ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ଭଉଣୀ ଲେଖିକା ଗୀତା ମେହେଟ୍ଟାଙ୍କ ପରଲୋକ

ନୂଆଦିଲ୍ଲୀ: ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ କନ୍ୟା, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ଭଉଣୀ ତଥା ବିଶିଷ୍ଟ ଲେଖିକା ଗୀତା ମେହେଟ୍ଟାଙ୍କ ପରଲୋକ ହୋଇଥିବା ଦୁଃଖଦ ଖବର ହସ୍ତଗତ ହୋଇଛି । ଶନିବାର ଦିଲ୍ଲୀ ସ୍ଥିତ ବାସଭବନରେ ୮୦ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି ।

ନବୀନଙ୍କ ବଡ ଭଉଣୀ ଗୀତା ମେହେଟ୍ଟା ଜଣେ ଲେଖିକା ଭାବେ ବେଶ ପରିଚିତ । ତା ସହିତ ସେ ପ୍ରାମାଣିକ ଚଳଚିତ୍ର ମଧ୍ୟ ନିର୍ମାଣ କରିଛନ୍ତି । ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ  ଗତ ୨୦୧୯ ମସିହାରେ କେନ୍ଦ୍ର ସରକାର ତାଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରିବାକୁ ଘୋଷଣା କରିଥିଲେ । କିନ୍ତୁ ତାହାକୁ ପ୍ରତ୍ୟାଖ୍ୟାନ କରି ସେ ଚର୍ଚ୍ଚାକୁ ଆସିଥିଲେ ।

୧୯୪୩ରେ ଜନ୍ମିତ ଗୀତା ନିଜର ୪୦ ବର୍ଷର ସାହିତ୍ୟ ଜୀବନରେ ଅନେକ ଉଲ୍ଲେଖନୀୟ ପୁସ୍ତକ ରଚନା କରିଥିଲେ । ତାଙ୍କର ଶିକ୍ଷା ଦିଲ୍ଲୀ ଓ ବ୍ରିଟେନର କେମ୍ରିଜରେ ହୋଇଥିଲା । ସେ ଆଲଫ୍ରେଡ୍ ଏ. ନୋଫ୍ ପବ୍ଲିସିଂ ହାଉସର ପୂର୍ବତନ ମୁଖ୍ୟ ସୋନି ମେହେଟ୍ଟାଙ୍କୁ ୧୯୬୫ରେ ବିବାହ କରିଥିଲେ । ସେମାନଙ୍କର ଆଦିତ୍ୟ ସିଂ ମେହେଟ୍ଟା ନାମକ ଏକ ପୁତ୍ର ସନ୍ତାନ ଅଛନ୍ତି । ସୋନୀ ମେହେଟ୍ଟାଙ୍କର ଗତ ୨୦୧୯ରେ ପରଲୋକ ହୋଇଥିଲା ।  ସେ ୫ଟି ପୁସ୍ତକ ରଚନା କରିଥିଲେ । ତାଙ୍କ ପୁସ୍ତକ ୨୧ଟି ଭାଷାରେ ଅନୁବାଦିତ ହୋଇଛି ଏବଂ ୟୁରୋପ, ଆମେରିକା ଏବଂ ଭାରତରେ ବେଷ୍ଟସେଲର ତାଲିକାରେ ସ୍ଥାନ ପାଇଛି ।

ଗୀତା ମେହେଟ୍ଟା ଇଂଲଣ୍ଡ, ୟୁରୋପ ଏବଂ ଆମେରିକା ପାଇଁ ୧୪ଟି ଦୂରଦର୍ଶନ ପ୍ରାମାଣିକ ଚଳଚ୍ଚିତ୍ରର ନିର୍ମାଣ କରିଥିଲେ । ୧୯୭୦-୧୯୭୧ ମସିହା ମଧ୍ୟରେ ସେ ଆମେରିକା ଦୂରଦର୍ଶନ ଏନ ବି ସି ପାଇଁ ଯୁଦ୍ଧ ସମ୍ବାଦଦାତା ଭାବରେ କାର୍ଯ୍ୟ କରିଥିଲେ । ତାଙ୍କର ଚଳଚ୍ଚିତ୍ର ‘କମ୍ପାଇଲେସନ ଅଫ ଦି ବାଙ୍ଗଲାଦେଶ ରିଭୋଲୁସନ, ଡେଡଲାଇନ ବାଙ୍ଗଲାଦେଶ, ଉଭୟ ଭାରତ ଏବଂ ବିଦେଶର ପ୍ରେକ୍ଷାଳୟରେ ପ୍ରଦର୍ଶିତ ହୋଇଥିଲା ।

ଆଲଫ୍ରେଡ ଏ. ନଫ ପ୍ରକାଶନା ସଂସ୍ଥାର ମୁଖ୍ୟ ସୋନି ମେହେଟ୍ଟାଙ୍କ ପତ୍ନୀ ହୋଇଥିଲେ ମଧ୍ୟ, ଗୀତା ନିଜ ସତ୍ତ୍ୱ ବଳରେ ଜଣେ ଲେଖିକା ଭାବେ ପ୍ରତିଷ୍ଠିତ । ତାଙ୍କର ବହି ୨୧ଟି ଭାଷାକୁ ଅନୁବାଦିତ ହୋଇଛି ଏବଂ ୟୁରୋପ, ଆମେରିକା ଓ ଭାରତରେ ଉତ୍ତମ ବିକ୍ରେତା ତାଲିକାରେ ରହିଆସିଛି । ତାଙ୍କର ଲେଖାର ବିଷୟବସ୍ତୁ ମୁଖ୍ୟତଃ ଭାରତ, ଏହାର ସଂସ୍କୃତି ଓ ଇତିହାସ, ଏବଂ ଏହାର ପାଶ୍ଚାତ୍ୟ ଉପଲବଧି ଉପରେ ଆଧାରିତ ।

Leave A Reply

Your email address will not be published.