥିଲେ । ଯେଉଁମାନେ ପ୍ରଶାସନିକ କାର୍ଯ୍ୟ ଏବଂ ବ୍ୟବସାୟରେ ସଂଶ୍ଳିଷ୍ଟ ଅଛନ୍ତି ସେମାନେ ଶିକ୍ଷା କ୍ଷେତ୍ରକୁ ଫେରି ଆସି ସ୍ୱଳ୍ପ ସମୟରେ ଏହି ସ୍ୱତନ୍ତ୍ର ଦକ୍ଷତା ହାସଲ କରିବା ଆବଶ୍ୟକ ଯାହାକି ସେମାନଙ୍କୁ କାର୍ଯ୍ୟକ୍ଷେତ୍ରରେ ଆଗକୁ ଯିବାକୁ ସାହାଯ୍ୟ କରିବ ବୋଲି ସେ କହିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ନ୍ୟାସ୍‌ନାଲ୍ ଡିଫେନ୍ସ ଏକାଡେମୀର ପୂର୍ବତନ ପ୍ରଫେସର ହରିହର ପଣ୍ଡା, ଭୁବନେଶ୍ୱର ସ୍ଥିତ ଇନ୍‌ଷ୍ଟିଚ୍ୟୁଟ ଅଫ୍ ଫିଜିକ୍ସର ପୂର୍ବତନ ପ୍ରଫେସର ଅଜିତ ଏମ୍‌. ଶ୍ରୀବାସ୍ତବ ଓ ପଠାଣି ସାମନ୍ତ ପ୍ଲାନେଟୋରିୟମ୍‌ର ପୂର୍ବତନ ନିର୍ଦ୍ଦେଶକ ଡକ୍ଟର ଶୁଭେନ୍ଦୁ ପଟ୍ଟନାୟକ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

ପ୍ରଫେସର ନନ୍ଦ ଏହି ଅବସରରେ କହିଥିଲେ ଯେ ସୋଫଲ୍ ଭଳି ବକ୍ତୃତାମାଳା ଛାତ୍ରଛାତ୍ରୀ ଓ ଫ୍ୟାକଲ୍ଟିମାନଙ୍କୁ ସେମାନଙ୍କ ଜ୍ଞାନ ବୃଦ୍ଧିରେ ସହାୟକ ହେବ । ପ୍ରଫେସର ଶର୍ମା ଅତିଥିମାନଙ୍କୁ ସ୍ୱାଗତ କରିବା ସହ ସୋଫଲ ସମ୍ପର୍କରେ ବିସ୍ତୃତ ତଥ୍ୟ ଉପସ୍ଥାପନ କରିଥିଲେ ।

Leave A Reply

Your email address will not be published.