ଆଜି ପ୍ରଧାନମନ୍ତ୍ରୀ ମୋଦୀଙ୍କ ୭୩ତମ ଜନ୍ମଦିନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ତାଙ୍କର ୭୩ତମ ଜନ୍ମଦିବସ ପାଳନ କରିବାକୁ ଯାଉଛନ୍ତି। ସାରା ଭାରତର ବିଜେପି ଶାଖାଗୁଡ଼ିକ ତାଙ୍କର ଜନ୍ମଦିନକୁ ଭିନ୍ନ ଭିନ୍ନ ଢଙ୍ଗରେ ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଭାରତ ସ୍ବାଧୀନତା ପାଇବାର ତିନିବର୍ଷ ପରେ ଏବଂ ସାଧାରଣତନ୍ତ୍ରରେ ପରିଣତ ହେବାର କିଛି ମାସ ପୂର୍ବରୁ ୧୯୫୦ ମସିହା ସେପ୍ଟେମ୍ବର ୧୭ ତାରିଖରେ ପିତା ଦାମୋଦରଦାସ ମୋଦୀ ଓ ମାତା ହୀରାବା ମୋଦୀଙ୍କ ଷଷ୍ଠ ସନ୍ତାନରୂପେ ନରେନ୍ଦ୍ର ମୋଦୀ ଜନ୍ମଗ୍ରହଣ କରିଥିଲେ।

ପିଲାଦିନୁ ମୋଦୀ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌)ର ସଦସ୍ୟ ଥିଲେ। ୧୯୭୦ ଦଶକରୁ ରାଜନୀତି ସହ ସଂଶ୍ଳିଷ୍ଟ ହେବା ସତ୍ତ୍ବେ ୧୯୯୦ ଦଶକ ପର୍ଯ୍ୟନ୍ତ ରାଜନୈତିକ କ୍ୟାରିୟରରେ ତାଙ୍କର ବିଶେଷ ଉତ୍ଥାନ ହୋଇ ନ ଥିଲା। ୧୯୮୭ରେ ସେ ଗୁଜରାଟ ବିଜେପିର ସାଧାରଣ ସମ୍ପାଦକ ହେଲେ। ୧୯୯୫ରେ ଗୁଜରାଟରେ ଦଳ ସଂଖ୍ୟାଗରିଷ୍ଠତା ପାଇବା ପରେ ହଠାତ୍ ତାଙ୍କର ଗୁରୁତ୍ବ ବଢ଼ିଗଲା। ୨୦୦୧ ଅକ୍ଟୋବର ୭ ତାରିଖରେ ମୋଦୀ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ପ୍ରଥମ ସାମ୍ବିଧାନିକ ଭୂମିକା ତୁଲାଇଲେ। ତା’ପରଠାରୁ ସେ ଆଉ କେବେ ପଛକୁ ହଟିନାହାନ୍ତି। କ୍ରମାଗତ ଭାବେ ସେ ନିର୍ବାଚିତ ରାଜ୍ୟ ବିଜେପି ସରକାରର ନେତୃତ୍ବ ନେବାକୁ ଲାଗିଲେ।

ମୋଦୀ କେବଳ ଜଣେ ଅଣ-କଂଗ୍ରେସ ପ୍ରଧାନମନ୍ତ୍ରୀ ଭାବେ ସବୁଠାରୁ ଦୀର୍ଘ ସମୟ ଶାସନ କରିନାହାନ୍ତି, ଏକ ନିର୍ବାଚିତ ସରକାରର ମୁଖ୍ୟ ଭାବେ ସେ ସବୁଠାରୁ ଦୀର୍ଘ ସମୟ (୧୨ ବର୍ଷରୁ ଅଧିକ ମୁଖ୍ୟମନ୍ତ୍ରୀ ଓ ୯ ବର୍ଷରୁ ଅଧିକ ପ୍ରଧାନମନ୍ତ୍ରୀ) ରହିଆସିଛନ୍ତି। ୨୦୧୪ରେ ମୋଦୀଙ୍କ ନେତୃତ୍ବାଧୀନ ବିଜେପି ୩ ଦଶନ୍ଧି ପରେ ଏକମାତ୍ର ଦଳ ଭାବେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ସହ ସରକାର ଗଠନ କଲା। ବର୍ତ୍ତମାନ ପ୍ରାୟ ସାଢ଼େ ୯ ବର୍ଷ ହେଲା ମୋଦୀ ପ୍ରଧାନମନ୍ତ୍ରୀ ଅଛନ୍ତି। ଆସନ୍ତାବର୍ଷ ତାଙ୍କର ଦ୍ବିତୀୟ ପାଳିର ଅବଧି ପୂର୍ଣ୍ଣ ହେବାକୁ ଯାଉଛି।

ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ପାଇଁ ଦେଶର ବିଭିନ୍ନ ସ୍ଥାନରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରୁଛି ବିଜେପି । ଦେଶ ବିଦେଶରୁ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି । ଅନେକ ବିଦେଶୀ ନେତା ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଉଛନ୍ତି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ଗୃହମନ୍ତ୍ରୀ ଅମିତ ଶାହଙ୍କ ସମେତ ଅନେକ କେନ୍ଦ୍ରମନ୍ତ୍ରୀ ଓ ବିଜେପି ନେତା ଟ୍ୱିଟ୍ କରି ଜନ୍ମଦିନର ଶୁଭେଚ୍ଛା ଜଣାଉଛନ୍ତି । ବିଜେପି ଶାସିତ ଅଂଚଳରେ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି । ୧୯୫୦ ମସିହା ଆଜିର ଦିନରେ ଗୁଜରାଟର ୱଡନଗରରେ ମୋଦୀଙ୍କ ଜନ୍ମ ହୋଇଥିଲା ।

ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଆଜି ଉଦଘାଟିତ ହେବ ନୂଆଦିଲ୍ଲୀର ଦ୍ୱାରକାରେ ଇଣ୍ଡିଆ ଇଂଟରନେସନାଲ କନଭେନସନ ଓ ଏକ୍ସପୋ ସେଂଟର ବା ୟଶଭୂମିର ପ୍ରଇଥମ ଅଂଶ । ସରକାର ଏହାକୁ ୫ ହଜାର ୪ ଶହ କୋଟି ଟଙ୍କା ବ୍ୟୟରେ ନିର୍ମାଣ କରିଛନ୍ତି । ଏହି କନ୍ଭେନସନ ସେଂଟର ୮ ଦଶିମକ ୯ ବର୍ଗଫୁଟରୁ ଅଧିକ ଅଂଚଳରେ ପରିବ୍ୟାପ୍ତ । ଏହା ବିଶ୍ୱର ସବୁଠୁ ବଡ଼ ଏମ୍ଆଇସିଇ ସ୍ଥାନ ମଧ୍ୟରୁ ଅନ୍ୟତମ । ୟଶୋଭୂମିରେ ଏକ ସମ୍ମିଳନୀ କକ୍ଷ, ଅନେକ ପ୍ରଦର୍ଶନୀ କକ୍ଷ ଓ ଅନ୍ୟାନ୍ୟ ସୁବିଧା ରହିଛି । ଏହି ସେଂଟରର ବାହାରପଟ ଜି-୨୦ ଥିମ୍ରେ ଡିଜାଇନ କରାଯାଇଛି । ଏଥିରେ ଏକାସଙ୍ଗେ ୧୧ ହଜାରରୁ ଅଧିକ ଲୋକ ବସିପାରିବେ । ଏଥିରେ ୧୫ଟି ସମ୍ମିଳନୀ କକ୍ଷ, ଗ୍ରାଣ୍ଡ ବଲରୁମ୍ ଓ ୧୩ଟି ବୈଠକ ଘର ରହିଛି । ୟଶୋଭୂମିକୁ ଦିଲ୍ଲୀ ବିମାନ ବନ୍ଦର ମେଟ୍ରୋ ଏକ୍ସପ୍ରେସ୍ ଲାଇନ୍ ସହ ଯୋଡାଯିବ ।

Leave A Reply

Your email address will not be published.