‘ରତ୍ନଭଣ୍ଡାର ଖୋଲିବାର ତଦାରଖ ପାଇଁ ହାଇଲେବଲ ଟିମ୍ ଗଠନ ହେବ। ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ଟିମ୍ ପାଇଁ ନିଷ୍ପତ୍ତି ହୋଇଛି। ସୁପ୍ରିମକୋର୍ଟ ବା ହାଇକୋର୍ଟର ଜଣେ ଅବସରପ୍ରାପ୍ତ ଜଜ ଟିମ୍ର ମୁଖ୍ୟ ହେବେ।’
ପୁରୀ: ବହୁପ୍ରତୀକ୍ଷିତ ମହାପ୍ରଭୁଙ୍କ ରତ୍ନଭଣ୍ଡାର ଖୋଲିବ। ୨୦୨୪ ରଥଯାତ୍ରା ସମୟରେ ଶ୍ରୀଜିଉଙ୍କ ରତ୍ନଭଣ୍ଡାର ଖୋଲିବ। ଏହା ପୂର୍ବରୁ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଖୋଲି ଯାଞ୍ଚ କରାଯିବ। ରତ୍ନଭଣ୍ଡାର ଯାଞ୍ଚ ପାଇଁ ଏକ ବୈଷୟିକ କମିଟି ଗଠନ ହେବ। ଲେଜର ସ୍କାନିଂ ଦ୍ୱାରା ଯାଞ୍ଚ କରାଯିବ। ଏହାସହ ରତ୍ନାଭଣ୍ଡାର ଖୋଲିବା ପାଇଁ ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର କରାଯିବ। ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଶୁକ୍ରବାର ଏନେଇ ସୁପାରିସ କରାଯାଇଛି । ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଏନେଇ ସୂଚନା ଦେଇଛନ୍ତି।
ଶ୍ରୀ ବର୍ମା କହିଛନ୍ତି, ରତ୍ନଭଣ୍ଡାର ଖୋଲିବାର ତଦାରଖ ପାଇଁ ହାଇଲେବଲ ଟିମ୍ ଗଠନ ହେବ। ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ଟିମ୍ ପାଇଁ ନିଷ୍ପତ୍ତି ହୋଇଛି। ସୁପ୍ରିମକୋର୍ଟ ବା ହାଇକୋର୍ଟର ଜଣେ ଅବସରପ୍ରାପ୍ତ ଜଜ ଟିମ୍ର ମୁଖ୍ୟ ହେବେ। ଭିତର ରତ୍ନଭଣ୍ଡାର ଖୋଲିବା ପାଇଁ ଟିମ୍ ସମସ୍ତ ବ୍ୟବସ୍ଥା ତଦାରଖ କରିବ ବୋଲି ଜିଲ୍ଲାପାଳ କହିଛନ୍ତି।
ଶ୍ରୀମନ୍ଦିର ଯାଞ୍ଚ ପାଇଁ ଏକ ଟେକ୍ନିକାଲ୍ କମିଟି ଗଠନ କରାଯିବ। ଯେଉଁଥିରେ ଏଏସ୍ଆଇ, ପରିଚାଳନା କମିଟି ସଦସ୍ୟ ଓ ମନ୍ଦିର ପ୍ରଶାସନର ବରିଷ୍ଠ ଇଞ୍ଜିନିୟରମାନେ ରହିବେ। ସେହି ଟେକ୍ନିକାଲ୍ କମିଟି ଆତ୍ୟାଧୁନିକ ଜ୍ଞାନ କୌଶଳ ପ୍ରୟୋଗ କରି ରତ୍ନଭଣ୍ଡର ବାହ୍ୟାବସ୍ଥା ଯାଞ୍ଚ କରିବ। ତା’ର ଏକ ରିପୋର୍ଟ ପରବର୍ତ୍ତୀ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଉପସ୍ଥାପନ କରାଯିବ। ଏନେଇ ସରକାରଙ୍କୁ ସୁପାରିଶ କରାଯାଇଛି ବୋଲି ଜିଲ୍ଲାପାଳ କହିଛନ୍ତି।
ସୂଚନାଯୋଗ୍ୟ, ଦୀର୍ଘ ଦିନ ହେବ ମହାପ୍ରଭୁଙ୍କ ରତ୍ନଭଣ୍ଡାର ଖୋଲିବା ନେଇ ବିଭିନ୍ନ ମହଲରେ ଦାବି ଉଠୁଥିଲା । ବିଭିନ୍ନ ସଙ୍ଗଠନ ସମେତ ଜଗନ୍ନାଥପ୍ରେମୀ ମଧ୍ୟ ରତ୍ନଭଣ୍ଡାର ଖୋଲିବାକୁ ଦାବି କରିଥିଲେ। ରତ୍ନଭଣ୍ଡାର ଖୋଲିବା ନେଇ ମାମଲା ହାଇକୋର୍ଟ ମଧ୍ୟ ପହଞ୍ଚିଛି।